ଏବେ ରୟାଲ୍‌ଟି ସଂଶୋଧନ ଆଶା କ୍ଷୀଣ : ଓଡ଼ିଶା ହରାଉଛି ବିପୁଳ ରାଜସ୍ୱ

କୋଇଲା ରୟାଲ୍‌ଟି ସଂଶୋଧନ କେବେ?

ରାଉରକେଲା : ଜଷ୍ଟିସ୍‌ ଆର୍‌.ଏସ୍‌. ସରକାରିଆ କମିସନ୍‌ଙ୍କ ସୁପାରିସ୍‌ ଅନୁସାରେ ପ୍ରତି ୩ ବର୍ଷରେ ଅନୁସୂଚିତ ଖଣିଜ ଦ୍ରବ୍ୟର ରୟାଲ୍‌ଟି ସଂଶୋଧନ ହେବାର ବିଧି ରହିଛି। ମାତ୍ର କେନ୍ଦ୍ର ସରକାର ଏ କ୍ଷେତ୍ରରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ଓଡ଼ିଶା ସମେତ ବିଭିନ୍ନ ଖଣିଜ ରାଜ୍ୟ ଅଣଟିକସ ରାଜସ୍ୱ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଅଣକୋଇଲା ଖଣିଜ ଦ୍ରବ୍ୟର ରୟାଲ୍‌ଟି ସଂଶୋଧନ ଗତ ୨୦୧୪ ସେପ୍ଟେମ୍ବର ପହିଲାରେ ଲାଗୁ ହୋଇଥିଲା। ଜଷ୍ଟିସ୍‌ ସରକାରିଆ କମିସନ୍‌ଙ୍କ ସୁପାରିସ୍‌ ଅନୁଯାୟୀ ୨୦୧୭ ସେପ୍ଟେମ୍ବର ପହିଲାରେ ରୟାଲ୍‌ଟି ସଂଶୋଧନ ହେବା କଥା। ମିଆଦର ୫ ମାସ ଅତିକ୍ରାନ୍ତ ହେବା ପରେ କୋଇଲା, ଲିଗ୍‌ନାଇଟ୍‌, ବାଲି ଓ ଲଘୁ ଖଣିଜ ଦ୍ରବ୍ୟକୁ ଛାଡ଼ି ଅନ୍ୟାନ୍ୟ ଖଣିଜର ରୟାଲ୍‌ଟି ସଂଶୋଧନ ପାଇଁ କେନ୍ଦ୍ର ସରକାର ଚଳିତ ଫେବ୍ରୁଆରି ୯ ତାରିଖରେ ଅନୁଧ୍ୟାନକାରୀ ଦଳ (ଷ୍ଟଡି ଗ୍ରୁପ୍‌) ଗଠନ କରିଛନ୍ତି।

କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଦଳରେ ଓଡ଼ିଶା ସମେତ ୧୨ଟି ଖଣିଜ ରାଜ୍ୟର ଖଣି ସଚିବ, ଆସୋଚାମ୍‌, ଫିକି, ଫିମି, ସିଆଇଆଇର ପ୍ରତିନିଧିଙ୍କ ସମେତ ପରମାଣୁ ଶକ୍ତି ବିଭାଗ, କୋଇଲା, ଅର୍ଥ, ଇସ୍ପାତ ମନ୍ତ୍ରାଳୟର ଯୁଗ୍ମ ସଚିବ, ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍‌)ର ମହା ନିୟନ୍ତ୍ରକ, ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଜିଏସ୍‌ଆଇ)ର ଅତିରିକ୍ତ ମହାନିର୍ଦ୍ଦେଶକ ପ୍ରମୁଖ ୨୪ ଜଣ ସଦସ୍ୟ ଅଛନ୍ତି। ରୟାଲ୍‌ଟି ସଂଶୋଧନ ସଂକ୍ରାନ୍ତରେ ରିପୋର୍ଟ ଦେବା ପାଇଁ ଅନୁଧ୍ୟାନକାରୀ ଦଳକୁ ୬ ମାସ ସମୟ ଦିଆଯାଇଛି। ଯଦି ଆଗାମୀ ୬ ମାସ ମଧ୍ୟରେ ଅନୁଧ୍ୟାନକାରୀ ଦଳ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ସକ୍ଷମ ହୁଅନ୍ତି, ତେବେ ଉଚ୍ଚ ସ୍ତରୀୟ ତର୍ଜମା ପାଇଁ ନିହାତି ଆଉ ମାସେ/ଦୁଇମାସ ସମୟ ଲାଗିବ। ଏହା ପରେ ଖଣି ମନ୍ତ୍ରାଳୟ କେନ୍ଦ୍ର କ୍ୟାବିନେଟ୍‌ର ବିଚାରବିମର୍ଶ ପାଇଁ ପ୍ରସ୍ତାବ ଉପସ୍ଥାପନ କରିବେ। କ୍ୟାବିନେଟ୍‌ ଅନୁମୋଦନ ପରେ ସଂଶୋଧିତ ରୟାଲ୍‌ଟି ଲାଗୁ ହେବ। ସୁତରାଂ ଆଗାମୀ ଅଗଷ୍ଟ ପୂର୍ବରୁ ଲୁହାପଥର, ମାଙ୍ଗାନିଜ୍‌, କ୍ରୋମାଇଟ୍‌, ବକ୍ସାଇଟ୍‌ ଆଦି ବିଭିନ୍ନ ଖଣିଜ ଦ୍ରବ୍ୟର ପ୍ରସ୍ତାବିତ ରୟାଲ୍‌ଟି ସଂଶୋଧନ ସମ୍ଭାବନା କ୍ଷୀଣ। ଅର୍ଥାତ ୨୦୧୪ ସେପ୍ଟେମ୍ବରରେ ସଂଶୋଧିତ ରୟାଲ୍‌ଟି ଅଧିକ ଏକ ବର୍ଷ ପାଇଁ ବଳବତ୍ତର ରହିବ। ଅନ୍ୟ ପକ୍ଷରେ କୋଇଲା ରୟାଲ୍‌ଟି କେବେ ସଂଶୋଧିତ ହେବ, ସେ ସଂକ୍ରାନ୍ତରେ କେନ୍ଦ୍ର ସରକାର ନୀରବ।

ସୂଚନାଯୋଗ୍ୟ, ୨୦୧୪ରେ ସଂଶୋଧିତ ହାର ଅନୁଯାୟୀ କ୍ରୋମାଇଟ୍‌ ଓ ଲୁହାପଥରର ବଜାର ଦର ଭିତ୍ତିରେ ୧୫% ରୟାଲ୍‌ଟି ଅସୁଲ ହେଉଥିବା ବେଳେ ଲଣ୍ଡନ୍‌ ମେଟାଲ୍‌ ଏକ୍ସଚେଞ୍ଜ୍‌ ମୂଲ୍ୟର ୦.୬୦% ହିସାବରେ ବକ୍ସାଇଟ୍‌ରୁ ରୟାଲ୍‌ଟି ଅସୁଲ ହେଉଛି। ଅଣଧାତବ ଉପଯୋଗ ପାଇଁ ବ୍ୟବହୃତ ବକସାଇଟ୍‌ରୁ ବଜାର ଦରର ୨୫%, ମାଙ୍ଗାନିଜର ବଜାର ଦର ଅନୁଯାୟୀ ୫% ଓ ଚୂନପଥରରେ ଟନ୍‌ ପିଛା ୯୦ ଟଙ୍କା ହିସାବରେ ରୟାଲ୍‌ଟି ଅସୁଲ କରାଯାଉଛି। ପରିବର୍ତ୍ତିତ ପରିସ୍ଥିତିରେ ଲୁହାପଥର, ବକ୍ସାଇଟ୍‌, ମାଙ୍ଗାନିଜ୍‌ ଓ କ୍ରୋମାଇଟ୍‌ ଚାହିଦା ବୃଦ୍ଧି ପାଉଥିବା ବେଳେ ରୟାଲ୍‌ଟି ସଂଶୋଧନ ବିନା ଓଡ଼ିଶା ସରକାର ପରବର୍ତ୍ତୀ ସଂଶୋଧନ ଯାଏ ରୟାଲ୍‌ଟି ବାବଦରେ ବିପୁଳ ଖଣି ରାଜସ୍ୱ ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି କୋଇଲା ରୟାଲ୍‌ଟି ସଂଶୋଧନ ପ୍ରସ୍ତାବ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାରୁ ଦେଶରେ ସର୍ବାଧିକ ବିଦ୍ୟୁତ ଗ୍ରେଡ୍‌ କୋଇଲା ଉତ୍ପାଦନ କରୁଥିବା ଓଡ଼ିଶା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହେବ।

ସମ୍ବନ୍ଧିତ ଖବର