୨୦ ଯାଏଁ କମିବନି ଥଣ୍ଡାର ପ୍ରକୋପ

ଭୁବନେଶ୍ୱର: ଥଣ୍ଡା କମିବାର ନାଁ ଧରୁନି। ଲଗାତାର ସପ୍ତାହେ ହେଲା ଥରୁଛି ସାରା ଓଡ଼ିଶା। ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ଲଗାତାର ଭାବେ ତାପମାତ୍ରା ୪ ଡିଗ୍ରି ତଳେ ରହୁଥିବା ବେଳେ ଆଜି ସମସ୍ତ ସହରର ତାପମାତ୍ରା ୧୪ ଡିଗ୍ରି ତଳକୁ ଖସି ଆସିଛି। ପୁଣିଥରେ ଦାରିଙ୍ଗବାଡ଼ିର ତାପମାତ୍ରା ୩ ଡିଗ୍ରିକୁ ହ୍ରାସ ପାଇଛି। ଫୁଲବାଣୀରେ ପାରଦ ୩.୫ ଡିଗ୍ରିରେ ରହିଛି। କେତେକ ସ୍ଥାନରେ ହାଲକା କୁହୁଡ଼ି ଜାରି ରହିଛି। ଦାରିଙ୍ଗବାଡି, ଜି.ଉଦୟଗିରି, ବେଲଘର ଅଞ୍ଚଳରେ କେତେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳୁଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପାଗରେ ସେତେଟା ପରିବର୍ତନ ହେବାର ସମ୍ଭାବନା ନାହିଁ। ଗୋଟିଏ ଦୁଇ ଡିଗ୍ରି ଏପାଖ ସେପାଖ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦାରିଙ୍ଗବାଡ଼ି ଓ ଫୁଲବାଣୀକୁ ଛାଡ଼ି ଦେଲେ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ୫.୫, କେନ୍ଦୁଝରଗଡ଼ରେ ୭.୪, ଭବାନୀପାଟଣାରେ ୭.୫, ଅନୁଗୁଳରେ ୭.୬, ଝାରସୁଗୁଡ଼ାରେ ୭.୮, ହୀରାକୁଦରେ ୮.୩, ସୋନପୁର ଓ ବଲାଙ୍ଗିରରେ ୮.୫, ବାରିପଦାରେ ୮.୬, ସମ୍ବଲପୁରରେ ୮.୯, ବାଲେଶ୍ୱର ଓ ଢ଼େଙ୍କାନାଳରେ ୯.୩, ତାଳଚେରରେ ୯.୯ ଡିଗ୍ରି ରେକର୍ଡ ହୋଇଛି। କୋରାପୁଟ ଓ ଟିଟିଲାଗଡ଼ର ତାପମାତ୍ରା ୧୦ ଡିଗ୍ରି ରହିଛି। କଟକର ତାପମାତ୍ରା ଗୋଟିଏ ଡିଗ୍ରି ବୃଦ୍ଧି ପାଇ ୧୧ରେ ପହଞ୍ଚିଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୧୦.୬ ଡିଗ୍ରିକୁ ଖସି ଆସିଛି। ଚାନ୍ଦବାଲିରେ ୧୦.୮, ପୁରୀରେ ୧୩.୨, ପାରାଦ୍ୱୀପ ଓ ଗୋପଳପୁରରେ ୧୩.୫, ମାଲକାନଗିରିରେ ୧୩.୬ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର