କାଲି ମୁଖ୍ୟମନ୍ତ୍ରୀ ନବୀନଙ୍କ କେନ୍ଦ୍ରାପଡା ଗସ୍ତ, ବାରୋ ସିଦ୍ଧମଠ ପଡ଼ିଆ ପ୍ରସ୍ତୁତ, ଯୋଗଦେବେ ୧ ଲକ୍ଷ ମହିଳା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କେନ୍ଦ୍ରାପଡା ଗ୍ରସ୍ତ କରୁଛନ୍ତି। ନବୀନ କେନ୍ଦ୍ରାପଡା ବ୍ଲକର ବାରୋ ସିଦ୍ଧମଠ ପଡ଼ିଆରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧.୪୫ରେ ସଭାସ୍ଥଳକୁ ପହଞ୍ଚି ଅପରାହ୍ନ ୧୨.୩୦ ମିନିଟରେ ଭୁବନେଶ୍ୱର ଫେରିବେ। ମିଶନ ଶକ୍ତି ମହିଳା ସମାବେଶରେ ଲକ୍ଷାଧିକ ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶନିବାର ଆରଡିସି ଅନିଲ ସାମଲ, ଜିଲ୍ଲାପାଳ ଦାଶରଥୀ ଶତପଥୀ, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଡିଆରଡିଏର ଦିଲୀପ କୁମାର ପରିଡା, ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା ସଭାସ୍ଥଳର ପ୍ରସ୍ତୁତି ସଂପର୍କରେ ତଦାରଖ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ମହିଳା ସମାବେଶରେ କେନ୍ଦ୍ରାପଡା ଜିଲାର ୯ଟି ବ୍ଲକ ଓ କଟକ ଜିଲ୍ଲାର ୪ଟି ବ୍ଲକରୁ ପ୍ରାୟ ୧ ଲକ୍ଷ ମହିଳା ଯୋଗଦେବେ। ସମାବେଶକୁ ଆସିବାକୁ ଥିବା ଏହି ମହିଳା ମାନଙ୍କ ପାଇଁ ଶତାଧିକ ବସ ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ। ଆଇନ ଶୃଙ୍ଖଳା ସୁରକ୍ଷା ପାଇଁ ଆଜି କେନ୍ଦ୍ରାପଡା ଏସପି ନିତି ଶେଖର ପୁଲିସ ପ୍ରସ୍ତୁତି କାର୍ଯ୍ୟକ୍ରମ ତଦାରଖ କରିଛନ୍ତି। ପ୍ରାୟ ୨୫ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର