ଉପକୂଳ ରାଜପଥ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଧର୍ମେନ୍ଦ୍ର
ମୋଦୀ ନାଁ ନେବା ଆଶଙ୍କାରେ ମୁଖ୍ୟମନ୍ତ୍ରୀ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ
ନିର୍ବାଚନୀ ଚାନ୍ଦା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଚାଲ୍‌ : ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବହୁଳ ପ୍ରଚାରିତ ଉପକୂଳ ରାଜପଥ(କୋଷ୍ଟାଲ୍ ହାଇୱେ)ର କାମ ଆରମ୍ଭ ହୋଇପାରୁ ନାହିଁ। ଏହାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୀଘାରୁ ଗୋପାଳପୁର ୪୧୫ କିମି ଉପକୂଳ ରାଜପଥ ନିର୍ମାଣକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି। ୯ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ‌େହଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଁ ନେଇଯିବେ ବୋଲି ଆଶଙ୍କା କରି ଏହାକୁ ନ କରାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଆରୋପ ଲଗାଇଛନ୍ତି। ବିଜେଡି ଏହାର ପାଲଟା ଜବାବ ଦେଇ କହିଛି, ଆଗକୁ ନିର୍ବାଚନ ଥିବାରୁ ନିର୍ବାଚନୀ ଚାନ୍ଦା ପାଇଁ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାର ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପଛଘୁଞ୍ଚା ଦେଉ ନାହାନ୍ତି।

ନୂଆଦିଲ୍ଲୀ‌େର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ କହିଲେ, ମୋଦୀ ସରକାର ଓଡ଼ିଶା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି। ବିଗତ କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ୨୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଲୋକାର୍ପଣ କରିବା ସହ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛନ୍ତି। ମାତ୍ର ଓଡ଼ିଶା ସରକାର ଈର୍ଷା ପରାୟଣ ହୋଇ ମୋଦୀ ସରକାରଙ୍କ କାମକୁ ‌କ‌େ‌ରଇ ଦେଉ ନାହାନ୍ତି। ଓଡ଼ିଶାର ବିକାଶ ଓ ଯୁବକଙ୍କୁ ରୋଜଗାର ନ ହେଉ ପଛେ, ସେମାନେ ମୋଦୀଙ୍କ କାମ ଅଟକାଇବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ଏକ ମହତ୍ବକାଂକ୍ଷୀ ପ୍ରକଳ୍ପ ହେଉଛି ୪୧୫ କିମି ଉପକୂଳ ରାଜପଥ।୨୦୧୬ ମସିହାରେ ଭାରତ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ଭାରତମାଳା ପ୍ରକଳ୍ପରେ ଏହାର କାମ ଆରମ୍ଭ କଲେ। ସେହି ବର୍ଷ ଆରମ୍ଭରେ ଏଥି ପାଇଁ କନ୍‌ସଲ୍‌ଟାଣ୍ଟ୍‌ ନିଯୁକ୍ତି କରାଗଲା ଓ ପ୍ରସ୍ତାବିତ ଆଲାଇନ୍‌ମେଣ୍ଟ୍ ମଧ୍ୟ ପ୍ରସ୍ତୁତ କରାଗଲା।ସେହି ଆଲାଇନ୍‌ମେଣ୍ଟ୍‌ର ପ୍ରଥମ ବୈଠକ ଓଡ଼ିଶାର ତତ୍‌କାଳୀନ ଉନ୍ନୟନ କମିସନର୍‌ଙ୍କ ସହ ବସିଲା। ଏ‌ହି ବୈଠକରେ ଆଲାଇନ୍‌ମେଣ୍ଟ୍‌କୁ ପ୍ରଶଂସା କରାଗଲା। ଏକ ଗେଜେଟ୍‌ ବା ଆକ୍ଟ ମାଧ୍ୟମରେ ଏହାକୁ ଜାତୀୟ ରାଜପଥ ଭାବେ ଘୋଷଣା କରାଗଲା। ଏହା ବାଦ୍ ଏହାର ଜମି ଅଧିଗ୍ରହଣ ପ‌ାଇଁ ରାଜ୍ୟ ସରକାରଙ୍କ ପରାମର୍ଶରେ ୧୫ ଜଣ କମ୍ପିଟେଣ୍ଟ୍‌ ଅଥରିଟିଙ୍କୁ ନିଯୁକ୍ତି କରାଗଲା। ୨୦୧୭ରେ କ୍ଷେତ୍ର ସ୍ତରରେ ଏହି କାମ ଚାଲିଲା। ସେହି ବର୍ଷ ବିଭିନ୍ନ ସମୟରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ତତ୍‌କାଳୀନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ମହେଶ୍ବର ମହାନ୍ତିଙ୍କ ସହ ବିଭିନ୍ନ ସ୍ତରରେ ବୈଠକ ମଧ୍ୟ ବସିଲା। ଏହି‌ ବୈଠକରୁ ତଥ୍ୟ ସଂଗ୍ରହ କରାଗଲା। ୨୦୧୮ ଏପ୍ରିଲ୍‌ ୭ ତାରିଖରେ ଭୁବନେଶ୍ବରରେ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ସମସ୍ତ ତଥ୍ୟ ଉପସ୍ଥାପନ କରାଗଲା। ମୁଖ୍ୟ ସଚିବ ଏହି ପ୍ରକଳ୍ପକୁ ସହଯୋଗର ଦାୟିତ୍ବ ନେବା ସହ ପ୍ରଶାଂସା କଲେ। ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ସଚିବ ୨୦୧୮ ଜୁଲାଇରେ ପ୍ରକଳ୍ପକୁ ଆର୍ଥିକ ଅନୁମୋଦନ ଦେଲେ। ତାହା ପରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରୀ, ସିଆର୍‌ଜେଡ୍‌ ଓ ୟୁଟିଲିଟି ସିଫିଙ୍ଗ୍ ଆଦି ୪ଟି ସହାୟତା ରାଜ୍ୟ ସରକାରଙ୍କୁ ମଗାଗଲା। ଏନ୍‌ଏଚ୍‌ଏଆଇ ମଧ୍ୟ ଏକ ଚିଠି ଏ ନେଇ ରାଜ୍ୟ ସରକାରଙ୍କୁ ଦେଲେ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଏହି ୪୧୫ କିମି ରାସ୍ତାକୁ ୯ଟି ପ୍ୟାକେଜ୍‌ରେ ବିଭକ୍ତ କରାଯାଇଛି। ତାହା ମଧ୍ୟରୁ ଗୋଟିଏ ପ୍ୟାକେଜ୍‌ ହେଲା ଚିଲିକା ଉପରେ ଏହି ପୋଲ। ଚିଲିକା ଉପରେ ବିଶେଷ କରି କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଅଞ୍ଚଳକୁ ଯୋଡ଼ିବା ପାଇଁ ପାଖାପାଖି ୫୦୦ କୋଟି ଟଙ୍କାର ଏହି ପୋଲ ବ୍ରହ୍ମପୁରା ଓ ମଇଷା ଗାଁ ଦେଇ ହୋଇଥା’ନ୍ତା। ଏଥି ପାଇଁ ଜମି ଦରକାର ନ ଥିଲେ ବି ସିଆର୍‌ଜେଡ୍‌ ଅନୁମତି ଦରକାର ଥିଲା। ଏହା ସହ ଓଡ଼ିଶା କୋଷ୍ଟାଲ୍‌ ଜୋନ୍‌ ଅଥରିଟିଙ୍କ ଅନୁମତି ଦରକାର ଥିଲା। ଏ ନେଇ ସମସ୍ତ କାଗଜପତ୍ର ଦିଆଯାଇ ଆବେଦନ କରାଯାଇଥିଲେ ମଧ୍ୟ ଏହି ଅନୁମତି ମିଳୁ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ଶ୍ରୀ ପ୍ରଧାନଙ୍କ ଅଭ‌ିଯୋଗ ଉପରେ ଜବାବ ରଖିବାକୁ ବିଜେଡି ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏଥିରେ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, କେନ୍ଦ୍ର ମନ୍ତ୍ରୀଙ୍କ ଏହି ସାମ୍ବାଦିକ ସମ୍ମିଳନୀ ଉପକୂଳ ରାଜପଥର ଟେଣ୍ଡର୍ ପାଇଁ ଆଶାୟୀ ଠିକାଦାରଙ୍କ ଦ୍ବାରା ପ୍ରାୟୋଜିତ। ବିଜେପି ଓ ଶ୍ରୀ ପ୍ରଧାନ ଅଭ୍ୟାସଗତ ମିଛୁଆ। ତାଙ୍କ ଅଭିଯୋଗ ଭିତ୍ତିହୀନ ଓ ତରବରିଆ ଭାବେ ଉପକୂଳ ରାଜପଥର ଟେଣ୍ଡର୍ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ନିର୍ବାଚନ ଖର୍ଚ୍ଚ ବାହାର କରିବାର ଏକ ଅଭିସନ୍ଧି। ରାଜ୍ୟର ପୁରୁଣା ରାସ୍ତାକୁ ନବୀକରଣ କରି ତାହାକୁ ଉପକୂଳ ରାଜପଥର ଆଖ୍ୟା ଦେଇ ‌ଶ୍ରୀ ପ୍ରଧାନ ଅସଫଳ ପ୍ରୟାସ କରୁଛନ୍ତି। ଶୁଣିବାକୁ ମିଳୁଛି ଯେ ଯେଉଁ ବାଟ ଦେଇ ଏହି ଉପକୂଳ ରାଜପଥ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଓ ଶ୍ରୀ ପ୍ରଧାନ ଚାହୁଁଛନ୍ତି, ଯଦି ତାହା ସାକାର ହୁଏ ତେବେ ହଜାର ହଜାର ଘର ଓ ଗାଁ କ୍ଷତିଗ୍ରସ୍ତ ହେବ। ନିଜର ନିର୍ବାଚନୀ ଚାନ୍ଦା ପାଇଁ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାର ଜନସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଉପକୂଳ ରାଜପଥ ଓଡ଼ିଶାରେ ହେଉ ବୋଲି ରାଜ୍ୟ ସରକରା ଦୃଢ଼ତାର ସହ ଚାହୁଁଛନ୍ତି। ଏହା ହେଲେ ରାଜ୍ୟର ପର୍ଯ୍ୟଟନ, ଗମନାଗମନ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। କିନ୍ତୁ ହଜାର ହଜାର ଜୀବନକୁ କ୍ଷତିଗ୍ରସ୍ତ କରି ତାହା ନ ହେଉ। କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ ଓ ବିବରଣୀ ସହ ରାଜ୍ୟ ସରକାରଙ୍କ ସହ ଆଲେଚନା କରନ୍ତୁ। ରାଜ୍ୟ ସରକାରଙ୍କ ଲୁଚାଇ ତରବରିଆ ଭାବେ ଏକପାଖିଆ କାର୍ଯ୍ୟ ନ କରନ୍ତୁ। ଉପକୂଳ ରାଜପଥ ଶ୍ରୀ ପ୍ରଧାନଙ୍କ ନିର୍ବାଚନୀ ଚାନ୍ଦା ସଂଗ୍ରହର ମାଧ୍ୟମ ନ ହୋଇ ଓଡ଼ିଶାବାସୀଙ୍କ ପ୍ରକୃତ ହିତରେ ଲାଗୁ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର