କୋଇଲା ଚୋରି ରୋକିବାକୁ ପୂର୍ବତଟ ରେଳପଥର ଦୃଢ଼ ପଦକ୍ଷେପ

ଚନ୍ଦ୍ରଶେଖରପୁର : ପୂର୍ବତଟ ରେଳପଥ ତାର କାର୍ଯ୍ୟ ପରିସର ଅଂଚଳରେ କୋଇଲା ଚୋରିକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛି। ଏଥିପାଇଁ କ୍ରମାଗତ ପାଟ୍ରୋଲିଂ, ସେବା ପରିସରର ସଂବେଦନଶୀଳ ଅଂଚଳମାନଙ୍କରେ କର୍ମଚାରୀମାନଙ୍କୁ ନିୟୋଜିତ କରି କୋଇଲା ଚୋରି ଉପରେ କଡ଼ା ନଜର ରଖିବା ସହ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବ ବୋଲି ସୂଚନା ମିଳିଛି। ଭଦ୍ରକ-ଧାମରା ପୋର୍ଟ ପ୍ରାଇଭେଟ ରେଳ ଲାଇନ ଉପରେ ଏହିପରି ବହୁତ ପରିସ୍ଥିିତି ଦୃଷ୍ଟିକୁ ଆସିଛି। କୋଇଲା ଚୋରିକୁ ରୋକିବା ସହିତ ଅପରାଧୀମାନଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ଓ ରାଜ୍ୟ ପୋଲିସ ମଧ୍ୟରେ ସମନ୍ଵୟ ରକ୍ଷା କରି ପୂର୍ବତଟ ରେଳପଥ ପକ୍ଷରୁ ଅପରାଧୀମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି। ଖୋର୍ଧାରୋଡ଼ର ମଣ୍ଡଳ ରେଳପଥ ପ୍ରବନ୍ଧକଙ୍କ ସହ ବରିଷ୍ଠ ମଣ୍ଡଳ ସୁରକ୍ଷା ଆୟୁକ୍ତ ପୂର୍ବରୁ ଧାମରା ପୋର୍ଟ କର୍ତୃପକ୍ଷ ଓ ଭଦ୍ରକ ଜିଲ୍ଳା ପୋଲିସଙ୍କ ସହ ଏ ବିଷୟରେ ଆଲୋଚନା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହାତକୁ ନେଇଛନ୍ତି। କୋଇଲା ଚୋରିକୁ ରୋକିବା ଓ ଅପରାଧୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଖୋର୍ଦ୍ଧାରୋଡ଼ର ମଣ୍ଡଳ ରେଳପଥ ପ୍ରବନ୍ଧକ ପୁଣିଥରେ ରାଜ୍ୟ ସରକାରଙ୍କ ପୋଲିସ କତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଏପରି ଘଟଣା ସଂପର୍କରେ ଜାଣିବାକୁ ପାଇଲେ ରେଳପଥ ସୁରକ୍ଷା ବାହିନୀ ନିୟନ୍ତ୍ରଣ କକ୍ଷର ଫୋନ ନଂ ୧୮୨ରେ ଜଣାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର