କଠିନ ପରିସ୍ଥିତିରେ ଅର୍ଥନୀତି ଅପେକ୍ଷା ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆମେ ନିଷ୍ପତ୍ତି ନେଇଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହେଇଛି । ଏହି କଠିନ ପରିସ୍ଥିତି ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆମେ ନିଷ୍ପତ୍ତି ନେଇଛୁ ବୋଲି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି ।

ବାର୍ତ୍ତା ଆରମ୍ଭରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଭଳି ଭାବରେ ସହଯୋଗ ଓ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।

ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡୁଛି । ଅନେକ ତ୍ୟାଗ କରିବାକୁ ପଡୁଛି, କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକମାତ୍ର ବାଟ ।

ଗତ ମାର୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କେସ୍ ଆସିଲା ତା’ ପରଠାରୁ ଆଜି ପର୍ଯ୍ୟନ୍ତ ୪୨ଟି କେସ୍ ଆସିଛି । ଏହି ସମୟ ମଧ୍ୟରେ ଆପଣମାନଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ଶକ୍ତି ଦେଇଛି ।

ଏହି ସମୟ ମଧ୍ୟରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା କେସ୍ ୩୦୦୦ରୁ ଆସି ୪ ଲକ୍ଷରେ ପହଞ୍ଚିଛି । ୯/୧୧ ଆତଙ୍କବାଦୀ ଆକ୍ରମଣ ଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳି ଦେଇଥିଲେ ତା’ ଠାରୁ ଅଧିକ ଲୋକ କରୋନା ଶିକାର ହୋଇଛନ୍ତି । ତଥାପି ଆମେରିକା ସମ୍ପୂର୍ଣ୍ଣ ଭାବରେ ଲକଡାଉନ୍ କରିନାହିଁ ।

ଏହି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହେଇଛି । ଏହି କଠିନ ପରିସ୍ଥିତି ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆମେ ନିଷ୍ପତ୍ତି ନେଇଛୁ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଲକଡାଉନ୍ ସମୟସୀମା ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି କଲୁ । ରାଜ୍ୟ କ୍ୟାବିନେଟ୍ ଆଜି ଲକଡାଉନ୍ ସମୟ ସୀମା ଏପ୍ରିଲ୍ ୩୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛି । ସେହିପରି ଏପ୍ରିଲ ୩୦ ପର୍ଯ୍ୟନ୍ତ ରେଳ ଓ ବିମାନ ସେବା ବନ୍ଦ ରଖିବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ ।

ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ରହିଯାଇଥିବା ଆମର ଶ୍ରମିକ ଭାଇଭଉଣୀମାନଙ୍କ ଯତ୍ନ ନେବା ପାଇଁ ଆମେ ସେ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ । ଓଡ଼ିଶା ସରକାର ମଧ୍ୟ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକ ବନ୍ଧୁମାନଙ୍କର ଯତ୍ନ ନେଉଛନ୍ତି ।

ଏହି ଲକଡାଉଡାଉନ ସମୟରେ କୃଷିକାର୍ଯ୍ୟ ଜାରି ରହିବ । ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଏନ୍.ଆର୍.ଇ.ଜି.ଏସ୍. କାର୍ଯ୍ୟକ୍ରମ ଜାରି ରହିବ । କିନ୍ତୁ, ଏ ସବୁ କାମରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବରେ ପାଳନ କରାଯିବ । ଲୋକଙ୍କ ଖାଦ୍ୟ ନିରାପତ୍ତା ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲକଡାଉଡନ୍ ସମୟରେ ଯେପରି ମାଲ୍ ପରିବହନରେ ବାଧା ସୃଷ୍ଟି ନ ହୁଏ ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି ।

ରାଜ୍ୟରେ କୋଭିଡ୍ ଟେଷ୍ଟିଙ୍ଗ୍ ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି । ଖୁବ୍ ଶୀଘ୍ର ରାଜ୍ୟରେ ୧ ଲକ୍ଷ ରେପିଡ୍ ଟେଷ୍ଟିଙ୍ଗ୍ ସୁବିଧା ବିକାଶ କରିବାକୁ ଆମେ ପଦକ୍ଷେପ ନେଉଛୁ ।

ଯେଉଁ ଡାକ୍ତରମାନେ ମୋର ଅନୁରୋଧ ରକ୍ଷାକରି ଟେଲିମେଡିସିନ୍ ସେବା ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।
ମୁଁ ଘୋଷଣା କରୁଛି ରାଜ୍ୟର ସବୁ ସ୍କୁଲ୍ କଲେଜ୍ ଜୁନ୍୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

କରୋନା ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ଼ ଶତ୍ରୁ ଭାବରେ ଦେଖାଦେଇଛି । ଜୀବନଯାତ୍ରା ଆଉ ଆଗ ଭଳି ରହିନାହିଁ । ଆମେ ସମସ୍ତେ ଏହା ବୁଝିବା ଦରକାର ଏବଂ ସାହସର ସହ ମିଳିତ ଭାବରେ ଏହାର ମୁକାବିଲା ପାଇଁ କାମ ରହିବା ଦରକାର । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ସମସ୍ତଙ୍କ ତ୍ୟାଗ ହିଁ ଏ କଠିନ ପରିସ୍ଥିତିରୁ ଆମକୁ ଶୀଘ୍ର ମୁକୁଳାଇ ପାରିବ ।

ସମ୍ବନ୍ଧିତ ଖବର