‘୮୦ ବର୍ଷର ଓଡ଼ିଶା ବଜେଟ୍‌’ ପୁସ୍ତକ ଲୋକାର୍ପିତ : ୮୦ ବର୍ଷରେ ବଜେଟ୍‌ ବଢ଼ିଛି ୬୭,୮୧୨ଗୁଣ

ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହିଭଳି ପୁସ୍ତକ ପ୍ରକାଶ କଲା, ‘ବେମାରୁ’ ରାଜ୍ୟ ନୁହେଁ, ଏବେ ବିକାଶ ପଥରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରଠାରୁ ୨୦୧୮ ମଧ୍ୟରେ ଓଡ଼ିଶା ପାଇଁ ଉପସ୍ଥାପନ ହୋଇଥିବା ୮୦ ବର୍ଷର ବଜେଟ୍‌କୁ ନେଇ ପୁସ୍ତକ ‘୮୦ ବର୍ଷର ଓଡ଼ିଶା ବଜେଟ୍‌- ଏକ ସ୍ମରଣୀୟ ପ୍ରକାଶନ’ ଆଜି ଲୋକାର୍ପିତ ହୋଇଛି। ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପୁସ୍ତକଟିକୁ ଲୋକର୍ପିତ କରିଛନ୍ତି। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ବିଗତ ବର୍ଷଗୁଡ଼ିକରେ ଉପସ୍ଥାପନ ହୋଇଥିବା ବଜେଟ୍‌କୁ ନେଇ ସ୍ୱତନ୍ତ୍ର ପୁସ୍ତକ ପ୍ରକାଶ କରିଛି।

ଏହି ପୁସ୍ତକଟିକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହା ଏକ ସ୍ୱତନ୍ତ୍ର ପୁସ୍ତକ। ଓଡ଼ିଶାର ସମୃଦ୍ଧ ଇତିହାସରୁ ଆରମ୍ଭ କରି ବିଗତ ବର୍ଷଗୁଡ଼ିକରେ ହୋଇଥିବା ସାମାଜିକ-ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ପରିବର୍ତ୍ତନର ଝଲକ ଏହି ପୁସ୍ତିକାରେ ଉପସ୍ଥାପନ କରାଯାଇଛି। ଏହା ମେଧାବୀ, ଗବେଷକ ଏବଂ ନୀତି ନିର୍ଧାରକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଭାବେ କାର୍ଯ୍ୟ କରିବ।

ବଜେଟ୍‌ ସରକାରଙ୍କ ନୀତିର ଦର୍ପଣ ସଦୃଶ୍ୟ କାର୍ଯ୍ୟ କରେ। ୧୯୩୬ ମସିହାରୁ ଉପସ୍ଥାପନ ହୋଇଥିବା ଗତ ୮୦ଟି ବଜେଟକୁ ଦେଖିଲେ ରାଜ୍ୟର ବିକାଶ ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି। ୧୯୩୬-୩୭ରେ ଓଡ଼ିଶା ପାଇଁ ୧.୭୭କୋଟିର ବଜେଟ୍‌ ଉପସ୍ଥାପନ ହୋଇଥିବାବେଳେ ୨୦୦୦ ମସିହାରେ ବିଜେଡି ସରକାର ଗଠନ କରିବାବେଳେ ୧୪ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ ହୋଇଥିଲା। କିନ୍ତୁ ୨୦୧୮-୧୯ରେ ଏହା ୧ଲକ୍ଷ ୨୦ହଜାର ୨୮କୋଟି ଟଙ୍କାରେ ପହଞ୍ଚିଛି। ଗତ ୮୦ ବର୍ଷରେ ବଜେଟ୍‌ ଉପସ୍ଥାପନ ୬୭,୮୧୨ଗୁଣ ବଢ଼ିଯାଇଛି। ଏହା ହିଁ ସରକାରଙ୍କର ରାଜ୍ୟର ବିକାଶ ପାଇଁ ଯୋଜନାକୁ ଦର୍ଶାଉଛି। ଏହି ପୁସ୍ତକଟି ଓଡ଼ିଶା ବିକାଶର ଦର୍ପଣ ସଦୃଶ୍ୟ।

ରାଜ୍ୟ ସରକାର ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି। ଓଡ଼ିଶା ଏବେ ବିକାଶ ପଥରେ। ଓଡ଼ିଶା ଆଉ ‘ବେମାରୁ’ ରାଜ୍ୟ ହୋଇ ରହିନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ।

ରାଜ୍ୟ ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଏହି ପୁସ୍ତକ ବିଧାନସଭା ଓ ରାଜ୍ୟ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌। ଇଂରେଜ ସମୟରେ ବୈଧାନିକ ବ୍ୟବସ୍ଥା ଏବଂ ବର୍ତ୍ତମାନର ବ୍ୟବସ୍ଥା ସମ୍ପର୍କରେ ଏଥିରେ ସୂଚନା ଦିଆଯାଇଛି। ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ସମୟ ଅନୁଯାୟୀ ଓଡ଼ିଶାର ବିକାଶ ହୋଇଛି। ଓଡ଼ିଶାର ସମସ୍ତ ଅଞ୍ଚଳ ସମ୍ପର୍କରେ ଏଥିରେ ସୂଚନା ଦିଆଯାଇଛି। ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ବୈଷମ୍ୟ, ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ଆମେ ସମସ୍ତେ ଉଦମ୍ୟ କରିବା ଦରକାର। ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍‌ ଯେଉଁ ଥିଓରି ପାଇଁ ନୋବେଲ୍‌ ପୁରସ୍କାର ପାଇଛନ୍ତି ତାହାକୁ ଅନୁଧାନ୍ୟ କଲେ ଓଡ଼ିଶାର ବିକାଶ ଅଧିକ ହୋଇପାରିବ। ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷିକୁ ଅଗ୍ରାଧିକାର ଦିଆଯିବା ଦରକାର ବୋଲି ଶ୍ରୀ ମିଶ୍ର କହିଥିଲେ। ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା କହିଲେ ଯେ, ରାଜ୍ୟର ଅର୍ଥନୀତି ଉପରେ ଗବେଷଣା ପାଇଁ ଏହି ପୁସ୍ତକ ସହାୟକ ହେବ। ଉନ୍ନୟନ କମିସନର ତଥା ଏହି ପୁସ୍ତକର ମୁଖ୍ୟ ସମ୍ପାଦକ ଆର୍‌.ବାଲକ୍ରିଷ୍ଣନ ସ୍ୱାଗତ ଭାଷଣ ଦେଇ କହିଲେ, ଏହି ପୁସ୍ତକ ରଚନା କରିବା ପାଇଁ ଲଣ୍ଡନ, ଚିକାଗୋ, ଚେନ୍ନାଇ ଆଦି ସ୍ଥାନରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି। ଏହା ଓଡ଼ିଶା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ହେବ। ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ। ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ୪୩୬ ପୃଷ୍ଠାର ଏହି ପୁସ୍ତକରେ ୧୯୩୬ ମସିହାରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ସାର୍‌ ଜନ୍‌ ଅଷ୍ଟିନ୍‌ ହୁବାକ୍‌ଙ୍କ ଉପସ୍ଥିତିରେ ତତ୍କାଳୀନ ମୁଖ୍ୟ ସଚିବ ପି.ଟି ମ୍ୟାନ୍ସଫିଲ୍ଡ ପୁରୀର ଟାଉନ୍‌ ହଲ୍‌ ଠାରେ ଉପସ୍ଥାପନ କରିଥିବା ବଜେଟ୍‌ରୁ ଆରମ୍ଭ କରି ବର୍ତ୍ତମାନର ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟ୍‌ ବିଷୟରେ ସବିଶେଷ ତଥ୍ୟ ଓ ସୂଚନା ରହିଛି। ଏଥିରେ କିପରି ୧୯୩୭ରୁ ୧୯୩୯ ମସିହା ପର୍ଯ୍ୟନ୍ତ ଅର୍ଥାଭାବରୁ କର୍ମଚାରୀ ଛଟେଇ ହୋଇଥିଲା, ବେତନ ବନ୍ଦ କରାଯାଇଥିଲା ତାହାର ସୂଚନା ରହିଛି।  ୧୯୯୯ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଓଡ଼ିଶାର ସଙ୍କଟଜନକ ଅର୍ଥନୀତିର ଚିତ୍ର ବି ଉଲ୍ଲେଖ କରାଯାଇଛି।  ୨୦୦୬ ମସିହାରୁ କିପରି ରାଜ୍ୟ ଅର୍ଥନୀତିରେ ଅଗ୍ରଗତି ଘଟିଲା, ସରକାର କ’ଣ ପଦକ୍ଷେପ ନେଲେ, ବଜେଟ୍‌ କିପରି ସୁପରିଚାଳନା ହେଲା ସେ ସଂପର୍କିତ ତଥ୍ୟ ମଧ୍ୟ ଏହି ପୁସ୍ତକରେ ଉପଲବ୍ଧ ଥିବା ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ଅର୍ଥ ବିଭାଗ ଦ୍ୱାରା ପ୍ରକାଶ ପାଇଥିବା ଏହି ପୁସ୍ତକଟିର ମୂଲ୍ୟ ୧୫୦୦ଟଙ୍କା ରହିଥିବାବେଳେ ଏହା ମଙ୍ଗଳବାର ଠାରୁ ଜୟଦେବ ଭବନରେ ବିକ୍ରି ହେବ। ଅନଲାଇନ୍‌ରେ ମଧ୍ୟ ଏହି ପୁସ୍ତକ ଉପଲବ୍ଧ ହେଉଛି। [email protected] େଓ୍ଵବସାଇଟ୍‌ରେ ଏହା ଉପଲବ୍ଧ ହେଉଛି। ଏହି ପୁସ୍ତକରେ ୫ଟି ଚାପ୍ଟର ଅଛି।

ସମ୍ବନ୍ଧିତ ଖବର