ଆଜିଠୁ ଗଡ଼ିବ ସିଏନ୍‌ଜି ଅଟୋ, ସ୍କୁଟର

ରାଜଧାନୀରେ ଦୁଇଟି ସିଏନ୍‌ଜି ଷ୍ଟେସନ ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ଚନ୍ଦ୍ରଶେଖରପୁର : ଶନିବାରଠାରୁ ରାଜଧାନୀରେ କମ୍ପ୍ରେସ୍‌ଡ ନାଚୁରାଲ୍‌ ଗ୍ୟାସ୍‌ (ସିଏନ୍‌ଜି) ଚାଳିତ ସ୍କୁଟର ଓ ଅଟୋ ଚଳାଚଳ ଆରମ୍ଭ ହେବ। ସହର ଭିତରେ ଡିଜେଲ ଚାଳିତ ଅଟୋ ବଦଳରେ ଗଡ଼ିବ ସିଏନ୍‌ଜି ଚାଳିତ ଅଟୋ। ସେହିପରି ସିଏନ୍‌ଜି ଚାଳିତ ବିଏସ୍‌୩ ମଡେଲର ଦୁଇଚକିଆ ଯାନ(ସ୍କୁଟର)ର ମଧ୍ୟ ଶୁଭାରମ୍ଭ କରାଯିବ। କେନ୍ଦ୍ର ତୈଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ରାଜଧାନୀର ଚନ୍ଦ୍ରଶେଖରପୁର ଓ ପଟିଆରେ ଦୁଇଟି ସିଏନ୍‌ଜି ଷ୍ଟେସନର ଉଦ୍‌ଘାଟନ କରିବେ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‍ର ନିର୍ଦ୍ଦେଶକ (ପ୍ରକଳ୍ପ) ଆଶୁତୋଷ କର୍ଣ୍ଣାଟକା। ଗେଲ୍‌ ଦ୍ୱାର କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଏବଂ ସହରୀ ଗ୍ୟାସ୍‌ ବିତରଣ (ସିଜିଡି) ପ୍ରକଳ୍ପ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏହା ସହିତ ଗେଲ୍‌ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଯୁବକଙ୍କ ଦକ୍ଷତା ବିକାଶ, ପ୍ରାକୃତିକ ଗ୍ୟାସ ଯୋଗାଣ ନିମନ୍ତେ ବିଭିନ୍ନ ଶିଳ୍ପସଂସ୍ଥା ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ମଧ୍ୟ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଥିବା ଶ୍ରୀ କର୍ଣ୍ଣାଟକା ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପାରମ୍ପରିକ ଇନ୍ଧନ ତୁଳନାରେ ସିଏନ୍‌ଜି ଅଧିକ ପରିବେଶ ଉପଯୋଗୀ ହୋଇଥିବା କାରଣରୁ ଏହା ବାୟୁ ପ୍ରଦୂଷଣ ରୋକିବାରେ ସହାୟକ ହୋଇଥାଏ। ଏହି ଇନ୍ଧନ କେଜି ପ୍ରତି ମାତ୍ର ୫୯ ଟଙ୍କା ହୋଇଥିବା ଏବଂ ଅଧିକ ମାଇଲେଜ୍‌ ଦେଖାଉଥିବାରୁ ଅଟୋ ଚାଳକମାନେ ଏଥିରୁ ବ୍ୟବସାୟିକ ଲାଭ ମଧ୍ୟ ପାଇପାରିବେ। ତେବେ ଗୋଟିଏ ଡିଜେଲ ଚାଳିତ ଅଟୋରେ ସିଏନ୍‌ଜି ବ୍ୟବସ୍ଥା କରିବାକୁ ହେଲେ ୩୫,୦୦୦ ଟଙ୍କା ଖର୍ଚ୍ଚ ହେବ। ବଜାଜ, ଅତୁଲ, ପିଆଜିଓ ଏବଂ ଟିଭିଏସ୍‌ ଆଦି କମ୍ପାନିର ରହିଥିବା ବିଭିନ୍ନ ମଡେଲ୍‌ର ଅଟୋଗୁଡ଼ିକୁରେ ସିଏନ୍‌ଜି ବ୍ୟବସ୍ଥା ଖଞ୍ଜି ହେବ। ଗୋଟିଏ ଅଟୋରେ ୪କେଜି ସିଏନ୍‌ଜି ରହି ପାରୁଥିବା ଟାଙ୍କିର ବ୍ୟବସ୍ଥା ଥିବାବେଳେ କେଜି ପିଛା ଏହା ୬୦ କିମି ଯାଇପାରିବ। ସିଏନ୍‌ଜି ବ୍ୟବସ୍ଥା କଲାପରେ ମଧ୍ୟ ଅଟୋରେ ଡିଜେଲ ବ୍ୟବସ୍ଥା ଅତୁଟ ରହିବ। ସେହିପରି ଏକ ବିଏସ୍‌୩ ମଡେଲର ସ୍କୁଟିରେ ଏହି ବ୍ୟବସ୍ଥା ଲଗାଇବାକୁ ହେଲେ ୧୫,୦୦୦ ଟଙ୍କା ଖର୍ଚ୍ଚ ହେବ। ପ୍ରାୟ ୨କେଜି ସିଏନ୍‌ଜି ଧରୁଥିବା ଏକ ଟାଙ୍କି ରହିବ ଏବଂ ଏହା ଏକ କେଜି ସିଏନ୍‌ଜରେ ୮୦ କିମି ଯାତ୍ରା କରିପାରିବ। ତେଣୁ ଉଭୟ ଦୁଇ ଚକିଆ ଓ ତିନି ଚକିଆ ବାହାନରେ ସିଏନ୍‌ଜିର ବ୍ୟବହାର ଖୁବ୍‌ ଲାଭଦାୟକ ବୋଲି ଶ୍ରୀ କର୍ଣ୍ଣାଟକା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଉପରୋକ୍ତ ଅଟୋ କମ୍ପାନିଗୁଡ଼ିକ ନୂଆ ଗାଡ଼ିରେ ସିଏନ୍‌ଜି ବ୍ୟବସ୍ଥା ସଂଯୁକ୍ତ କରିଦେଉଛନ୍ତି। ଲୋକମାନେ ସେମାନଙ୍କ ଦୁଇଚକିଆ ଯାନକୁ ସିଏନ୍‌ଜିରେ ରୂପାନ୍ତରିତ କରିବା ପାଇଁ ଗେଲ୍‌, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସହ ଅନୁବନ୍ଧିତ ହୋଇ ଏକ ସହଜସାଧ୍ୟ ବିତ୍ତୀୟ ଯୋଜନା ଆରମ୍ଭ କରିଛି। ଏହାଦ୍ୱାରା ହିତାଧିକାରୀମାନେ ନିଜର ସ୍କୁଟରକୁ ପ୍ରତି ମାସରେ ୫୦୦ଟଙ୍କା କିସ୍ତି (ଇଏମ୍‌ଆଇ) ମାଧ୍ୟମରେ ସିଏନ୍‌ଜି ବ୍ୟବସ୍ଥା କରିପାରିବେ।

ସଂପ୍ରତି ରାଜଧାନୀରେ ୪୦ରୁ ଉର୍ଧ୍ୱ ସିଏନ୍‌ଜି ଚାଳିତ ଅଟୋ ରହିଛି। ସିଏନ୍‌ଜିର ଚାହିଦାକୁ ଲକ୍ଷ୍ୟ କରି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୫ଟି ସିଏନ୍‌ଜି ଷ୍ଟେସନ ସ୍ଥାପନ କରିବାର ଯୋଜନା ରହିଛି। ରମାମଣି ପେଟ୍ରୋଲ ପମ୍ପ, ଖଣ୍ଡଗିରି ଏବଂ ସ୍ୱାଗତ ପେଟ୍ରୋଲ ପମ୍ପ୍‌ ତମାଣ୍ଡୋରେ ମଧ୍ୟ ଖୁବ୍‌ଶୀଘ୍ର ଆଉ ଦୁଇଟି ସିଏନ୍‌ଜି ଷ୍ଟେସନ କାର୍ଯ୍ୟ ଆରମ୍ଭ କରିବା ନେଇ ଗେଲ୍‌ ପକ୍ଷରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ଓ କଟକରେ ୪୦୦ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରାଯିବ। ଆସନ୍ତା ବର୍ଷ ଏହି ଦୁଇ ସହରରେ ୧.୫ଲକ୍ଷ ଗାଡ଼ିକୁ ସିଏନ୍‌ଜି ଇନ୍ଧନ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସିଏନ୍‌ଜି ଚାଳିତ ସ୍କୁଟର ଦିଲ୍ଲୀ, ମୁମ୍ବାଇ ଏବଂ ପୁଣେ ସହର ପରେ ଭୁବନେଶ୍ୱରରେ ଉପଲବ୍ଧ ହେବ। ଆଜିର ସାମ୍ବାଦିକ ସମ୍ମିଳନୀରେ ବନ୍ଦନା ଚନାନା, କେ ବି ସିଂ, ଏ କେ ଶ୍ରୀବାସ୍ତବ, ଏସ୍‌ କେ ପାଠକ ପ୍ରମୁଖ ଉପସ୍ଥିତ ଥିଲେ।

ସିଏନ୍‌ଜି ସୁରକ୍ଷା କର୍ମଶାଳା ୨୩ରୁ

ଗାଡ଼ିରେ ସିଏନ୍‌ଜି ଭରୁଥିବା କର୍ମଚାରୀମାନଙ୍କୁ ଏନେଇ ରହିଥିବା ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ସଚେତନ କରିବା ପାଇଁ ଗେଲ୍‌ ଆସନ୍ତା ୨୩ ଓ ୨୪ ତାରିଖରେ ପେଟ୍ରୋଲିଅମ୍‌ ସେଫ୍‌ଟି ଅର୍ଗାନାଇଜେସନ (ପିଇଏସ୍‌ଓ) ସହାୟତାରେ ଏକ କର୍ମଶାଳାର ଆୟୋଜନ କରିବ। ବିପିସିଏଲ୍‌, ଆଓସିଏଲ୍‌, ଏଚ୍‌ପିସିଏଲ୍‌ ଆଦି ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନାଗପୁରରୁ ମୁଖ୍ୟ ସୁରକ୍ଷା ଅଧିକାରୀ ଆସି ପ୍ରଶିକ୍ଷଣ ଦେବା ନେଇ ଗେଲ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପରେ ପରେ ରାଜଧାନୀର ଅଟୋ ଚାଳକଙ୍କ ନିମନ୍ତେ ମଧ୍ୟ ଏହି ପ୍ରକାର ସଚେତନତା କର୍ମଶାଳା ଆୟୋଜନ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର