ଆରମ୍ଭ ହେଲା ହକି ମହାକୁମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ‘ହକି ମହାକୁମ୍ଭ’ କଳିଙ୍ଗ ଆଥଲେଟିକ୍‌ ଷ୍ଟାଡିୟମ୍‌ରେ ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହେବା ସହିତ କ୍ରୀଡ଼ା ଇତିହାସରେ ଏକ ନୂତନ ପୃଷ୍ଠା ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌’କୁ ଉଦ୍‌ଘାଟନ କରିଛନ୍ତି। ତୃତୀୟ ଥର ପାଇଁ ଭାରତରେ ଆୟୋଜିତ ଏହି କ୍ରୀଡା ମହାସମରରେ ୧୬ଟି ଦେଶ ଅଂଶଗ୍ରହଣ କରିଥିବାରୁ ନିଶ୍ଚିତ ଭାବରେ ହକି ବିଶ୍ୱକପ୍‌ର ପୂର୍ବ ସଂସ୍କରଣ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତା ଓଡ଼ିଶାରେ ଅାୟୋଜିତ ହୋଇ ଏକ ନୂଅା ଇତିହାସ ରଚନା କରିଛି।

ହକି ବିଶ୍ୱକପ୍‌କୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନବୀନ କହିଛନ୍ତି, ବିଶ୍ୱକପ୍‌ ପାଇଁ ବିଶ୍ୱର କୋଣ ଅଣୁକୋଣରୁ ଏଠାକୁ ଆସିଥିବା ସମସ୍ତ ଖେଳାଳି, ପ୍ରଶଂସକ ଓ ଦର୍ଶକ ହେଉଛନ୍ତି ସାଢ଼େ ଚାରି କୋଟି ଓଡ଼ିଆଙ୍କ ଅତିଥି। ଅାତିଥ୍ୟ ପ୍ରଦାନରେ ଓଡ଼ିଶାବାସୀଙ୍କର ପ୍ରସିଦ୍ଧି ରହିଛି। ଟର୍ଣ୍ଣାମେଣ୍ଟ ଶେଷ ହେବା ଯାଏଁ ସମସ୍ତେ ଏହାକୁ ଆନନ୍ଦର ସହିତ ଉପଭୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ଅାରମ୍ଭ କରି ‘ଜୟ ହିନ୍ଦ’ରେ ଶେଷ କରିଥିଲେ। ଏଥିସହ ସେ ଏହି ହକି ବିଶ୍ବକପ ଅାୟୋଜନ କରି ଖୁସୀ ବୋଲି କହିଥିଲେ।

ହକି ବିଶ୍ୱକପ୍‌- ଚତୁର୍ଦ୍ଦଶ ସଂସ୍କରଣର ଉଦ୍‌ଘାଟନୀ ସମାରୋହ ଅବସରରେ ପ୍ରାୟ ୪୦ ହଜାର ଦର୍ଶକଙ୍କ ସମ୍ମୁଖରେ ଏ.ଆର.ରେହମାନ୍‌, ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ମାଧୁରୀ ଦୀକ୍ଷିତଙ୍କ ସମେତ ପ୍ରାୟ ଏକ ହଜାରରୁ ଅଧିକ କଳାକାର ନୃତ୍ୟ ପରିବେଷଣ କରିବେ। ଓସ୍କାର ବିଜେତା ରେହମାନ୍‌ଙ୍କ ଦ୍ୱାରା ପ୍ରସ୍ତୁତ ବିଶ୍ୱକପ୍‌ର  ସଙ୍ଗ ‘ଜୟ ହିନ୍ଦ, ଜୟ ଇଣ୍ଡିଆ’ର ଧ୍ୱନିରେ କଳିଙ୍ଗ ଷ୍ଟାଡିୟମ୍‌ ପ୍ରକମ୍ପିତ ହୋଇଛି। ସେହିପରି ଉଦ୍‌ଘାଟନୀ ସମାରୋହରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟକୁ ସ୍ଥାନ ମିଳିଛି।

ଉଦ୍‌ଘାଟନୀ ସମାରୋହ ପାଇଁ ଶାନ୍ତି ଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରି ଦିଆଯାଇଛି। ଜୟଦେବ ବିହାରଠାରୁ ଦି ଓ୍ଵାଲର୍ଡ ଛକ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥାକୁ ପୁଲିସ ନିୟନ୍ତ୍ରଣରେ ନିଆଯାଇଥିବା ବେଳେ, ୭୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ବିଶ୍ୱକପ୍‌ ପାଇଁ ୫ଶହରୁ ଅଧିକ ଅଧିକାରୀ ନିୟୋଜିତ ଥିବା ବେଳେ ୨୭୦ଟି ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି।

ଆସନ୍ତାକାଲି ଚଳିତ ହକି ବିଶ୍ୱକପ୍‌ର ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚ ଖେଳାଯିବ। ସନ୍ଧ୍ୟା ୫ଟାରେ ବେଲଜିୟମ ଏବଂ କାନାଡା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ମୁକାବିଲା ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର