ରାୟଗଡା : ୫ କୋଟିର ଶୀତଳ ଭଣ୍ଡାର ଏବେ ଭୂତକୋଠି

ଉଦ୍‌ଘାଟନ ପରଠୁ ଝୁଲୁଛି ତାଲା, ଅନାବନା ଗଛଲତାରେ ପରିପୂର୍ଣ୍ଣ ଶୀତଳ ଭଣ୍ଡାରର ଚତୁଃପାର୍ଶ୍ବ, ଛାତ ଉପରେ ଓ ଭିତରେ କାଠ ଭର୍ତି

ରାୟଗଡା : ୫ କୋଟି ବ୍ୟୟରେ ନିର୍ମାଣ ହେଲା ଶୀତଳ ଭଣ୍ଡାର। ଉଦ୍‌ଘାଟନ କଲେ ନିଜେ ମୁଖ୍ୟମନ୍ତ୍ରୀ। ଆଶା ଥିଲା ଚାଷୀଙ୍କ ଉପକାରରେ ଆସିବ। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ଉଦ୍‌ଘାଟନ ପରଠୁ ଝୁଲୁଛି ତାଲା। ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠିରେ ପରିଣତ ହେବାକୁ ଯାଉଥିବା ଶୀତଳ ଭଣ୍ଡାର ପୁନରୁଦ୍ଧାର ପାଇଁ ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ କାହାର ଆନ୍ତରିକତା ନାହିଁ। ପୁରୁଣା ଶୀତଳ ଭଣ୍ଡାର ଏପରି ଅବସ୍ଥା ଯୋଗୁଁ ଖୋଲିବାକୁ ଥିବା ନୂଆ ଶୀତଳ ଭଣ୍ଡାରକୁ ଅନୁମୋଦନ ଦେଉ ନାହାନ୍ତି ସରକାର।

ଦେଢ଼ ଏକର ପରିମିତ ଜମିରେ ମାର୍କଫେଡ୍ ଦ୍ବାରା ତୁମ୍ବିଗୁଡାରେ ନିର୍ମିତ ହୋଇଛି ଶୀତଳ ଭଣ୍ଡାର। ୫ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏହି ଶୀତଳ ଭଣ୍ଡାରରେ ରହିଛି ୩ଟି ବୃହତ ଗୋଦାମ। ୨୦୧୩ ଫେବ୍ରୁଆରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ଉଦ୍ୟାନ ବିଭାଗକୁ ଲିଜ୍ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କୌଣସି କାରଣରୁ ଉଦ୍ୟାନ ବିଭାଗକୁ ଶୀତଳ ଭଣ୍ଡାର ହସ୍ତାନ୍ତର ହୋଇ ପାରିଲାନି। ଏହାପରେ ପିପିପି ମୋଡରେ ଏହାକୁ ଚଲାଇବା ପାଇଁ ମାର୍କଫେଡ୍ ଓ ସରକାରଙ୍କ ପକ୍ଷରୁ ଉଦ୍ୟମ ହେଲା। ତାହା ବି ଫଳପ୍ରସୂ ହୋଇ ପାରିଲାନି। ଇତି ମଧ୍ୟରେ ୬ବର୍ଷ ବିତି ଯାଇଛି। ସବୁଠୁ ଆଶ୍ଚର୍ଯ୍ୟ କଥା ଶୀତଳ ଭଣ୍ଡାର କାର୍ଯ୍ୟକାରୀ ନ ହେବା ସତ୍ତ୍ବେ ଏହାର ମରାମତି ବାବଦକୁ ଖର୍ଚ ହୋଇଛି ଲକ୍ଷାଧିକ ଟଂକା। ମାସିକ ପିଅନ, ସୁରକ୍ଷାକର୍ମୀ, ଯନ୍ତ୍ରୀଙ୍କ ସହ ୩ ଜଣ ଶୀତଳ ଭଣ୍ଡାରରେ କାମ କରୁଥିବା ଦେଖାଇ ମାସିକ ଦରମା ପାଉଛନ୍ତି। ଦୀର୍ଘ ଦିନ ହେଲା ଏରିଆ ମ୍ୟାନେଜର୍ ପଦବି ଖାଲି ପଡିଥିବାରୁ ଏହାର ଦାୟିତ୍ବ ମାର୍କଫେଡ୍ ସାର ଗୋଦାମ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦିଆଯାଇଛି। କିନ୍ତୁ ଦାୟିତ୍ବରେ ଥିବା ଅଧିକାରୀ ଆଉ ୨ମାସ ପରେ ଅବସର ଗ୍ରହଣ କରିବାକୁ ଥିବାରୁ କାଦୁଅକୁ ଯିବି କାହିଁକି ଗୋଡ ଧୋଇବି କାହିଁକି ନ୍ୟାୟରେ ଉକ୍ତ ଶୀତଳ ଭଣ୍ଡାରରେ ପାଦ ପକାଇ ନାହାନ୍ତି। ଶୀତଳ ଭଣ୍ଡାର ଚତୁଃପାର୍ଶ୍ବ ଅନାବନା ଗଛଲତାରେ ପରିପୂର୍ଣ ହେବା ସହ ଛାତ ଉପରେ ଓ ଭିତରେ କାଠ ଭର୍ତି କରି ରଖାଯାଇଛି। ଏହି କାଠ କିଏ, କାହିଁକି ରଖିଛି ତାର ସୂଚନା ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ।

ଶୀତଳ ଭଣ୍ଡାରର ଏପରି ଅବସ୍ଥା ପାଇଁ ରାୟଗଡା ଓ ଗୁଣପୁରରେ ଖୋଲିବାକୁ ଥିବା ୪ଟି ଶୀତଳ ଭଣ୍ଡାରକୁ ଅନୁମତି ଦେଉ ନାହାନ୍ତି ସରକାର। ରାୟଗଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବଜାର ପ୍ରାଙ୍ଗଣରେ ୧୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୩ ବର୍ଷ ହେଲା ପ୍ରସ୍ତାବ ଯାଇଛି। ପାଖାପାଖି ୩୦ଲକ୍ଷ ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଶୀତଳ ଭଣ୍ଡାରରେ ରାୟଗଡା, କାଶୀପୁର, କୋଲନରା, କଲ୍ୟାଣସିଂହପୁର ବ୍ଲକରୁ ଉତ୍ପାଦିତ ହେଉଥିବା ତେନ୍ତୁଳି, ଆତ, କାନ୍ଦୁଲୁ, ପଣସ, ମୁଗ, ବିରି ସମେତ ଅନ୍ୟାନ୍ୟ ଫସଲ ଗଚ୍ଛିତ ହୋଇ ରହିବା ଲକ୍ଷ୍ୟ ଅଛି। ୨ବର୍ଷ ତଳେ ସରକାର ଶୀତଳ ଭଣ୍ଡାରରେ ବିନା କୌଣସି ଦେୟରେ ଚାଷୀ ନିଜର ଉତ୍ପାଦିତ ଫସଲ ରଖିବାକୁ ସରକାର ଘୋଷଣା କରିଛନ୍ତି। ଅଥଚ ରାୟଗଡାରେ ନିର୍ମିତ ଶୀତଳ ଭଣ୍ଡାର ଚାଲୁନଥିବା ବେଳେ ନୂଆକୁ ସରକାର ଅନୁମୋଦନ କରୁନଥିବାରୁ ଚାଷୀ ନିଜ ଉତ୍ପାଦିତ ଫସଲକୁ ଶାଗମାଛ ଦରରେ ବିକ୍ରି କରୁଛି। ସେହିପରି ଗୁଣପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମଧ୍ୟ ସୋଲାର ସିଷ୍ଟମ୍ ଜରିଆରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ସରକାରଙ୍କ ନିକଟକୁ ଯାଇଛି। ହେଲେ ଉକ୍ତ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିପାରୁନି। ଫଳରେ ୭ ବ୍ଲକରେ ଉତ୍ପାଦିତ ଟମାଟ, ବାଇଗଣ, ଭେଣ୍ଡି ସମେତ ଅନ୍ୟାନ୍ୟ ପରିବା ଆନ୍ଧ୍ର ମାର୍କେଟକୁ ଚାଲିଯାଉଛି। ଫସଲ ଅମଳ ପୂର୍ବରୁ ଆନ୍ଧ୍ର ବେପାରୀ ଚାଷୀଙ୍କୁ ଅଗ୍ରୀମ ଟଙ୍କା ଦେଉଥିବାରୁ ଉତ୍ପାଦନ ପରେ ଚାଷୀ ଉଚିତ୍ ଦରରେ ମାର୍କେଟରେ ପରିବା ବିକ୍ରି କରି ପାରୁନି। ବହୁ କମ ଦରରେ ବେପାରୀ ପରିବାକୁ କିଣି ନେଇ ପୁଣି ରାୟଗଡା ମାର୍କେଟକୁ ପଠାଇ ମୁନାଫା କମାଉଛନ୍ତି। ସରକାରକା ମାଲ୍ ଦରିଆ ମେଁ ଡାଲ୍ ନ୍ୟାୟରେ ୫ କୋଟିର ଶୀତଳ ଭଣ୍ଡାର ଭୂତକୋଠି ହୋଇ ପଡି ରହିଥିବା ବେଳେ ନୂଆକୁ ଅନୁମୋଦନ ମିଳୁନଥିବାରୁ ଚାଷୀଙ୍କ ସମେତ ଜିଲ୍ଲାବାସୀ ଆନ୍ଧ୍ର ବେପାରୀଙ୍କ ଦ୍ବାରା ଶୋଷିତ ହେଉଛନ୍ତି।

ସମ୍ବନ୍ଧିତ ଖବର