ଉତ୍ତରା ପବନ ଯୋଗୁଁ ଥଣ୍ଡା ବଢ଼ୁଛି

ଦାରିଙ୍ଗିବାଡ଼ିରେ ୧୪°, ଆଉ ୧୧ ସ୍ଥାନରେ ୨୦° ତଳେ.

ଭୁବନେଶ୍ୱର: ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୪° ସେଲ୍‌ସିୟସ ରେକର୍ଡ ହୋଇଛି। ଏହା ସହିତ ରାଜ୍ୟର ଆଉ ୧୧ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ଖସିଛି ୨୦° ତଳକୁ। ଗତକାଲିଠାରୁ ଉତ୍ତର ଦିଗରୁ ଓଡ଼ିଶାକୁ ବହୁଥିବା ଥଣ୍ଡା ପବନ ପ୍ରକୋପରେ ଏଭଳି ଥଣ୍ଡା ଅନୁଭୂତ ହେଉଛି। କେବଳ ସର୍ବନିମ୍ନ ନୁହେଁ, ସର୍ବୋଚ୍ଚ ତାପମାତ୍ରା ଅର୍ଥାତ ଦିନବେଳାର ତାପମାନ ବି କମିବ। ଦିନେ ଦୁଇଦିନ ଭିତରେ ଏହା ଆହୁରି ୨° କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସୂଚନାନୁଯାୟୀ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଉତ୍ତର ଦିଗରୁ ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି। ଦୁଇଦିନ ତଳେ ପବନର ବେଗ ଘଣ୍ଟାକୁ ମାତ୍ର ୪/୫ କି.ମି. ଥିଲା। କିନ୍ତୁ ଆଜି ଏହା ୮/୧୦ କି.ମି.କୁ ବୃଦ୍ଧି ପାଇଛି। ତଦନୁଯାୟୀ ଥଣ୍ଡାର ପରିମାଣ ବି ବଢ଼ିଛି। ଦକ୍ଷିଣ ପଶ୍ଚିମ ଦିଗରୁ ସାମୁଦ୍ରିକ ବାୟୁର ଗତ ସେତେଟା ଅଧିକ ନାହିଁ। ଏହା ଓଡ଼ିଶା ଭିତରକୁ ଥଣ୍ଡା ପବନ ପଶିବାରେ ସହାୟକ ହେଉଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଗତ ୩/୪ ଦିନ ହେଲା ଟ୍ରଫ୍‌ ଲାଇନ ଥିଲେ ବି ତା’ର ପ୍ରଭାବ ଅନୁଭୂତ ହେଉନାହିଁ। ଏଣୁ ରାଜ୍ୟର ଅଧିକାଂଶ ସ୍ଥାନ ଶୁଖିଲା। ଏଣୁ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଥଣ୍ଡା ଆହୁରି ବଢ଼ିବ ଏବଂ ୧ ତାରିଖ ବେଳକୁ ସର୍ବନିମ୍ନ ତାପମାତ୍ରା ଆହୁରି ୨° କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଆଜି ଦାରିଙ୍ଗିବାଡ଼ିକୁ ଛାଡ଼ିଦେଲେ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪.୪° ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୧୪.୬°, କୋରାପୁଟରେ ୧୫.୪°, ଭବାନୀପାଟଣାରେ ୧୬°, ଝାରସୁଗୁଡ଼ାରେ ୧୬.୪°, କେନ୍ଦୁଝରରେ ୧୬.୫°, ସମ୍ବଲପୁରରେ ୧୭.୫°, ସୁନ୍ଦରଗଡ଼ରେ ୧୮°, ଅନୁଗୁଳ ଏବଂ ଟିଟିଲାଗଡ଼ରେ ୧୯°, ବଲାଙ୍ଗୀରରେ ୧୯.୫° ରହିଛି। ସର୍ବୋଚ୍ଚ ତାପମାତ୍ରା ୨୯°ରୁ ସର୍ବାଧିକ ୩୪.୫° ରହିଛି।

ସମ୍ବନ୍ଧିତ ଖବର