୨୨ରୁ ବନ୍ଦ ହେବ ଶୀତଳଭଣ୍ଡାର

ରାଜ୍ୟ ସରକାରଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଲା ସଂଘ

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକ୍ଷମ ସମସ୍ତ ଶୀତଳ ଭଣ୍ଡାର ଏବେ ଋଗ୍‌ଣ ଅବସ୍ଥାରେ ଗତି କରୁଛି। ଶୀତଳ ଭଣ୍ଡାର ଗୁଡ଼ିକରେ ସଂରକ୍ଷିତ ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଥିବା ବେଳେ ସରକାରଙ୍କ ପକ୍ଷରୁ ମଧ୍ୟ ଏଥିପାଇଁ କୌଣସି ପ୍ରୋତ୍ସାହନ ଦିଆଯାଉନାହିଁ। ବର୍ଷ ବର୍ଷ ଧରି ଶୀତଳ ଭଣ୍ଡାର ମାଲିକମାନେ ଲକ୍ଷାଧିକ ଟଙ୍କା କ୍ଷତିରେ ଚାଲୁଛନ୍ତି। ଏଭଳି ପରିସ୍ଥିତିରେ ଶୀତଳ ଭଣ୍ଡାରକୁ ଚଳାଇବା ସମ୍ଭବ ହେଉନାହିଁ। ତେଣୁ ଆସନ୍ତା ୭ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଗଲେ ୨୨ତାରିଖରୁ ସମସ୍ତ ଶୀତଳ ଭଣ୍ଡାର ବନ୍ଦ କରାଯିବ। ରାଜ୍ୟ ଶୀତଳ ଭଣ୍ଡାର ସଂଘ ଆଜି ଏଭଳି ସୂଚନା ଦେଇଛି।

ସ୍ଥାନୀୟ ହୋଟେଲ କେଶରୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଉପ-ସଭାପତି ପ୍ରଭାତ ତିବ୍ରଵାଲ କହିଥିଲେ, ୨୦୦୦ ମସିହା ପୂର୍ବରୁ ରାଜ୍ୟରେ ୧୨୦ଟି ଶୀତଳ ଭଣ୍ଡାର ଥିବା ବେଳେ ତାହା ଧୀରେ ଧୀରେ ୧୪/୧୫କୁ ଖସି ଆସିଥିଲା। ରାଜ୍ୟ ସରକାର ୨୦୧୫ ମସିହାରେ ଆଳୁ ମିସନ୍‌ର ଘୋଷଣା କରିଥିଲେ। ଆଳୁ ଉତ୍ପାଦନ ବୃଦ୍ଧି ସହିତ ଆଳୁକୁ ସଂରକ୍ଷିତ ରଖିବା ପାଇଁ ୧୧୨ଟି ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୨୬ଟି ନୂତନ ଶୀତଳ ଭଣ୍ଡାର ନିର୍ମାଣ ହୋଇପାରିଥିଲା। ଏହି ୨୬ଟି ନୂତନ ଶୀତଳ ଭଣ୍ଡାର ମଧ୍ୟରୁ ଏବେ ୨୪ଟିର ସ୍ଥିତି ଦୟନୀୟ ରହିଛି। ଏବେ ସମୁଦାୟ ୪୦ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି।

ସଂଘର େନତାମାେନ କହିଥିଲେ, ଗୋଟିଏ ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ଅଢେଇରୁ ତିନି କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ ହେଉଥିବା ବେଳେ ଭଣ୍ଡାରରେ ଆବଶ୍ୟକ ଜିନିଷ ରହୁନାହିଁ। ୩ବର୍ଷ ପୂର୍ବରୁ ରାଜ୍ୟରେ ୨ଲକ୍ଷ ଟନ୍‌ ଆଳୁ ଉତ୍ପାଦନ ହେଉଥିଲା। ଏବେ ତାହା କମି କମି ଚାଲିଛି। ରାଜ୍ୟ ସରକାରଙ୍କ ଆଳୁ ମିସନ୍‌ ସଂପୂର୍ଣ୍ଣ ଫେଲ୍‌ ମାରିଛି। ଶୀତଳ ଭଣ୍ଡାରରେ ଆବଶ୍ୟକ ଆଳୁ ରହୁ ନ ଥିବାରୁ ମାଲିକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି। ଏପରିକି ରାଜ୍ୟ ବାହାରର ଆଳୁ ଆଣି ଓଡ଼ିଶାରେ ରଖିବା ମଧ୍ୟ ସମ୍ଭବ ହେଉନାହିଁ। ପରିବହନ ଖର୍ଚ ଅଧିକ ହେଉଥିବାରୁ ଓଡ଼ିଶାର ଶୀତଳ ଭଣ୍ଡାରରେ ବାହାର ରାଜ୍ୟରୁ ଆଳୁ ଆସିପାରୁ ନାହିଁ। କେବଳ ରାଜ୍ୟରେ ଉତ୍ପାଦିତ ଆଳୁ ଶୀତଳ ଭଣ୍ଡାରରେ ରହିଲେ ହିଁ, ଏହାର ବିଦ୍ୟୁତ ରିହାତି ମିଳିବ ବୋଲି ରାଜ୍ୟ ସରକାରଙ୍କର ନିୟମ ରହିଛି। ମାତ୍ର ରାଜ୍ୟରେ ଆବଶ୍ୟକ ଆଳୁ ଉତ୍ପାଦନ ହେଉ ନ ଥିବା ବେଳେ ବିଦ୍ୟୁତ ସବ୍‌ସିଡି ମିଳିପାରୁ ନାହିଁ। ଏଭଳି ପରିସ୍ଥିତିରେ ଆଗକୁ ଶୀତଳ ଭଣ୍ଡାର ଚଳାଇବା ସମ୍ଭବ ହେବ ନାହିଁ ବୋଲି ଶ୍ରୀ ତିବ୍ରଵାଲ କହିଥିଲେ।

ସଂଘର ସଂପାଦକ ଜନାର୍ଦନ ସାହୁ କହିଲେ, ରାଜ୍ୟରେ ଶୀତଳ ଭଣ୍ଡାର ଗୁଡ଼ିକର ଦୟନୀୟ ସ୍ଥିତିରେ ସୁଧାର ଆଣିବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ବାରମ୍ବାର ଆଲୋଚନା ହୋଇଛି। ବିଭାଗୀୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ସରକାରଙ୍କ ପକ୍ଷରୁ କୌଣସି ଉଚିତ୍‌ ପଦକ୍ଷେପ ନିଆଯାଇ ନାହିଁ। ଗୋଟିଏ ଶୀତଳ ଭଣ୍ଡାରରେ ୨୦/୨୫ ସିଧାସଳଖ ନିଯୁକ୍ତି ରହିଥିବା ବେଳେ ୩ଶହରୁ ୪ଶହ ପରୋକ୍ଷଭାବେ ନିଯୁକ୍ତି ପାଉଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳରେ ୧୦ ହଜାର ଚାଷୀ ଉପକୃତ ହୋଇପାରୁଛନ୍ତି। ଏପରିସ୍ଥଳେ ରାଜ୍ୟ ସରକାର ଶୀତଳ ଭଣ୍ଡାର ଗୁଡ଼ିକୁ ଚଳାଇବା ପାଇଁ ପ୍ରୋତ୍ସାହନ ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରନ୍ତୁ ବୋଲି ଶ୍ରୀ ସାହୁ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସୁରେଶ ରଂଜନ ସାହୁ ଓ ଅନୁଭବ ଲାଠ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର