କୋଷ୍ଟାଲ ହାଇୱେ ପ୍ରକଳ୍ପ: ଜମି ଅଧିଗ୍ରହଣ ନିଷ୍ପତ୍ତି ହୋଇନି

ମିଥ୍ୟା ପ୍ରତିଶ୍ରୁତି ଦେବାରୁ କ୍ଷାନ୍ତ ରହୁ ବିଜେପି

ଭୁବନେଶ୍ବର : ୨୦୧୫ ଜୁଲାଇ ୯ ତାରିଖରେ ପିପିଲି ଟୋଲଗେଟ୍‌ଠାରେ ଭୁବନେଶ୍ବର-ପୁରୀ ୪ଲେନ୍ ବିଶିଷ୍ଟ ଜାତୀୟ ରାଜପଥକୁ ଉଦ୍‌ଘାଟନ କରିବା ସମୟରେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପ ସଂପର୍କରେ ଘୋଷଣା କରିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା କହିଥିଲେ। ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ କେଉଁ କେଉଁ ଜମି ଅଧିଗ୍ରହଣ କରାଯିବ, ତାହାର ନିଷ୍ପତ୍ତି ହୋଇନାହିଁ। ମାତ୍ର କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ବିଜେପି ନେତୃବୃନ୍ଦ ରାଜ୍ୟର ଜନସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି, ମିଥ୍ୟା ତଥ୍ୟ ଦେଉଛନ୍ତି। ବିଜେଡିର ରାଜ୍ୟ ସାଧାରଣ ସଂପାଦକ ସଂଜୟ ଦାସବର୍ମା ଆଜି ଏପରି ଅଭିଯୋଗ କରିଛନ୍ତି।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା କହିଲେ, କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫ ହଜାର ଟଙ୍କା ବ୍ୟୟବରାଦ କରିଥିବା କୁହାଯାଇଥିଲା। ଭୁବନେଶ୍ବର-ପୁରୀ ୪ଲେନ୍‌ ରାସ୍ତା ୨୦୧୧ ମସିହାରୁ ନିର୍ମାଣ ଆରମ୍ଭ ହୋଇ ୨୦୧୫ରେ ଶେଷ ହୋଇଛି। ଏହାସହ ଚନ୍ଦନପୁର-ରାମେଶ୍ବର ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇ ଉନ୍ନତିକରଣ କାମ ଆରମ୍ଭ ହେବ ବୋଲି ଶ୍ରୀ ଗଡ଼କରୀ କହିଥିଲେ। ମାତ୍ର ପୁରୀଠାରୁ ଭୁବନେଶ୍ବର ମଙ୍ଗଳାଘାଟ ଦେଇ ଷ୍ଟରଲିଂ ପର୍ଯ୍ୟନ୍ତ ପ୍ରସ୍ତାବିତ ରାସ୍ତା ଆଜି ମଧ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ପୁରୀର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(ଆରଡବ୍ଲୁଏସ୍‌ଏସ୍‌), ପୁରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(ପିଏଚ୍‌), ବ୍ରହ୍ମପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(ଆରଡବ୍ଲୁଏସ୍‌ଏସ୍‌), ଡିଏଫ୍ଓ କଟକ, ରାଜନଗର ଓ ପୁରୀଙ୍କୁ ଏହି ପ୍ରକଳ୍ପରେ ସହଯୋଗ କରିବା ପାଇଁ ପତ୍ରରେ ଜଣାଇଛନ୍ତି। ତେବେ ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ମେସର୍ସ ଚୈତନ୍ୟ ପ୍ରୋଜେକ୍ଟ କନସଲଟାନ୍‌ସିକୁ ଡିପିଆର ପ୍ରସ୍ତୁତ କରିବା ପାଇଁ ଦାୟିତ୍ବ ଦିଆଯାଇଛି। ପ୍ରକଳ୍ପର ଆଲଏନମେଣ୍ଟ ସ୍ଥିର ହୋଇନାହିଁ କି ଆବଶ୍ୟକ କେଉଁ କେଉଁ ଜମି ଅଧିଗ୍ରହଣ କରାଯିବ ସେ ସଂପର୍କରେ ନିଷ୍ପତ୍ତି ନିଆଯାଇନାହିଁ। କୋଷ୍ଟାଲ ହାଇୱେ ଅତିକ୍ରମ କରୁଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କେଉଁ ଜମି ଅଧିଗ୍ରହଣ ହେବ, ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇନାହିଁ। ତେଣୁ ବିଜେପି ନେତୃମଣ୍ଡଳୀ ଏହି ମିଥ୍ୟା ପ୍ରତିଶ୍ରୁତି ଦେବାରୁ କ୍ଷାନ୍ତ ରୁହନ୍ତୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଓ ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର