ମୁଖ୍ୟମନ୍ତ୍ରୀଙ୍କ ଅକ୍ଷିମୁଠି ଅନୁକୂଳ : ‘୨୦୧୮ରେ ଫଳିବ ସୁନାର ଫସଲ’

ଅନୁଗୁଳ/କିଶୋରନଗର : ‘ଚାଷୀ ଆମର ଗର୍ବ। ରାଷ୍ଟ୍ର ବିକାଶରେ ସେମାନଙ୍କ ବଡ଼ ଭୂମିକା ରହିଛି। ସେମାନଙ୍କ ପରିଶ୍ରମ ଯୋଗୁ ଜାତୀୟସ୍ତରରେ ଖ୍ୟାତି ଆଣିଛି ଓଡ଼ିଶା। ଲଗାତାର କୃଷି କ୍ଷେତ୍ରରେ ପୁରସ୍କାର ପାଇଛି। କୃଷିର ବିକାଶ ଓ କୃଷକର କଲ୍ୟାଣ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ସ୍ୱତନ୍ତ୍ର କୃଷି ବଜେଟ୍‌ ସାଙ୍ଗକୁ ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର, ବିହନ, ମଞ୍ଜି ଇତ୍ୟାଦି ଯୋଗାଇ ଦେବାକୁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି। ଚାଷୀମାନେ ସରକାରଙ୍କ ଏ ମହତ୍ତ୍ୱାକାଂକ୍ଷୀ ଯୋଜନାର ଫାଇଦା ନିଅନ୍ତୁ। କୃଷି ବିକାଶରେ ସମସ୍ତଙ୍କ ସକ୍ରିୟ ଯୋଗଦାନ ଜାରି ରହିଲେ ୨୦୧୮ରେ ରାଜ୍ୟରେ ସୁନାର ଫସଲ ଫଳିବ।’ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ନାକ୍‌ଚିସ୍ଥିତ ବଡ଼ଡଙ୍ଗିଆଣିଠାରେ ଅକ୍ଷୟ ତୃତୀୟ ଉପଲକ୍ଷେ ଆଜି ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ପାଳନ ଅବସରରେ ହଜାର ହଜାର ଚାଷୀଙ୍କୁ ଉଦ୍‌ବୋଧନ ଦେଇ ଏ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୃଷି ଓ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାର ସର୍ବଦା କୃଷିର ଉନ୍ନତି ଓ କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଏଥିପାଇଁ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୧ ପ୍ରତିଶତ ସୁଧ ହାରରେ ଋଣ ଯୋଗାଇ ଦିଆଯାଉଛି। ୨୦୧୮ବର୍ଷ ରାଜ୍ୟରେ ସୁନାର ଫସଲ ଫଳିବ ଓ ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ଖୁସି ଆଣି ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

ନିର୍ଧାରିତ ସମୟ ୧୦ଟା ୩୫ରେ ମୁଖ୍ୟମନ୍ତ୍ରୀ ବଡ଼ଡଙ୍ଗିଆଣି ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ନାକ୍‌ଚି ହାଇସ୍କୁଲ ଛକଠାରେ ପ୍ରଥମେ ଅକ୍ଷିମୁଠି ଅନୁକୂଳ ଓ ଭୂମି ପୂଜା କରିଥିଲେ। ଆଠମଲ୍ଲିକବାସୀଙ୍କ ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩୪କୋଟି ୯୮ଲକ୍ଷ ୩୮ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ୧୭୭କୋଟି ୫୬ଲକ୍ଷ ୭ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ପଥପ୍ରାନ୍ତ ସୁବିଧା କେନ୍ଦ୍ର ଉଦ୍‌ଘାଟନ କରିବା ସହ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ।

ରାଜ୍ୟ ସ୍ତରୀୟ କୃଷକ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ଆଠମଲ୍ଲିକ ବିଧାୟକ ସଂଜୀବ ସାହୁ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡା. ଏମ୍‌. ମୁଥୁ କୁମାର, କିଶୋରନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପ୍ରଧାନ, ଆଠମଲ୍ଲିକ ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନାକ୍ଷି ଦଳେଇ, ଅନୁଗୁଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିରଂଜନ ଦେହୁରୀ, ରାଜ୍ୟ ସମବାୟ ବ୍ୟାଙ୍କ୍‌ ସଭାପତି ଅକ୍ଷୟ ମହାନ୍ତି, ଟାମ୍‌ଡା ଅଧ୍ୟକ୍ଷ ଶକ୍ତିପ୍ରସାଦ ପଟ୍ଟନାୟକ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ ପ୍ରାରମ୍ଭିକ ଅଭିଭାଷଣ ଓ ଜିଲ୍ଲାପାଳ ଅନିଲ ସାମଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର