ଗୁରୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତି ଅନାବରଣ

୮୧ କୋଟିର ପ୍ରକଳ୍ପ ଶିଳାନ୍ୟାସ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୋହନା/ରା.ଉଦୟଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲା ମୋହନା ନିକଟସ୍ଥ ଜିରାଙ୍ଗ ଗସ୍ତ କରି ବୌଦ୍ଧ ମନ୍ଦିର ପରିସରରେ ଥିବା ପଦ୍ମସାଗରରେ ନିର୍ମିତ ତିବ୍ଦତୀୟ ଧର୍ମଗୁରୁ ଗୁରୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ସେଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ‌ଦେବା ସହ ମୋହନା, ଆର.ଉଦୟଗିରି ଓ ନୂଆଗଡ଼ ବ୍ଲକର ୬୬ କୋଟି ୬୨ ଲକ୍ଷ ମୂଲ୍ୟରେ ନିର୍ମିତ ୧୨୯ଟି ପ୍ରକଳ୍ପ ଉଦଘାଟନ ଓ ୧୪ କୋଟି ଟଙ୍କା ମୂଲ୍ୟର ୯୮ଟି ଜନହିତକାରୀ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ସକାଳ ସାଢେ ୧୧ଟାରେ ଜିରାଙ୍ଗରେ ଥିବା ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୌଦ୍ଧ ଭିକ୍ଷୁ ଓ ସନ୍ନ୍ୟାସୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ରୀତିରେ ସ୍ବାଗତ କରି ପାଛୋଟି ନେଇଥିଲେ। ମନ୍ଦିର ମଧୢରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଭିକ୍ଷୁମାନଙ୍କ ୫ ମିନିଟ୍‌ ଆଲୋଚନା କରିଥିଲେ। ସେଠାରୁ ବାହାରି ପଦ୍ମସାଗର ସରୋବରରେ ମଧୢରେ ସ୍ଥାପିତ ହୋଇଥିବା ତିବ୍ଦତୀୟ ଧର୍ମଗୁରୁ ପଦ୍ମସମ୍ଭବଙ୍କ ୧୮ ଫୁଟ ଉଚ୍ଚ ପ୍ରସ୍ତର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହା ପରେ ସେଠାରେ ହିଁ ଆର.ଉଦୟଗିରି, ମୋହନା ଓ ନୂ୍ଆଗଡ଼ ବ୍ଲକର ମୋଟ ୮୧ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଥିଲେ। ସାଧାରଣ ସଭାରେ ମଞ୍ଚାସୀନ ମୁଖ୍ୟମନ୍ତ୍ରୀ ନିଜ ଉଦ୍‌ବୋଧନରେ କହିଥିଲେ ଯେ, ଦ୍ବିତୀୟ ବୁଦ୍ଧ ଭାବେ ପରିଚିତ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ତାଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ। ସ୍ବତନ୍ତ୍ର ଅତିଥି ଭାବେ ତିବ୍ବତୀୟ ହୋମ୍‌ ମିନିଷ୍ଟର ସୋନମ୍‌ ଖୋର୍ଲ୍ଲାସାଙ୍ଗ ଯୋଗଦେଇଥିଲେ।

ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ରାଜ୍ୟସଭା ସାଂସଦ ତଥା କିଟ୍‌ ଅନୁଷ୍ଠାନର ଅଧ୍ୟକ୍ଷ ଡ.ଅଚ୍ୟୁତ ସାମନ୍ତ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ କାର୍ତ୍ତିକେୟ ପାଣ୍ତିଆନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ସ୍ବତନ୍ତ୍ର ଆଦିବାସୀ ସେଲ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ମୋହନା ବିଧାୟିକା ସୁଶ୍ରୀ ବାସନ୍ତୀ ମଳିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର