ଉପକୂଳ ରାଜପଥକୁ ‌ନେଇ ବିଜେଡି-ବିଜେପି ମୁହାଁମୁହିଁ

ଆନ୍ତରିକତା କମ୍, ରାଜନୀତି ବେଶି: ବିଜେଡି, ମୁଖ୍ୟମନ୍ତ୍ରୀ ମୂଳ ଦୋଷୀ : ଧର୍ମେନ୍ଦ୍ର

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥକୁ ‌ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଜି ସଚିବାଳୟରେ ବୈଠକ ହେଲା ପରେ ଏହାକୁ ରାଜନୀତି ଜୋର୍‌ ଧରିଛି। ପ୍ରକଳ୍ପ ବିଳମ୍ବ ହେବା ପଛରେ ପରସ୍ପରକୁ ଦୋଷ ଠେଲି ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାଣିବା ସହ ଉପକୂଳ ରାଜପଥ କରାଇ ନ ଦେବା ଘଟଣାରେ ତାଙ୍କୁ ଦୋଷୀ ବୋଲି କହିଛନ୍ତି। ପାଲଟା ଜବାବ ଦେଇ ବିଜେଡି କେନ୍ଦ୍ର ମନ୍ତ୍ରୀଙ୍କୁ ଅଭ୍ୟାସଗତ ମିଛୁଆ କହିବା ସହ ଉପକୂଳ ରାଜପଥ ପ୍ରକଳ୍ପରେ କେନ୍ଦ୍ରର ଆନ୍ତରିକତା କମ୍ ଓ ରାଜନୀତି ବେଶୀ ବୋଲି ଆରୋପ ଲଗାଇଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଯଦି କିଛି ଅଞ୍ଚଳରେ ସମୁଦ୍ର ପାଖ ଦେଇ ରା‌ସ୍ତା ହେବ, ଏଥିରେ କାହାର ଦ୍ବିମତ ନାହିଁ। ରାଜ୍ୟ ସରକାର ଜାଗା ଉପଲବ୍ଧ କରାଇଲେ ଏନ୍‌ଏଚ୍‌ଏଆଇ କାମ କରିବ। କିନ୍ତୁ ଚିଲିବା ଉପରେ ଯେଉଁ ବ୍ରିଜ୍ ଦୁଇଟି ହେବ, ‌େସଥିରେ ଜମି ଅଧିଗ୍ରହଣର ଆବଶ୍ୟକତା ନାହିଁ। ୨୦୧୫-୧୬ରେ ରାଜ୍ୟ ସରକାର ଯେଉଁ କଥା କହିଥିଲେ, ୨୦୧୮ରେ ମଧ୍ୟ ସେହି କଥାକୁ ଦୋହରାଇଲେ। ୨୦୧୯ରେ ବି ସେହି କଥା କହୁଛନ୍ତି। ପ୍ରକଳ୍ପ ପାଇଁ ସିଆର୍‌ଜେଡ୍‌ ଅନୁମତି ନିମନ୍ତେ ସୁପାରିସ୍ କରିବାରେ ରାଜ୍ୟ ସରକାର କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ? ଯଦି ସରକାରଙ୍କର ପ୍ରକଳ୍ପ ପାଇଁ ଇଚ୍ଛା ନାହିଁ, ତେବେ ସିଧାସଳଖ କାହିଁକି କହୁ ନାହାନ୍ତି ? ବୁଲେଇ ବଙ୍କେଇ ପ୍ରକଳ୍ପକୁ ପଛେଇବା ଓ ନ କରାଇ ଦେବାରେ ମୂଳ ଦୋଷୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ।

ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଲେ, ୨୦୧୫ ଜୁଲାଇରେ ପିପିଲି ନିକଟରେ ଏକ ସଭାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ନେଇ ଘୋଷଣା କରିଥିଲେ। ୨୦୧୭ ଜୁନ୍ ୮ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ ଯେ ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ଉପକୂଳ ରାଜପଥର ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ପ୍ରକଳ୍ପ ନେଇ ବାରମ୍ବାର ରାଜ୍ୟରେ ବିଭିନ୍ନ ସ୍ତରରେ ଦାବି ହେଲା ପରେ ୨୦୧୮ ନଭେମ୍ବର ୮ ତାରିଖରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ‘ଓଡ଼ିଶା କୋଷ୍ଟାଲ୍ ଜୋନ୍ ମ୍ୟାନେଜ୍‌ମେଣ୍ଟ୍‌୍‌ ଅଥରିଟି’ର ସଦସ୍ୟ ସଚିବଙ୍କ ମାଧ୍ୟମରେ ସିଆର୍‌ଜେଡ୍‌ ଅନୁମୋଦନ ପାଇଁ ପତ୍ର ପଠାଇଲେ। କିନ୍ତୁ ଏହାର ଦୁଇ ଦିନ ପରେ ବିଜେପି ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପରେ ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିବା ହାସ୍ୟାସ୍ପଦ। ଭୁବନେଶ୍ବରସ୍ଥିତ ଜାତୀୟ ରାଜପଥ ଆଞ୍ଚଳିକ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ପ୍ରକଳ୍ପ ପାଇଁ ମେସର୍ସ ଚୈତନ୍ୟ ପ୍ରୋଜେକ୍ଟ କନ୍‌ସଲଟାନ୍ସିକୁ ଡିପିଆର୍ ପ୍ରସ୍ତୁତ କରିବାକୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ଉକ୍ତ ପ୍ରକଳ୍ପ ଆଲାଏନ୍‌ମେଣ୍ଟ୍‌ ସ୍ଥିର ହୋଇ ନାହିଁ ଓ ଆବଶ୍ୟକ କେଉଁ ଜମି ଅଧିଗ୍ରହଣ କରାଯିବ, ସେ ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଜଣାଇ ନାହାନ୍ତି। ତେଣୁ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ରାଜ୍ୟ ନେତାମାନେ ବାସ୍ତବ ତଥ୍ୟକୁ ଅନୁଧ୍ୟାନ ନ କରି ଜନସାଧାରଣଙ୍କୁ ଭୁଲ୍ ତଥ୍ୟ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଏ ନେଇ ବାରମ୍ବାର ବିଭ୍ରାନ୍ତିକର ବିବୃତି ଦେଉଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ‌ ବୋଲି ସ୍ପଷ୍ଟ ହୋଇଛି। ଉପକୂଳ ରାଜପଥର ମୂଳ ଉଦ୍ଦେଶ୍ୟକୁ ଭୁଲି ରାଜ୍ୟ ସରକାରଙ୍କ ପ୍ରସ୍ତାବ ଓ ମୂଳ ଆଲାଏନ୍‌ମେଣ୍ଟ୍‌ ପ୍ଲାନ୍‌କୁ ବଦଳାଇ କେନ୍ଦ୍ର ସରକାର ଓଡ଼ିଶାାବସୀଙ୍କୁ ଧୋକ୍କା ଦେଇଛନ୍ତି ବୋଲି ଶ୍ରୀ ଦାସବର୍ମା କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜୟ ନାୟକ ଓ ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ଅପର ପକ୍ଷରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି, ଉପକୂଳ ରାଜପଥ ପ୍ରକଳ୍ପଟି ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଳେ ନାଁ ନେଇଯିବେ, ‌େସଥି ପାଇଁ ରାଜ୍ୟ ସରକାର ଏହାକୁ କରାଇ ଦେଉ ନାହାନ୍ତି। ବିନା ତଥ୍ୟ ପ୍ରମାଣ ଆଧାରରେ ବିଜେଡି କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଛି। ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ, ଜଙ୍ଗଲ କ୍ଲିୟରାନ୍ସ, ସିଆର୍‌ଜେଡ୍‌ ଓ ୟୁଟିଲିଟି ସିଫିଙ୍ଗ୍ ଆଦି ସହାୟତା ରାଜ୍ୟ ସରକାରଙ୍କୁ ମଗାଯାଇଛି। କିନ୍ତୁ ବାରମ୍ବାର ଅନୁରୋଧ ସତ୍ତ୍ବେ ରାଜ୍ୟ ସରକାର ପ୍ରକ୍ରିୟାକୁ ଆଗଉ ନାହାନ୍ତି।

ସମ୍ବନ୍ଧିତ ଖବର