ମୋ ବସ୍‌ ସେବା ଉଦ୍‌ଘାଟନ ସହିତ ବସରେ ସଚିବାଳୟ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ ମୋ ବସ’ ସେବା। ଆଜି ସକାଳ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁପଟ୍ଟନାୟକ ବିମାନବନ୍ଦର ଠାରେ ‘ ମୋ ବସ୍‌’ସେବାର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ମୋ ବସସେବାରେ ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କ୍ଲୋଜ ସର୍କିଟ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏହି ମୋ ସେବା ଆରମ୍ଭ ସହିତ ରାଜଧାନରେ ଏହି ବର୍ଗର ୧ଶହଟି ବସ ଆଜି ଠାରୁ ସେବା ପ୍ରଦାନ ଆରମ୍ଭ କରିଛନ୍ତି। ଆଉ ୨ଶହ ବସ୍‌ ଖୁବ୍‌ ଶୀଘ୍ର ରାଜଧାନୀ ରାଜରାସ୍ତାରେ ଗଡ଼ିବ ବୋଲି ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ବସ ଚଢ଼ି ସଚିବାଳୟକୁ ଆସିଛନ୍ତି।


ସୂଚନାଯୋଗ୍ୟ ଯେ ଆଗାମୀ ହକି ବିଶ୍ୱକପ୍‌କୁ ଆଖି ଆଗରେ ରଖି ଯାତ୍ରୀ ପରିବହନ ସେବା ଯେପରି ସୁବିଧାଜନକ ହେବ ସେଥିପାଇଁ ରାଜ୍ୟ ସରକାର ‘ମୋ ବସ’ ସେବା ଆରମ୍ଭ କରିଛନ୍ତି। ଏହି ବସରେ ଯାତ୍ରା ପାଇଁ ଘରେ ବସି ଯାତ୍ରୀମାନେ ଇ ଟିକେଟ୍‌ ବ୍ୟବସ୍ଥା କରି ପାରିବେ। ସେହିପରି ଯାତ୍ରା ସମୟରେ ଓ୍ଵାଇ ଫାଇ, ଯାତ୍ରା ସମୟରେ ବିଭିନ୍ନ ଛକ ସମ୍ପର୍କରେ ସୂଚନା ଆଦି ପାଇ ପାରିବେ। ମୋଟ୍‌ ୩ଶହ ବସ ଭୁବନେଶ୍ୱରରେ ଚାଲିବ। ସେଥିମଧ୍ୟରୁ ୨ଶହଟି ନୂଆ ବସ ଥିବାବେଳେ ଶହେଟି ପୁରୁଣା ବସକୁ ଅତ୍ୟାଧୁନିକ ଯନ୍ତ୍ରପାତିରେ ବିକଶିତ କରାଯାଇ ଏହାକୁ ମୋ ବସ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଆଜି ପ୍ରଥମ ଦଫାରେ ୧ଶହ ବସର ସେବା ଆରମ୍ଭ ହୋଇଛି। ବିଜୁପଟ୍ଟନାୟକ ବିମାନବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବା ସହିତ ଏହି ବସରେ ବସି ସଚିବାଳୟ ଆସିଛନ୍ତି।

ସମ୍ବନ୍ଧିତ ଖବର