୪ଜିଲ୍ଲାରେ କାମ କରିବ ସିଏମ୍‌ସି ଭେଲୋର

ରାଜଧାନୀରେ ଖୋଲିବ ପ୍ରକଳ୍ପ ପରିଚାଳନା କାର୍ଯ୍ୟାଳୟ

0 41

ଭୁବନେଶ୍ୱର : ରାଜ୍ୟରେ ସିକିଲସେଲ ଓ ଥାଲସେମିଆ ରୋଗ ନିୟନ୍ତ୍ରଣ ନେଇ ସରକାରଙ୍କ ପକ୍ଷରୁ ଏକ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ସିଏମ୍‌ସି ଭେଲୋର ସହିତ ବୁଝାମଣାପତ୍ର ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ରାଜ୍ୟର ୪ଟି ଜିଲ୍ଲାରେ ପାଇଲଟ ବେସିସ୍‌ରେ ସିଏମ୍‌ସି ଭେଲୋର କାର୍ଯ୍ୟ ଆରମ୍ଭ କରିବ। ଆଗାମୀ ଦିନଗୁଡ଼ିକରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଏହା କାର୍ଯ୍ୟ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ କୁହାଯାଇଛି।

ଚଳିତବର୍ଷ ମୟୂରଭଞ୍ଜ, କଟକ, ବାଲେଶ୍ୱର ଓ କୋରାପୁଟ ଜିଲ୍ଲାରେ ସିଏମ୍‌ସି ଭେଲୋର କାର୍ଯ୍ୟ କରିବ। ଆସନ୍ତାବର୍ଷ ଆଉ ୧୫ଟି ଜିଲ୍ଲାକୁ ଏହା ସଂପ୍ରସାରିତ ହେବା ସହିତ ତୃତୀୟ ବର୍ଷରେ ସମସ୍ତ ଜିଲ୍ଲାରେ କାର୍ଯ୍ୟ କରିବ। ଏଥିରେ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ସିକିଲସେଲ ଓ ଥାଲାସେମିଆ ଆକ୍ରାନ୍ତ ସଂପର୍କରେ ସ୍କ୍ରିନିଂ କରାଯାଇ ଚିହ୍ନଟ, ପରାମର୍ଶ ତଥା ଚିକିତ୍ସା କରାଯିବ। ଭୁବନେଶ୍ୱରରେ ଆସନ୍ତା ୩ମାସ ମଧ୍ୟରେ ସିଏମସି ଭେଲୋରର ଏକ ପ୍ରକଳ୍ପ ପରିଚାଳନା କାର୍ଯ୍ୟାଳୟ ଖୋଲିବ। ପ୍ରସ୍ତୁତ ହୋଇଥିବା ରୋଡମ୍ୟାପ୍‌ରେ ୩୦ଟି ଜିଲ୍ଲାର ୬୦ଜଣ ମେଡିକାଲ ଅଫିସରଙ୍କୁ ତାଲିମ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି। ସୂଚନା ଯେ, ପୂର୍ବରୁ ବୁର୍ଲା ଭିମସାରରେ ସିକିଲସେଲ ପ୍ରକଳ୍ପ କାର୍ଯ୍ୟ କରୁଛି। ଏଥିରେ ପଶ୍ଚିମାଞ୍ଚଳର ୧୨ଟି ଜିଲ୍ଲା ସାମିଲ ହୋଇଛି। ତେବେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଏହି ରୋଗୀ ଚିହ୍ନଟ ହେଉଥିବା ବେଳେ ସବୁ ଜିଲ୍ଲାରେ ଏହି ରୋଗ ନିୟନ୍ତ୍ରଣକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସିକିଲସେଲ ଓ ଥାଲାସେମିଆ ଭଳି ରୋଗ ଚିହ୍ନଟ, ଚିକିତ୍ସା ଓ ସଚେତନତା ସୃଷ୍ଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡା.ବସନ୍ତ କୁମାର ପଣ୍ଡା, ବୁର୍ଲା ସିକିଲସେଲ ପ୍ରକଳ୍ପ ଅଧିକାରୀ ପ୍ରଫେସର ଡା.ପି କେ ଅଧିକାରୀ, ଏସ୍‌ସିବିର ପ୍ରଫେସର ଡା. ପଙ୍କଜ ପରିଡ଼ା, ଭେଲୋରର ଡା.ଆଲୋକ ଶ୍ରୀବାସ୍ତବଙ୍କ ସହିତ ଏକ ୭ଜଣିଆ ପ୍ରତିନିଧି ଦଳ, ଡିଏମ୍‌ଇଟି ଓ ଡିଏଚ୍‌ଏସ୍‌ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.