୩୦ ଯାଏଁ ଉତ୍ତରରେ ‘ଥଣ୍ଡା ଦିନ’ ପରିସ୍ଥିତି
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ
ପଶ୍ଚିମ ତୁଳନାରେ ଉତ୍ତରରେ ଜାଡ଼ ଅଧିକ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ଏଥର ଶୀତ ଋତୁ ତା’ର ଯେପରି ଚିର ପରିଚିତ ସ୍ଥାନ ବଦଳାଇ ଦେଇଛି। ସାଧାରଣତଃ ପଶ୍ଚିମ ଓଡ଼ିଶାରେ ପ୍ରଥମେ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ। ପରେ ଅଭ୍ୟନ୍ତର, ଉତ୍ତର, ଉପକୂଳ ଅଞ୍ଚଳକୁ କବଳିତ କରେ ଶୀତ। ଆଜି ପଶ୍ଚିମ ତୁଳନାରେ ଉତ୍ତର, ଅଭ୍ୟନ୍ତର ଓଡ଼ିଶାରେ ପାରଦ ଅଧିକ ଖସିଛି। ଉତ୍ତରର ବିଭିନ୍ନ ସ୍ଥାନରେ ଆଜି ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୫° କମ୍ ରହିଛି। ଆଜି କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ୧୧.୨° ସେଲ୍ସିୟସ, ଯାହାକି ସମଗ୍ର ରାଜ୍ୟରେ କମ୍। କେବଳ ଆଜି ନୁହେଁ, ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ଏଭଳି ଥଣ୍ଡା ଲାଗିି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦ୍ରର ସୂଚନା ଅନୁସାରେ ସର୍ବନିମ୍ନ ତାପମାତ୍ରା ୧୦°ରୁ ଅଧିକ ଥାଇ ତାହା ସ୍ୱାଭାବିକ ତାପମାତ୍ରାଠାରୁ ୫° ତଳକୁ ଖସିଲେ, ଏହାକୁ ‘ଥଣ୍ଡା ଦିନ’ ପରିସ୍ଥିତି କୁହାଯିବ ବୋଲି ଦର୍ଶାଇଛି ପାଣିପାଗ କେନ୍ଦ୍ର।
ଏହାର ସୂଚନାନୁସାରେ ଗତ କିଛି ଦିନ ହେଲା ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ପବନ ବହିବା ଆରମ୍ଭ ହୋଇଛି। ତେବେ ଏହା ସହିତ ଆରବ ମହାସାଗରରୁ ବହୁଥିବା ପବନରେ ଜଳୀୟବାଷ୍ପ ଆସି ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବେଶ କରୁଥିବାରୁ ସେସବୁ ସ୍ଥାନରେ ତାପମାତ୍ରା ସାମାନ୍ୟ ଅଧିକ ରହୁଛି ବୋଲି ମତ ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ଗତକାଲି କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୪.୪° ଥିଲା। ଆଜି ରେକର୍ଡ ହୋଇଛି ୧୧.୨°। ଦେଖିବାକୁ ଗଲେ ଦିନକରେ ପୂରା ୩°ରୁ ଅଧିକ କମିଗଲା। ସେହିପରି ଗତକାଲି ବାରିପଦାରେ ୧୩.୮° ଥିବା ବେଳେ ଆଜି ୧୨°କୁ କମିଛି। ବାଲେଶ୍ୱରରେ ୧୪° ଥିଲା, ଆଜି ହେଲା ୧୨.୫°।
ଆଜି କେବଳ ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦° ତଳେ ରହିଛି। ଫୁଲବାଣୀରେ ୧୧.୫°, ଦାରିଙ୍ଗିବାଡ଼ିରେ ୧୨.୫°, ଝାରସୁଗୁଡ଼ାରେ ୧୨.୮°, ଅନୁଗୁଳରେ ୧୩.୬°, କଟକରେ ୧୪°, ସମ୍ବଲପୁରରେ ୧୪.୩°, ଭୁବନେଶ୍ୱରରେ ୧୫.୩°, ବଲାଙ୍ଗୀରରେ ୧୬° ରହିଛି।