ଫନି ବିପର୍ଯ୍ୟୟର ୪୨ ଦିନ ପରେ ଅଟକିଛି ୫ ଶୀତଳଭଣ୍ଡାରର ପୁନରୁଦ୍ଧାର

ଘରୋଇ ବୀମା କମ୍ପାନି ଖେଳୁଛନ୍ତି ଖେଳ, ବ୍ୟାଙ୍କ ଚୁପ୍‌

ଭୁବନେଶ୍ବର : ଅତି ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଫନି ବିପର୍ଯ୍ୟୟ ଘଟାଇବାର ୪୨ ଦିନ ବିତିଗଲାଣି। ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆରମ୍ଭରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେପରି ତତ୍ପରତା ଦେଖାଉଥିଲେ, ସେଥିରେ ଶିଥିଳତା ପରିଲକ୍ଷିତ ହେଲାଣି। ବିଶେଷ କରି ବାତ୍ୟା ଦ୍ବାରା ଭୀଷଣ ଭାବେ କ୍ଷତିଗ୍ରସ୍ତ ୫ଟି ବୃହତ୍‌ ଶୀତଳ ଭଣ୍ଡାରର ପୁନରୁଦ୍ଧାର ଦିଗରେ ଘରୋଇ ବୀମା କମ୍ପାନୀମାନେ ଏବଂ ବ୍ୟାଙ୍କମାନେ ଉଦାସୀନ। ଏପରି କି ସେମାନେ କ୍ଷତିଗ୍ରସ୍ତ ଶୀତଳ ଭଣ୍ଡାରଗୁଡ଼ିକର କ୍ଷୟକ୍ଷତି ସର୍ଭେ କରି କ୍ଷତିପୂରଣ ପ୍ରଦାନ କରିବାରେ ଖେଳ ଖେଳୁଥିବା ଅଭିଯୋଗ ହେଉଛି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି) ଜରିଆରେ ବ୍ୟାଙ୍କ ଓ ବୀମା କମ୍ପାନୀମାନଙ୍କୁ ରାଜ୍ୟ ସରକାର ଯେଉଁ ନିର୍ଦେଶ ଦେଇଥିଲେ, ତା’କୁ ସେମାନେ ଖୋଲାଖୋଲି ଅବଜ୍ଞା କରୁଛନ୍ତିି।

ଶୀତଳ ଭଣ୍ଡାରଗୁଡ଼ିକରେ ଗଚ୍ଛିତ ସାମଗ୍ରୀ ଓ ସେଥିରେ ସଂଲଗ୍ନ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ଯୋଗୁଁ ପ୍ରାୟ ୭.୮୪ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଦର୍ଶାଇଛି ସାଇ ଶୀତଳ ଭଣ୍ଡାର, ପାଇକରାୟପୁର। କିନ୍ତୁ ଘରୋଇ ବୀମା କମ୍ପାନିମାନେ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଗଡ଼ାଇ ଚାଲିଛନ୍ତି। ପୁରୀର ଶୀତଳ ଭଣ୍ଡାର ଭାଙ୍ଗିରୁଜି ନଷ୍ଟ ହେବା ଯୋଗୁଁ ପ୍ରାୟ ୪ କୋଟିର କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଛି। ସେହି ସଂସ୍ଥାକୁ କ୍ଷତିପୂରଣ ମିଳିବ କ’ଣ, ସର୍ଭେ ପ୍ରକ୍ରିୟାରେ ଅଟକି ଯାଇଛି କ୍ଷୟକ୍ଷତି ଆକଳନ। କଟକ ଜିଲ୍ଲା କିଶନ ନଗରର ମଣ୍ଟେଶ୍ବରୀ ଆଗ୍ରୋ ଶୀତଳ ଭଣ୍ଡାର ପ୍ରାୟ ୧ କୋଟି ଟଙ୍କାର କ୍ଷତି ହୋଇଥିବା ଦାଖଲ କରିଛି ରିପୋର୍ଟ। କିନ୍ତୁ ବୀମା କମ୍ପାନିମାନଙ୍କର କ୍ଷୟକ୍ଷତି ଆକଳନ ଅଟକି ଯାଇଛି।

ଓଡ଼ିଶା ଶୀତଳ ଭଣ୍ଡାର ସଂଘ ଓ ଉଦ୍ୟୋଗୀମାନଙ୍କର ଜଗରନଟ୍‌ ସଂଘର ପ୍ରମୁଖ କର୍ମକର୍ତା ଜନାର୍ଦ୍ଦନ ସାହୁଙ୍କ କହିବାନୁସାରେ ବ୍ୟାଙ୍କମାନଙ୍କର ଚ୍ୟାନେଲ୍‌ ସହଯୋଗୀ ଭାବେ ଘରୋଇ ବୀମା କମ୍ପାନିମାନେ ବିପଦପୂର୍ଣ୍ଣ ବୀମା ନିମ‌େନ୍ତ ବିପୁଳ ପ୍ରିମିୟମ ଦାବି କରୁଛନ୍ତି। କିନ୍ତୁ ସେମାନେ ଜାଣିଶୁଣି ତୃତୀୟ ପକ୍ଷ ସର୍ଭେୟରଙ୍କୁ ପଠାଇ ପ୍ରକୃତ ବୀମା କ୍ଷତିପୂରଣ ଦାବି(କ୍ଲେମ୍‌)କୁ ଉଡ଼ାଇ ଦେଉଛନ୍ତି। କେବଳ ଶୀତଳ ଭଣ୍ଡାର ନୁହେଁ, ପୁରୀ, ଖୋର୍ଧା, କଟକ ଜିଲ୍ଲାର ଶହ ଶହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଘରୋଇ ବୀମା କମ୍ପାନିମାନଙ୍କ ଷଡ୍‌ଯନ୍ତ୍ରର ଶିକାର ହୋଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ରାଷ୍ଟ୍ରାୟତ୍ତ ବୀମା କମ୍ପାନିମାନେ ବାତ୍ୟା ପ୍ରଭାବିତମାନଙ୍କ କ୍ଷୟକ୍ଷତି ସଂପର୍କରେ ସର୍ଭେ କରି କ୍ଷତିପୂରଣ ପ୍ରଦାନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିଛନ୍ତିି।

ଘରୋଇ ବୀମା କମ୍ପାନିମାନଙ୍କ ଖେଳ ଚାଲିଥିବା ବେଳେ ସଂପୃକ୍ତ ବ୍ୟାଙ୍କଗୁଡ଼ିକ କେବଳ ନିରବଦ୍ରଷ୍ଟା ସାଜିନାହାନ୍ତି। ପ୍ରଭାବିତ ଉଦ୍ୟୋଗୀମାନଙ୍କୁ ନୂଆ ଋଣ ପ୍ରଦାନ କରିବା ତ ଦୂରର କଥା, ସେମାନଙ୍କର ପୂର୍ବ ଋଣ ଆଦାୟ ଉପରେ ଚାପ ପକାଉଛନ୍ତି। ତେବେ ଫନି ଦ୍ବାରା କ୍ଷତିଗ୍ରସ୍ତ ସଂସ୍ଥାମାନଙ୍କଠାରୁ ପୁରୁଣା ଋଣ ଆଦାୟ ନ କରି ନୂଆ ଋଣ ପ୍ରଦାନ କରିବା ପାଇଁ ଏସ୍‌ଏଲ୍‌ବିସି ବୈଠକରେ ବ୍ୟାଙ୍କମାନଙ୍କୁ ନିର୍ଦିଷ୍ଟ ନିଷ୍ପତ୍ତି ନିଆ ଯାଇଥିଲା। ସେହି ନିଷ୍ପତ୍ତିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ, ସମସ୍ତ ବ୍ୟାଙ୍କ, ବୀମା କମ୍ପାନୀମାନେ ଯୋଗଦେଇ ସମ୍ମତି ପ୍ରକାଶ କରିଥିଲେ। ତେବେ ସେହି ନିର୍ଦେଶକୁ କେହି କାର୍ଯ୍ୟକାରୀ କରୁନାହାନ୍ତିି।

ଶୀତଳ ଭଣ୍ଡାର ସଂଘ ସାଧାରଣ ସଂପାଦକ ଶ୍ରୀ ସାହୁ କହିଛନ୍ତି ଯେ ଯଦି ଶୀତଳ ଭଣ୍ଡାରଗୁଡ଼ିକ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାନକରେ, ଫସଲ ଉତ୍ପାଦନ ପରବର୍ତୀ ସ୍ଥିତି ଦୋହଲିଯିବ। ଚାଷୀଙ୍କ ସହିତ ସାଧାରଣ ଖାଉଟିଙ୍କ ଆର୍ଥିକ ସ୍ଥିତି ଆହୁରି ବିଗିଡ଼ିଯିବ। ଏହି ପରିପ୍ରେକ୍ଷୀରେ ଘରୋଇ ବୀମା କମ୍ପାନିମାନଙ୍କ କ୍ଷତିପୂରଣ ବାବଦ ଦାବି ସମାଧାନ ବ୍ୟବସ୍ଥାକୁ ତଦାରଖ କରିବାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ବ୍ୟାଙ୍କଗୁଡ଼ିକ ଘରୋଇ ବୀମା କମ୍ପାନୀଙ୍କ ଜରିଆରେ ବୀମା ନ କରିବା ପାଇଁ ସରକାର ସୁପାରିସ କରିବାକୁ ମଧ୍ୟ ଦାବି କରିଛନ୍ତି ଶ୍ରୀ ସାହୁ। ସେହିପରି ବ୍ୟାଙ୍କଗୁଡ଼ିକ ପ୍ରଭାବିତ ଶୀତଳ ଭଣ୍ଡାରଗୁଡ଼ିକର ପୁନଃନିର୍ମାଣ ପାଇଁ ତୁରନ୍ତ ଋଣ ସହାୟତା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତିି।

ସମ୍ବନ୍ଧିତ ଖବର