କୋଇଲା ସଂକଟ ସାଂଘାତିକ : ପ୍ରଭାବିତ ହେବ ବିଦ୍ୟୁତ୍ ଉତ୍ପାଦନ

ସପ୍ତାହରେ ୫ ଦିନ କୋଇଲା ଖଣି ବନ୍ଦ, ଏନ୍‌ଟିପିସି ହାତରେ ୫ ଦିନର ମାଲ୍‌, ନାଲ୍‌କୋର ୯ ଦିନ

ଅନୁଗୁଳ/କଣିହାଁ/ନାଲକୋନଗର : ଏନ୍‌ଟିପିସି-କଣିହାଁ, ତାଳଚେର-ଟିଟିପିଏସ୍ ଏବଂ ନାଲ୍‌କୋରେ ଏବେ ସାଂଘାତିକ ହେଲାଣି କୋଇଲା ସଂକଟ। ଏଇ ସପ୍ତାହରେ ୫ ଦିନ ତାଳଚେର କୋଇଲା ଖଣି ବନ୍ଦ ଯୋଗୁ ଶିଳ୍ପାନୁଷ୍ଠାନର ଗଚ୍ଛିତ କୋଇଲା ସରିଯିବାକୁ ବସିଛି। ପରିସ୍ଥିତି ଏତେ ସଂଗୀନ ଆଡ଼କୁ ଗତି କରିଛି ଯେ ଆଉ କେଇଟା ଦିନ ଏମିତି ବନ୍ଦ ଜାରି ରହିଲେ ସମଗ୍ର ଦକ୍ଷିଣ ଏବଂ ପୂର୍ବ ଭାରତବାସୀ ଏହାର କୁ-ପ୍ରଭାବ ଭୋଗିବା ଏକପ୍ରକାର ଥୟ। କୋଇଲା ସଂକଟ ଘନେଇବା ପରେ ଆଜି ଏନଟିପିସି-କଣିହାଁ କର୍ତୃପକ୍ଷ ଏମିତି ଚେତାଇ ଦେଇଛନ୍ତି।

ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ, ପ୍ଲାଣ୍ଟ୍‌ ଚଲାଇବା ପାଇଁ ଶିଳ୍ପାନୁଷ୍ଠାନ ହାତରେ ପର୍ଯ୍ୟାପ୍ତ ପରିମାଣର କୋଇଲା ନାହିଁ। ଏନ୍‌ଟିପିସିର ୫ଟି ୟୁନିଟ୍‌ ଚାଲିବା ପାଇଁ ପ୍ରତିଦିନ ୫୫ ହଜାର ମେଟ୍ରିକ୍ ଟନ୍‌ କୋଇଲା ଆବଶ୍ୟକ। ଏହି ପରିମାଣର କୋଇଲାରୁ ୨୫ଶହ ମେଗାୱାଟ୍‌ ବିଦ୍ୟୁତ୍ ଉତ୍ପାଦନ ହେଉଛି। କଣିହାଁ, ଲିଙ୍ଗରାଜ ଓପନକାଷ୍ଟ ଏବଂ ଇବ୍ ଭ୍ୟାଲିରୁ ଏନ୍‌ଟିପିସିକୁ କୋଇଲା ଆସୁଛି। ଏହାବାଦ୍‌ ବିଦେଶରୁ ଆମଦାନୀ କୋଇଲା ପାରାଦୀପରୁ ଯୋଗାଣ ହେଉଛି। କୋଇଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୫ଲକ୍ଷ ମେଟ୍ରିକ୍ ଟନ କ୍ଷମତାପ୍ରାପ୍ତ କୋଇଲା ଷ୍ଟକୟାର୍ଡ଼ ଅଛି। କିନ୍ତୁ, ଚଳିତ ମାସ ୮ ଓ ୯ ତାରିଖ ଦୁଇ ଦିନ ସର୍ବଭାରତୀୟ ଟ୍ରେଡ୍‌ ୟୁନିୟନର ଧର୍ମଘଟ

ଯୋଗୁ ‌େକାଇଲା ଯୋଗାଣ ବାଧାପ୍ରାପ୍ତ ହୋଇଛି। ୧୧ତାରିଖଠାରୁ ଆଜି ଯାଏ ତିନି ଦିନ ଧରି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆହୂତ ଅନିର୍ଦ୍ଦିଷ୍ଟ କାଳ ପାଇଁ କୋଇଲା ଖଣି ବନ୍ଦ ଅବସ୍ଥାକୁ ଆହୁରି ବିଗାଡ଼ି ଦେଇଛି। ପରିସ୍ଥିତି ଏମିତି ହୋଇଛି ଯେ ୧୫ଲକ୍ଷ ବଦଳରେ ଶିଳ୍ପାନୁଷ୍ଠାନ ହାତରେ ବର୍ତ୍ତମାନ ମାତ୍ର ୩ ଲକ୍ଷ ମେଟ୍ରିକ୍‌ ଟନ କୋଇଲା ଗଚ୍ଛିତ ଅଛି। ଏତିକି କୋଇଲାରେ ଅତି ବେଶିରେ ୫ଦିନ କାରଖାନାର ସବୁ ୟୁନିଟ୍‌ ଚାଲି ପାରିବ ବୋଲି ଏନଟିପିସି କର୍ତୃପକ୍ଷ କହିଛନ୍ତି। କେବଳ ତାଳଚେର କୋଇଲା ନୁହେଁ, ପାରାଦୀପ, ଇବ୍‌ ଭ୍ୟାଲିରୁ କୋଇଲାକୁ ମଧ୍ୟ ଆନ୍ଦୋଳନକାରୀମାନେ ଆସିବାକୁ ଦେଉ ନ ଥିବାରୁ ତାହା ବି ବନ୍ଦ ପଡ଼ିଛି।

ସବୁଠାରୁ ବଡ଼ କଥା ହେଉଛି, ତାଳଚେରବାସୀଙ୍କ ଏହି ଆନ୍ଦୋଳନ ଆଗକୁ ଜାରି ରହିଲେ ଅଧା ଭାରତ ପ୍ରଭାବିତ ହେବ। କାରଖାନା କର୍ତୃପକ୍ଷଙ୍କ କହିବା ମୁତାବକ, ଏନଟିପିସି-କଣିହାଁରୁ ଉତ୍ପାଦିତ ବିଦ୍ୟୁତ୍ ଉପରେ ସମଗ୍ର ଦକ୍ଷିଣ ଭାରତ ସମେତ ପୂର୍ବ ଭାରତର ପାଖାପାଖି ୧୭ଟି ରାଜ୍ୟ ନିର୍ଭରଶୀଳ। କହିବାକୁ ଗଲେ, ବିଦ୍ୟୁତ୍ ଯୋଗାଣରେ ଏହା ଅଧା ଭାରତର ଜୀବନରେଖା। ଏମିତିକି ଓଡ଼ିଶାକୁ ମଧ୍ୟ ଏଠାରୁ ଦୈନିକ ହଜାରେ ମେଗାୱାଟ୍‌ ବିଦ୍ୟୁତ୍ ଯୋଗାଣ ହେଉଛି।

କୋଇଲା ଯୋଗାଣ ନ ହେଲେ ଏନ୍‌ଟିପିସିର ଗୋଟିଏ ଗୋଟିଏ ୟୁନିଟ୍‌ ଧୀରେ ଧୀରେ ଅଚଳ ହୋଇଯିବ। ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବ। ବିଭିନ୍ନ ରାଜ୍ୟକୁ ବିଦ୍ୟୁତ୍ ଯୋଗାଣ ବି ପ୍ରଭାବିତ ହେବ ବୋଲି ଏନ୍‌ଟିପିସି ସତର୍କ କରାଇ ଦେଇଛି। ଶୀତ ଦିନେ ବିଦ୍ୟୁତ୍ ଆବଶ୍ୟକତା କମ୍ ଥାଏ। ତେଣୁ କୋଇଲା ଷ୍ଟକୟାର୍ଡ଼ ସାଧାରଣତଃ ଶୀତଦିନେ ହିଁ ପୂର୍ଣ୍ଣ କରାଯାଏ। କିନ୍ତୁ ଆନ୍ଦୋଳନ ଯୋଗୁ ଷ୍ଟକ୍ ପୂର୍ଣ୍ଣ ହେବା ପରିବର୍ତ୍ତେ ଖାଲି ହୋଇଗଲାଣି।

ସମାନ ସ୍ଥିତି ଏନ୍‌ଟିପିସି ପରିଚାଳିତ ତାଳଚେର ଥର୍ମାଲ ପାୱାର ଷ୍ଟେସନରେ ବି ଉପୁଜିଛି। ଟିଟିପିଏସ୍‌ରେ ଯଦିଓ କେତେ ପରିମାଣର କୋଇଲା ଗଚ୍ଛିତ ଅଛି ଓ କେତେ ଦିନ ଏଥିରେ କାରଖାନା ଚାଲି ପାରିବ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ, କିନ୍ତୁ ଷ୍ଟକୟାର୍ଡ଼ରେ ଅଭାବୀ ପରିସ୍ଥିତି କର୍ତୃପକ୍ଷଙ୍କୁ ବଡ଼ ଚିନ୍ତାରେ ପକାଇଛି।

ନାଲକୋ କର୍ତୃପକ୍ଷ ବି କୋଇଲା ସଂକଟକୁ ସାମ୍ନା କରିଛନ୍ତି। ତଥ୍ୟ ମୁତାବକ, ନାଲ୍‌କୋର ୮ଟି ବିଦ୍ୟୁତ୍ ୟୁନିଟ୍‌ ଚାଲିବା ପାଇଁ ଦୈନିକ ୧୬ହଜାର ମେଟ୍ରିକ୍ ଟନ କୋଇଲା ଲୋଡ଼ା। ଏଥିପାଇଁ ନାଲକୋ ୩ଲକ୍ଷ ମେଟ୍ରିକ୍ ଟନ କ୍ଷମତା ବିଶିଷ୍ଟ ଷ୍ଟକୟାର୍ଡ଼ ତିଆରି କରିଛି। କିନ୍ତୁ ଖଣି ବନ୍ଦ ଆନ୍ଦୋଳନ ପରେ ଆଜି ସୁଦ୍ଧା ୧ଲକ୍ଷ ୮୦ହଜାର ମେଟ୍ରିକ୍‌ ଟନ କୋଇଲା ଗଚ୍ଛିତ ଅଛି। ବର୍ତ୍ତମାନ ଷ୍ଟକୟାର୍ଡ଼ରେ ଯେତିକି କୋଇଲା ଅଛି ସେତିକିରେ ଅତି ବେଶିରେ ୯ଦିନ କାରଖାନା ଚାଲି ପାରିବ ବୋଲି ନାଲ୍‌କୋ ସୂତ୍ରରୁ ଜଣାପଡ଼ିଛି। ସମସ୍ୟାର ସମାଧାନ ପାଇଁ ଉଚ୍ଚ କର୍ତୃପକ୍ଷଙ୍କ ସହ ଆ‌େ‌ଲାଚନା ଚାଲିଛି। କିନ୍ତୁ ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି ଠୋସ୍‌ ନିଷ୍ପତ୍ତି ବାହାରି ପାରିନାହିଁ।

ସମ୍ବନ୍ଧିତ ଖବର