ୟୁଟ୍ୟୁବ୍ ବଦଳାଇଲା ଭାଗ୍ୟ : ଦାଦନ ଛାଡ଼ି ସୁନା ଫଳାଉଛନ୍ତି ଡିଲି, ପାଲଟିଛନ୍ତି ଦକ୍ଷ ନଡ଼ିଆ ତୋ‌ଳାଳି, ଏବେ ମାସକୁ ରୋଜଗାର ୭୦ ହଜାର

ପାତ୍ରପୁର, (ନୀଳାଞ୍ଚଳ ପଟ୍ଟନାୟକ): ଦିନେ ଦୁବାଇରେ ଦାଦନ ଖଟି ପରିବାରର ପ୍ରତିପୋଷଣ କରୁଥିଲେ। ଏଥିପାଇଁ ବହୁ ସଂଘର୍ଷ କରିବା ସହ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡୁଥିଲା। ହେଲେ ଦିନେ ୟୁଟ୍ୟୁବ୍‌ରେ ଗଛରେ ‘ଲିଫ୍ଟିଙ୍ଗ୍ କ୍ଲାମ୍ପ କୋକନଟ୍ ଟ୍ରିମେସିନ୍’ ବ୍ୟବହାର କରି କିଭଳି ଅଳ୍ପ ସମୟ ଭିତରେ ନଡ଼ିଆ ତୋଳାଯାଇ ପାରିବ ଏହି କୌଶଳ ଦେଖି ବେଶ୍‌ ପ୍ରଭାବିତ ହେଲେ। ଏହା ତାଙ୍କ ଭାଗ୍ୟ ବଦଳାଇଦେଲା। ଗାଁରେ ଥିବା ୫ଏକର ଜମିରେ ଚାଷ କରିବା ସହ ନଡ଼ିଆ ତୋଳିବାକୁ ପେସା ଭାବେ ଗ୍ରହଣ କରିବାକୁ ମନସ୍ଥ କଲେ। କୌଶଳ ଶିଖିବା ପରେ ସେ ବର୍ତ୍ତମାନ ଜଣେ ଦକ୍ଷ ନଡ଼ିଆ ତୋଳାଳି। ମାସକୁ ୭୦ହଜାର ଟଙ୍କା ରୋଜଗାର କରି ସଭିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଜଣେ ଯୁବକ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଖମ୍ବାରିଗାଁ ପଞ୍ଚାୟତ ବାବନପୁର ଗ୍ରାମର ଡି.ଚିନ୍ନାୟାଙ୍କ ମଝିଆ ପୁଅ ଡିଲେଶ୍ବର ଓରଫ୍ ଡିଲି।

ପିଲାଟି ଦିନରୁ ଦୁଃଖ ଓ ସଂଘର୍ଷ ଭିତରେ ଡିଲିଙ୍କ ଜୀବନ କଟିଛି। ଭାଇମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ପଳାଇଥିଲେ। ପରିବାର ପ୍ରତିପୋଷଣ ପାଇଁ ଡିଲି ମଧ୍ୟ ଗାଁ ଛାଡ଼ି ଦୁବାଇ ଚାଲିଗଲେ। ଚାରିବର୍ଷ ହେଲା ସେ ସେଠାରେ ‘ତୁରୁଫେବ୍’ ନାମକ ଏକ କମ୍ପାନିରେ କାମ କରୁଥିଲେ। ହେଲେ ସବୁବେଳେ ମନରେ ଗାଁ ଚିନ୍ତା ଘାରୁଥିଲା। ପରିବାରବର୍ଗଙ୍କଠାରୁ ଦୂରରେ ରହିବା ଅପେକ୍ଷା ନିଜ ଗାଁକୁ ଆସି କିଛି ଜୀବିକା ଆପଣେଇବା ପାଇଁ ଡିଲି ମନସ୍ଥ କରିଥିଲେ। ଗ୍ରାମକୁ ଫେରି ନଡ଼ିଆ ଗଛ ତୋଳାଳି ଭାବେ ପୁଣି ନିଜର କର୍ମମୟ ଆରମ୍ଭ କରିବା ସହ ନିଜର ୫ଏକର ଜମିରେ ଚାଷ କରୁଥିଲେ। ନଡ଼ିଆ ଗଛ ଉପରକୁ କଷ୍ଟେମଷ୍ଟେ ଚଢ଼ି ନଡ଼ିଆ ତୋଳିବା ସହ ସେଥିରେ ଯାହା ମିଳୁଥିଲା ପରିବାର ପ୍ରତିପୋଷଣ ହେଉଥିଲା।

କିଛି ଦିନ ପରେ ନଡ଼ିଆ ଗଛ ଚଢ଼ିବା ଶୈଳୀ ବିଷୟରେ ୟୁଟ୍ୟୁବ୍‌ରୁ ଜ୍ଞାନ ଆହରଣ କରିଥିଲେ। କନ୍ୟାକୁମାରୀରୁ ଅନଲାଇନ୍ ମାଧ୍ୟମରେ ‘ଲିଫ୍ଟିଙ୍ଗ୍ କ୍ଲାମ୍ପ କୋକନଟ୍ ଟ୍ରି’ ମେସିନ କିଣିଥିଲେ। ବର୍ତ୍ତମାନ ଡିଲି ନିଜ ଜମିରେ ବିଭିନ୍ନ ଫସଲ ଫଳାଇବା ସହ ପ୍ରତିଦିନ ଗାଁକୁ ଗାଁ ବୁଲି ଏହି ମେସିନ୍ ଦ୍ବାରା ନଡ଼ିଆ ତୋଳୁଛନ୍ତି। ଏଥିପାଇଁ ଦିନକୁ ୨ହଜାରରୁ ୨୫ଶହ ଟଙ୍କା ରୋଜଗାର ହେଉଛି। ନଡ଼ିଆ ତୋଳିବାକୁ ନିଜର ସହଯୋଗୀଙ୍କୁ ତାଙ୍କ ସହ ଡିଲି ନେଉଛନ୍ତି। ଏଭଳି ଭାବେ ସେ ମାସକୁ ୭୦ହଜାରରୁ ଅଧିକ ଟଙ୍କା ଆୟ କରୁଥିବା ଡିଲି କହନ୍ତି। ଦାଦନ ଖଟି ପରିବାରରୁ ଦୂରରେ ରହିବା ଅପେକ୍ଷା ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଆତ୍ମନିର୍ଭରଶୀଳ ହୋଇଥିବାରୁ ଆତ୍ମସନ୍ତୋଷ ମିଳୁଛି ବୋଲି କହିଛନ୍ତି। ବର୍ତ୍ତମାନ ଗାଁ ଓ ଆଖପାଖ ଅଞ୍ଚଳରେ ନଡ଼ିଆ ତୋଳିବାକୁ ହେଲେ ଡିଲିଙ୍କୁ ଖୋଜା ପଡ଼ୁଛି।

ସମ୍ବନ୍ଧିତ ଖବର