ମେ’ ଶେଷ ସୁଦ୍ଧା ‘ସମବାୟ ଆପଣଙ୍କ ଦ୍ୱାରରେ’ ଅଭିଯାନ

0 197

ଭୁବନେଶ୍ୱର : ଚଳିତ ମାସ ଶେଷ ସପ୍ତାହରେ ‘ସମବାୟ ଆପଣଙ୍କର ଦ୍ୱାରରେ’ ଅଭିଯାନ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତି ପ୍ରାଥମିକ ସମବାୟ ସମିତି(ପାକ୍‌ସ) ଭାଗଚାଷୀଙ୍କୁ ନେଇ ୧୦ଟି ଲେଖାଏଁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍‌(ଜେଏଲ୍‌ଜି) ଗଠନ କରିବ। ସେହି ଗୋଷ୍ଠୀଙ୍କୁ ଋଣ ସଂଯୋଗ ସୁବିଧା ଯୋଗାଇ ଦିଆଯିବ। ଏହା ସହିତ ପ୍ରତି ପାକ୍‌ସ ଅଧୀନରେ କୃଷକ ସମ୍ମିଳନୀ ଆୟୋଜନ କରାଯିବ। ୧୦ଜଣ ଲେଖାଏଁ ପ୍ରଗତିଶୀଳ କୃଷକଙ୍କୁ ସମ୍ବର୍ଧିତ କରାଯିବ। ଏଭଳି ଅନେକ କାର୍ଯ୍ୟକ୍ରମ ଏହି ଅଭିଯାନ ମାଧ୍ୟମରେ ଆୟୋଜନ କରାଯିବ। ଆଜି ଏ ନେଇ ସମବାୟ ବିଭାଗ ସଚିବ ରଂଜନା ଚୋପ୍ରା ବିସ୍ତତ ସୂଚନା ଦେଇଛନ୍ତିି। ସେ ତାଙ୍କ ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ପ୍ରସ୍ତାବିତ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଛନ୍ତି। ଏଭଳି ରାଜ୍ୟବ୍ୟାପୀ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିବା ସେ ଉଲ୍ଲେଖ କରିଛନ୍ତିି। ତେବେ ଏ ନେଇ ସମବାୟ ବିଭାଗ ବିସ୍ତତ ଭାବେ ମାର୍ଗଦର୍ଶିକା ପ୍ରସ୍ତୁତ କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିବେ ବୋଲି ଆଶାପ୍ରକାଶ କରିଛନ୍ତି ସଚିବ। ଅଭିଯାନ ଆରମ୍ଭ ହେବା ଅବସରରେ ସମବାୟ ବିଭାଗର ଭିଜନ୍‌ ଦସ୍ତାବିଜ୍‌, ବିଭାଗୀୟ କାର୍ଯ୍ୟକଳାପ ନେଇ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ଏହା ସହିତ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୩ଟି ପାକ୍‌ସକୁ ପୁରସ୍କାର ପ୍ରଦାନ, ଗୋଟିଏ ଜେଏଲ୍‌ଜିକୁ ଅର୍ଥ ସହାୟତା ଏବଂ ନୂଆ ନୀତି ଅନୁଯାୟୀ କୃଷି ମିଆଦ ଋଣ ପ୍ରଦାନ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ସମବାୟ ଅଭିଯାନ ନେଇ ସଚିବ ଦେଇଥିବା ସୂଚନା ମୁତାବକ ପ୍ରତି ପାକ୍‌ସ ନୂଆ ସଦସ୍ୟ ଗ୍ରହଣ କରିବ। ପ୍ରତ୍ୟେକ ଅଣଋଣୀ ସଦସ୍ୟଙ୍କୁ ଋଣ ପ୍ରଦାନ କରାଯିବ। ସମବାୟ ସଚେତନତା ସୃଷ୍ଟି କରାଯିବ। ‘ରୂପେ’ କାର୍ଡ ଜରିଆରେ ସମସ୍ତ ପାକ୍‌ସରେ କମ୍ପ୍ୟୁଟର କାରବାର ହେବ। ପ୍ରତି ପାକ୍‌ସରେ ମାଇକ୍ରୋ ଏଟିଏମ୍‌ ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ଫସଲବୀମା ଅଧୀନରେ ଅଣଋଣୀ ଚାଷୀଙ୍କ ଅଂଶଗ୍ରହଣ ପାଇଁ ଉତ୍ସାହିତ କରାଯିବ। ଚଳିତ ମାସ ୨୮ରୁ ୩୧ ତାରିଖ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସଚିବ ରଂଜନା ଚୋପ୍ରା ପ୍ରସ୍ତାବ ଦେଇଛନ୍ତିି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.