ରବିରେ ୫୫୦୦ ‌କୋଟି ଟଙ୍କାର ସମବାୟ ଋଣ

ଭୁବନେଶ୍ବର : ଚଳିତ ରବି ଋତୁରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୫୫୦୦ କୋଟି ଟଙ୍କାର ରବି ଋଣ ପ୍ରଦାନ କରାଯିବ। ରାଜ୍ୟର ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଧ୍ୟମରେ ଏହି ଋଣ ଚାଷୀଙ୍କୁ ଯୋଗାଇ ଦିଆଯିବ। କମ୍‌ ସୁଧରେ ଚାଷୀମାନେ ଏହି ଋଣ ନେଇ ଚାଷ କାର୍ଯ୍ୟ କରିବେ। ଗତ ରବି ଋତୁରେ ଚାଷୀମାନଙ୍କୁ ୫ ହଜାର କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଥିଲା। ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ଏହି ଋଣ ପ୍ରଦାନ କରାଯିବ। ଚାଷୀଙ୍କୁ ଦିଆଯାଇଥିବା ରୂପେ କାର୍ଡକୁ ବ୍ୟବହାର କର ସେମାନେ ଯେ କୌଣସି ବ୍ୟାଙ୍କର ଏଟିଏମ୍‌ରୁ ଋଣ ଟଙ୍କା ନେଇପାରିବେ। ଅଧିକରୁ ଅଧିକ ଚାଷୀ‌ ଯେପରି କୃଷି ଋଣର ସହାୟତା ପାଇପାରିବେ, ସେଥି ପାଇଁ ସମସ୍ତ ସିସିବି ଓ ପ୍ରାଥମିକ ସେବା ସମବାୟ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଅକ୍ଟୋବର ପହିଲାରୁ ରବି ଋତୁ ଆରମ୍ଭ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ରବି କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଖରିଫ କାର୍ଯ୍ୟ ଶେଷ ହୋଇ ନ ଥିଲା ବେଳେ ବାତ୍ୟା ପ୍ରଭାବରୁ ରବି ଚାଷ ବିଳମ୍ବ ହୋଇଛି ବୋଲି କୁହାଯାଉଛି। ତେବେ ଚଳିତ ମାସ ‌େଶଷ ସୁଦ୍ଧା ରବି କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର