ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଣ୍ଟାମାଳ ଓ ବୌଦ୍ଧ ଗସ୍ତ: ୯୭୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

ବୌଦ୍ଧ: ସୋମାବର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଓ କଣ୍ଟାମାଳ ଗସ୍ତ କରି ୯୭୦ କୋଟି ଟଙ୍କା ମୂଲ୍ୟର ୧୩୦ଟି ବିଭିନ୍ନ ଜନମଙ୍ଗଳକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏଥିରୁ କେବଳ ୫୦୨ କୋଟି ଟଙ୍କାର ପ୍ରକଳ୍ପ କେବଳ ବୌଦ୍ଧ ନିର୍ବଚନ ମଣ୍ଡଳୀ ପାଇଁ ରହିଛି।

କଣ୍ଟାମାଳରେ ୧୧୬ କୋଟି ଟଙ୍କାର ୫୪ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ୪ଟି ହାଇଭୋଲ୍‌ଟେଜ୍‌ ସେତୁ, ୬ଟି ସଡ଼କ ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ। ଏହାଛଡ଼ା ସେଠାରେ ୩୧୦ କୋଟି ୫୯ ଲକ୍ଷ ଟଙ୍କା ମୂଲ୍ୟର ୧୦ଟି ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନାରେ ରାଜ୍ୟର ସମସ୍ତ ଚାଷୀ, ଭୂମିହୀନ, ଛୋଟ ଚାଷୀ ସମସ୍ତଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି। ଦୁଃଖର କଥା କେନ୍ଦ୍ର ସରକାରଙ୍କ ଯୋଜନାରେ ଭୂମିହୀନ, ଭାଗଚାଷୀ, ଛୋଟ ଚାଷୀଙ୍କ ପାଇଁ କିଛି ସୁବିଧା ନାହିଁ। ସେମାନଙ୍କୁ ମଧ୍ୟ କେନ୍ଦ୍ରସରକାର ତାଙ୍କ ଯୋଜନାରେ ସାମିଲ କରନ୍ତୁ। ଏଥିପାଇଁ ସେ କେନ୍ଦ୍ରସରକାରଙ୍କୁ ପତ୍ରରେ ଅନୁରୋଧ କରିଥିବା କଥା କହିଛନ୍ତି। କାଳିଆ ଯୋଜନାରେ ଯେମିତି ଜଣେ ହେଲେ ବି ବଞ୍ଚିତ ରହିବେ ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀ ନଜର ରଖିବା କଥା କହିଛନ୍ତି।

ସମ୍ବନ୍ଧିତ ଖବର