ଶ୍ରୀମନ୍ଦିର ପାଇଁ ସ୍ୱଇଚ୍ଛାରେ ଜମି ଛାଡ଼ିଥିବା ୧୧ ପରିବାରକୁ ସମ୍ବର୍ଦ୍ଧିତ କଲେ ନବୀନ
ମୁଖ୍ୟମନ୍ତ୍ରୀ କହିଲେ-ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ବଡ ପରିଚୟ
ଭୁବନେଶ୍ୱର: ଶ୍ରୀମନ୍ଦିର ପାଇଁ ସ୍ୱେଚ୍ଛାକୃତ ଭାବେ ଜମି ଦେଇ ବୁଧବାର ୧୧ ଟି ପରିବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିକଡ଼ରୁ ସ୍ୱେଚ୍ଛାକୃତ ଭାବେ ଜାଗା ଛାଡିଥିବା ୧୧ଟି ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୧୧ ପରିବାରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ସ୍ୱଇଚ୍ଛାରେ ଜମି ଛାଡିଥିବାରୁ ଏହି ପରିବାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ବଡ ପରିଚୟ। ତେଣୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ୱଇଚ୍ଛାରେ ଜମି ପ୍ରଦାନ କରି ଏହି ପରିବାର ବଡ ତ୍ୟାଗ କରିଛନ୍ତ। ସେ କହିଛନ୍ତି, ଏଭଳି ମହାନ କାର୍ଯ୍ୟରେ ସାମିଲ ହୋଇଥିବାରୁ ଇତିହାସ ଏହି ପରିବାରକୁ ମନେ ରଖିବ ବୋଲି କହିଛନ୍ତ। ଏହାଛଡା ସ୍ୱଇଚ୍ଛାରେ ଜମି ଦେଇ ସରକାରୀ ପ୍ୟାକେଜର ସୁବିଧା ହାତେଇବାକୁ ମଧ୍ୟ ଅପିଲ କରିଛନ୍ତି ନବୀନ।
ସ୍ୱେଚ୍ଛାକୃତ ଭାବେ ଜମି ପ୍ରଦାନ କରିଥିବାରୁ ରାଜ୍ୟ ସରକାରଙ୍କ ପ୍ୟାକେଜ ଅନୁଯାୟୀ, ୧୦ପ୍ରତିଶତ ଅଧିକ ଇନସେନଟିଭ ପ୍ରଦାନ କରାଯାଇଛି ଏବଂ ଆଗାମୀ ଦିନରେ ଯେଉଁମାନେ ଜମି, ଘର ହସ୍ତାନ୍ତର କରିବେ ସେମାନଙ୍କୁ ମଧ୍ୟ ୧୦ ପ୍ରତିଶତ ଇନସେନଟିଭ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ। ଏଭଳି ମହତ୍ କାର୍ଯ୍ୟରେ ନିଜକୁ ସାମିଲ କରିଥିବାରୁ ଖୁସି ଥିବା କହିଛନ୍ତି ସମ୍ବର୍ଦ୍ଧିତ ହୋଇଥିବା ପରିବାର। ସ୍ୱଇଚ୍ଛାରେ ଜମି ଛାଡ଼ିଥିବା ପରିବାର କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ତାଙ୍କର ପ୍ରଥମ ପ୍ରାଥମିକତା।