ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌-ସୋ’

ବରଗଡ଼/ବିଜେପୁର : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଂଚିଛି। ଗୁରୁବାର ଠାରୁ ବିଜେଡି ପାଇଁ ଦୁଇଦିନିଆ ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପୁର ଏବଂ ବରପାଲି ବ୍ଲକରେ ଗୁରୁବାର ଦିନତମାମ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋଡ୍‌-ସୋ କରିଛନ୍ତି। ଆପଣମାନଙ୍କ ପାଖକୁ ଆସିଛି, ଆପଣମାନେ ଖୁସି ତ(?) ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ହାଇଟେକ୍‌ ପ୍ରଚାର ବସ୍‌ ଉପରୁ ପଥପ୍ରାନ୍ତ ସଭାଗୁଡ଼ିକରେ ସମବେତ ଜନତାଙ୍କୁ ପ୍ରଶ୍ନ କରିଥିଲେ। ଜନତାଙ୍କ ଉତ୍ତର ଶୁଣିବା ପରେ ‘ମୁଁ ବି ଖୁସି’ ବୋଲି କହିଥିଲେ। ଏଥିସହ ମୋତେ ଆଶୀର୍ବାଦ କରନ୍ତୁ ବୋଲି କହିବା ସହ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିଥିଲେ। ଏହି ଚାରି ପାଞ୍ଚ ଧାଡ଼ି ଛଡ଼ା ମୁଖ୍ୟମନ୍ତ୍ରୀ ଆଉ କିଛି କହି ନଥିଲେ କି କିଛି ନୂଆ ପ୍ରତିଶ୍ରୁତି ଦେଇନଥିଲେ।

ଗୁରୁବାର ସକାଳ ସାଢ଼େ ୧୦ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡା ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଥିଲେ। ସେଠାରୁ ରୋଡ୍‌-ସୋରେ ବାହାରି ବିଜେପୁର ବ୍ଲକ କୁର୍‌କୁଟା, ପଥର୍ଲା, ବଡ଼ବାଉଁସେନ ଛକ, ସାଇପାଲି, ଖରମୁଣ୍ଡା, ଟି-ଗଣ୍ଡପାଲି, ଚାରପାଲି, କଲଂଗାପାଲି, ଗୁଡ଼ିମୁଣ୍ଡା, ବିଜେପୁର, ବନ୍ଧପାଲି, ଗୋପେଇପାଲି, ବରଗାଁ ଛକରେ ପଥପ୍ରାନ୍ତ ସଭାରେ ଉଦ୍‌ବୋଧନ ଦେଇ ବରପାଲି ଆଇବିରେ ବିଶ୍ରାମ ନେଇଥିଲେ। ଅପରାହ୍ନ ୪ଟାରେ ବରପାଲି ଗାନ୍ଧୀଛକ, ରେମତା, କୁମ୍ଭାରୀ, ପାଟ୍‌କୁଲୁଣ୍ଡା, କାଇଁଶିର, ବାରଂଗପାଲି, ସିକିର୍ଡି, ସତଲମା, ହଲଦୀପାଲି, ଭଟିଗାଁ, ବାରଗୁଡ଼ା, ମହଦା, ତିନକାନି, ଆଗଲପୁର, ତିଲେଇମାଲ, ତେଜଂଗ, ରକ୍ସାରେ ରୋଡ୍‌-ସୋ ସାରି ବରଗଡ଼ ଫେରିଥିଲେ। ଏଠାରେ ପିଡବ୍ଲୁଡି ଆଇବିରେ ରାତ୍ରୀଯାପନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ଏଥର କୌଣସି ଦଳ ପାଇଁ ଲଢ଼େଇ ହେଉନି, ବରଂ ବିଜେପୁର ବିକାଶ ପାଇଁ ଲଢ଼େଇ ହେଉଛି। ଏହି ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ବିଜେଡି ନିର୍ବାଚନ ଲଢ଼ୁଥିବା ଦଳ ପକ୍ଷରୁ ପ୍ରଚାର କରାଯାଇଥିଲା। ଗତ ଉପନିର୍ବାଚନ ପ୍ରଚାର ବେଳେ ବରପାଲି ବ୍ଲକ ରେମ୍‌ତା ଗାଁରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲମାଡ଼ ଉଦ୍ୟମ ହୋଇଥିଲା। ତେଣୁ ଏଭଳି ଅପ୍ରୀତିକର ପରିସ୍ଥିତିକୁ ଏଥର ଏଡ଼ାଇବା ଲାଗି ସବୁ ପଥପ୍ରାନ୍ତ ସଭାସ୍ଥଳୀ ପାଖରେ ‌ପୁଲିସ୍‌ ଫୋର୍ସ ମୁତୟନ ରହିଥିଲେ।

ସମ୍ବନ୍ଧିତ ଖବର