କଟକ, ଭୁବନେଶ୍ୱରରେ ବିଛାହେବ ୨୦୦ କିମି ଗ୍ୟାସ୍‌ ପାଇପ୍‌ ଲାଇନ୍‌

ରାଜଧାନୀରେ ସିଏନ୍‌ଜି ଷ୍ଟେସନ ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଓ କଟକରେ ୧୦୦ କିମି ଲେଖାଏଁ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବିଛାଯିବ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଏବଂ ସହରୀ ଗ୍ୟାସ୍‌ ବିତରଣ ପ୍ରକଳ୍ପ ଜରିଆରେ ଦୁଇ ସହରରେ ପାଇପ୍‌ଲାଇନ୍‌ ନିର୍ମାଣ କରାଯିବ। ସହରର କୋଣ ଅନୁକୋଣରେ ଏହି ପାଇପ୍‌ଲାଇନ୍‌ ପହଞ୍ଚିବ। ସେହି ପାଇପ୍‌ ଜରିଆରେ ଲୋକମାନଙ୍କ ଘରେ ଘରେ ଗ୍ୟାସ୍‌ ପହଞ୍ଚିବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ରାଜଧାନୀର ଚନ୍ଦ୍ରଶେଖପୁରସ୍ଥିତ ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ଲିମିଟେଡ୍‌ (ବିପିସିଏଲ୍‌) ପେଟ୍ରୋଲ୍‌ ପମ୍ପ୍‌ଠାରେ କମ୍ପ୍ରେସଡ୍‌ ନାଚୁରାଲ୍‌ ଗ୍ୟାସ୍‌ (ସିଏନ୍‌ଜି) ଷ୍ଟେସନ୍‌କୁ ଉଦ୍‌ଘାଟନ କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବିଛାଇବା ଦିଗରେ କଟକ ଓ ଭୁବନେଶ୍ୱରରେ ୧୭୦୦ କୋଟି ଟଙ୍କା ବିନିଯୋଗ ହେବ। ଏହି ପାଇପ୍‌ ଜରିଆରେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ କରାଯିବ। ତାହା ରୋଷେଇଠାରୁ ଆରମ୍ଭ କରି ଗାଡ଼ିମଟର ଆଦିରେ ବ୍ୟବହାର କରାଯିବ। ଏହି ପ୍ରକଳ୍ପ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହେବ ସେ ଦିଗରେ ରାଜ୍ୟ ସରକାର ସବୁ ପ୍ରକାର ସହାୟତା କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଆଜି ଚନ୍ଦ୍ରଶେଖରପୁର ଓ ପଟିଆଠାରେ ଦୁଇଟି ସିଏନ୍‌ଜି ଷ୍ଟେସନ୍‌ ଉଦ୍‌ଘାଟିତ ହୋଇଥିବାବେଳେ ଆଗାମୀ ଦିନରେ ସହରର ଅଧିକ ସ୍ଥାନରେ ସିଏନ୍‌ଜି ଷ୍ଟେସନ୍‌ ଖୋଲାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଖଣ୍ଡଗିରି ଏବଂ ତମାଣ୍ଡୋରେ ଦୁଇଟି ସିଏନ୍‌ଜି ଷ୍ଟେସନର ନିର୍ମାଣ ଚାଲିଛି। ଆସନ୍ତା ବର୍ଷ ସୁଦ୍ଧା ଉଭୟ କଟକ ଓ ଭୁବନେଶ୍ୱରରେ ସିଏନ୍‌ଜି ଷ୍ଟେସନ୍‌ ସଂଖ୍ୟା ୨୫ରେ ପହଞ୍ଚାଇବାକୁ ଏବଂ ଏହି ସବୁ ଷ୍ଟେସନ୍‌ ଜରିଆରେ ୧.୫ ଲକ୍ଷ ଗାଡ଼ିକୁ ସିଏନ୍‌ଜି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।

ଏବେ ପ୍ରାକୃତିକ ଗ୍ୟାସ୍‌ ଭର୍ତ୍ତି ଥିବା ସ୍ୱତନ୍ତ୍ର କଣ୍ଟେନର୍‌ ବା ‘କ୍ୟାସ୍‌କେଡ୍‌’ ସ୍ଥଳପଥ ଦେଇ ଆନ୍ଧ୍ରର ବିଜୟଓ୍ଵାଡ଼ାରୁ ଆସି ଭୁବନେଶ୍ୱରରେ ପହଞ୍ଚିବ। ଜଦଦୀଶପୁର-ହଲ୍‌ଦିଆ ଏବଂ ବୋକାରୋ-ଧାମରା ଗ୍ୟାସ୍‌ ପାଇପ୍‌ ଲାଇନ୍‌ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଯିବା ପରେ ପାଇପ୍‌ଲାଇନ୍‌ ଜରିଆରେ ଗ୍ୟାସ୍‌ ଯୋଗାଣ କରାଯିବ। ଆସନ୍ତାକାଲି ଶ୍ରୀ ପ୍ରଧାନ ଧାମରା-ଅନୁଗୁଳ ଏବଂ ଭୁବନେଶ୍ୱର-କଟକ-ପାରାଦୀପ ପାଇପ୍‌ ଲାଇନ୍‌ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଧାମରା-ଅନୁଗୁଳ ପ୍ରକଳ୍ପରେ ୫୦୦୦ କୋଟି ଟଙ୍କା ବିନିଯୋଗ ହେବ। ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ଅନୁଗୁଳରୁ ଭାୟା ରାଉରକେଲା ହୋଇ ଝାଡ଼ଖଣ୍ଡ ସୀମା ପର୍ଯ୍ୟନ୍ତ ପାଇପ୍‌ଲାଇନ୍‌ ବିଛାଇବା କାମ ହୋଇଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ଖର୍ଚରେ ୨୦୦୦ କୋଟି ଟଙ୍କା ଶ୍ରମିକମାନଙ୍କୁ ପ୍ରଦାନ କରାଯିବାକୁ ଥିବା ପ୍ରାପ୍ୟ ବାବଦରେ ରହିଛି। ତେଣୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ଶ୍ରମ ଶକ୍ତି ବିଶେଷ ଭାବେ ଲାଭବାନ ହେବେ ବୋଲି ସେ କହିଥିଲେ।

ସିଏନ୍‌ଜି ବ୍ୟବହାର ଜନିତ ଲାଭ ବିଷୟରେ ଶ୍ରୀ ପ୍ରଧାନ କହିଥିଲେ ଯେ ଏହା ଦ୍ୱାରା ଅଟୋ ମାଲିକମାନେ ବିଶେଷ ଭାବେ ଲାଭବାନ ହେବେ। ପେଟ୍ରୋଲ୍‌ ବଦଳରେ ସିଏନ୍‌ଜି ବ୍ୟବହାର କଲେ ଦିନକୁ ୩୦ ଟଙ୍କା ସଞ୍ଚୟ ହେବ। ମାସକୁ ଲୋକମାନେ ୯୦୦ ଟଙ୍କା ସଞ୍ଚୟ କରିପାରିବେ। ଅଟୋ ଏବଂ ଦୁଇ ଚକିଆ ଯାନରେ ସିଏନ୍‌ଜି ମେସିନ୍‌ ଲଗାଇବା ପାଇଁ ୧୫ ହଜାର ଟଙ୍କା ଖର୍ଚ ହେଉଛି। ଏହି ମେସିନ୍‌ ପାଇଁ ଫାଇନାନ୍ସ ସୁବିଧା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ବ୍ୟାଙ୍କ ଓ ଗେଲ୍‌ ମଧ୍ୟରେ ବୁଝାମଣା ହୋଇଛି। ଗ୍ରାହକମାନେ ୧୫୦୦ ଟଙ୍କାର ଡାଉନ୍‌ପେମେଣ୍ଟ୍‌ ଦେଇ ଏହି ମେସିନ୍‌ ନିଜ ଗାଡ଼ିରେ ଲଗାଇପାରିବେ। ଯେହେତୁ ମାସକୁ ୯୦୦ ଟଙ୍କା ସଞ୍ଚୟ ହେବ ତେଣୁ ସେମାନେ ୫୦୦ ଟଙ୍କାର ଇଏମ୍‌ଆଇ ଅତି ସହଜରେ ଦେଇ ଆହୁରି ୪୦୦ ଟଙ୍କା ସଞ୍ଚୟ କରିପାରିବେ। ସିଏନ୍‌ଜିର କେଜି ପ୍ରତି ମୂଲ୍ୟ ୬୦ ଟଙ୍କାରୁ ସାମାନ୍ୟ କମ୍‌ ରହିଛି। ଏହା ପ୍ରଦୂଷଣମୁକ୍ତ ହୋଇଥିବା ବେଳେ ଅଧିକ ମାଇଲେଜ୍‌ ମଧ୍ୟ ପ୍ରଦାନ କରିବ ବୋଲି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଏହି ଅବସରରେ ଗେଲ୍‌ର ନିର୍ଦେଶକ (ପ୍ରକଳ୍ପ) ଆଶୁତୋଷ କର୍ଣ୍ଣାଟକା, କାର୍ଯ୍ୟନିର୍ବାହୀ ନିର୍ଦେଶକ (ପୂର୍ବାଞ୍ଚଳ) କେ ବି ସିଂହ, ପେଟ୍ରୋଲିୟମ୍‌ ପ୍ରାକୃତିକ ଗ୍ୟାସ୍‌ ନିୟାମକ ବୋର୍ଡର ସଦସ୍ୟ ସତପାଲ୍‌ ଗର୍ଗ ଏବଂ ଏସ୍‌ ରଥ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର