୨୬ରେ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ‘ରାଜ୍ୟର ସ୍ୱପ୍ନ’ ଭାବେ ବିବେଚିତ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାରେ କାର୍ଯ୍ୟକ୍ରମ ରହିଛି। ସେତେବେଳକୁ ପାଣିପାଗ ଅନୁକୂଳ ଥିଲେ, ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହେବ ବୋଲି ପୂର୍ତ୍ତ ବିଭାଗ ପଦାଧିକାରୀମାନେ ଆଶାପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସହିତ ବରିଷ୍ଠ ପଦାଧିକାରୀମାନେ ଯୋଗଦେବେ ବୋଲି ସୂଚନା ମିଳିଛି।

୧୯୮୬ ମସିହାରୁ ବହୁ ଆଶାଆଶଙ୍କା ମଧ୍ୟରେ ଗତି କରି ଶେଷରେ ସରିଛି ଗୁରୁପ୍ରିୟା ନଦୀ ଉପର ୯୧୦ ମିଟର ଦୈଘ୍ୟର ଏହି ସେତୁ। ୧୯୬୦ରେ ବାଲିମେଳା ଓ ୧୯୮୦ରେ ମାଛକୁଣ୍ଡ ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ଜିଲ୍ଲାର ୧୫୧ରୁ ଅଧିକ ଗ୍ରାମ ସ୍ଥଳଭାଗରୁ ବିଚ୍ଛିନ୍ନ ହୋଇରହିଥିଲା। ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଲକ୍ଷ୍ୟରେ ବିଭିନ୍ନ ସମୟରେ ଏହି ସେତୁ ନିର୍ମାଣର ପରିକଳ୍ପନା ହୋଇଥିଲା। ବିଭିନ୍ନ ସମୟରେ ଜଣାଶୁଣା ଠିକାସଂସ୍ଥା ମେସର୍ସ ଗାମନ୍‌ ଇଣ୍ଡିଆ-ବିବିଜେ, ମେସର୍ସ ଓବିସିସି, ମେସର୍ସ ଓସିସି ପ୍ରଭୃତି ଏହାର କାମ ହାତକୁ ନେବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଶେଷରେ ୨୦୧୪ରେ କଲ୍‌କାତାର ମେସର୍ସ ରୟାଲ୍‌ ଇନ୍‌ଫ୍ରାଷ୍ଟକଚର୍‌ ଲିମିଟେଡ୍‌ ୧୮୭.୨୫ କୋଟି ଟଙ୍କାର ଟେଣ୍ଡର ଧରି କାମ ଆରମ୍ଭ କରି ଗତ ମାସରେ ସାରିଛି। ଏହି ସେତୁ ପ୍ରକଳ୍ପ ନେଇ ନାନା ବିବାଦ ସୃଷ୍ଟି ହୋଇଛି। ୨୦୧୦ରେ ବାମପନ୍ଥୀ ଉଗ୍ରବାଦ ଜିଲ୍ଲା ଯୋଜନାରେ ତତ୍କାଳୀନ ଉପା ସରକାର ଏହି ସେତୁ ନିମନ୍ତେ ୪୭.୪୦ କୋଟି ମଞ୍ଜୁର କରିଥିଲେ। କିନ୍ତୁ ଏହି ପ୍ରକଳ୍ପକୁ ଇପିସି ଠିକା ଭାବେ ବିବେଚନା କରିବାକୁ ବାଧ୍ୟ ହୋଇଥିଲେ ରାଜ୍ୟ ସରକାର। ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ମନା କରିଦେଇଥିଲା କେନ୍ଦ୍ର। ତେବେ କେନ୍ଦ୍ରୀୟ ଅର୍ଥ ମଧ୍ୟରୁ ପ୍ରାୟ ୨୭ କୋଟି ବିନିଯୋଗ ହୋଇସାରିଥିଲା। ଏଣୁ, ରାଜ୍ୟ ସରକାର ନିଜସ୍ୱ ଅର୍ଥରୁ ପ୍ରାୟ ୧୬୦ କୋଟି ବିନିଯୋଗ କରି ଏହି କାର୍ଯ୍ୟ ସାରିବାରେ ସମର୍ଥ ହୋଇଛନ୍ତି। ବିବାଦକୁ ଏଡ଼ାଇବାକୁ ଯାଇ ପୂର୍ତ୍ତ ବିଭାଗ କେନ୍ଦ୍ରୀୟ ସଂସ୍ଥା ସିଆରଆରଆଇକୁ ନିୟୋଜିତ କରି ସେତୁ ନିର୍ମାଣର ଗୁଣାତ୍ମକ ମାନ(କ୍ୱାଲିଟି ଅଡିଟ୍‌) ପରୀକ୍ଷା କରାଇଛନ୍ତି।

ଏହି ଗୁରୁପ୍ରିୟା ସେତୁର ବିଶେଷତ୍ୱ ହେଉଛି, ଏହି ସେତୁ ଜଳଭଣ୍ଡାରର ଅନ୍ୟୂନ ୨୦ ମିଟର ପାଣିରେ ଠିଆ ହୋଇଛି। ନଦୀର ଅନ୍ୟ ସ୍ଥାନରେ ପାଣିର ଗଭୀରତା ୩୦ରୁ ୩୫ ମିଟର। ମାଓବାଦୀଙ୍କ ଆକ୍ରମଣର ଭୟ ଥିବାରୁ ସୁରକ୍ଷା କର୍ମୀ ଓ ପୁଲିସ ବାହିନୀଙ୍କ କଡ଼ା ପହରା ମଧ୍ୟରେ ଏହାର ନିର୍ମାଣ ସଂପନ୍ନ ହୋଇଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଆଖପାଖ ଗ୍ରାମଗୁଡ଼ିକର ଲୋକଙ୍କ ପାଇଁ ରାଜ୍ୟ ସରକାର ଆସନ୍ତା ବର୍ଷକ ଭିତରେ ୧୫୦ କି.ମି. ଦୈଘ୍ୟର ୧୨ଟି ବିଭିନ୍ନ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାର ଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର