ଜାଡ଼ରେ ଥରୁଛି ନୟାଗଡ଼ : ସକାଳେ କୁହୁଡି, ରାତିରେ କମୁଛି ତାପମାତ୍ରା

ସାଧାରଣ ଜୀବନ ଅସ୍ତବ୍ୟସ୍ତ

ନୟାଗଡ଼ : ହାଡ଼ଭଙ୍ଗା ଜାଡ଼ରେ ଥରୁଛି, ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲ୍ଲା ମଧ୍ୟ ବାଦ୍ ପଡ଼ିନି। ପାହାଡ଼ର ପାଦଦେଶରେ ଥିବା ନୟାଗଡ଼ରେ ରାତିରେ ତାପମାତ୍ର ବହୁ ତଳକୁ ଖସୁଥିବାରୁ ‌ଶୀତର ପ୍ରକୋପ ଅସହ୍ୟ ହୋଇଉଠୁଛି। ଦିନ ସାରା ମଧ୍ୟ ଶୀତୁଆ ପରିବେଶକୁ ସକାଳ ସାଢେ ଆଠଟା, ନଅଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଥିବାରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି।

ନୟାଗଡ଼ ସହର‌ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକ ଶୀତର ପ୍ରକୋପରୁ ତ୍ରାହି ତ୍ରାହି ଡାକିଲେଣି। ରାତି ପ୍ରାୟ ୯ଟା ସୁଦ୍ଧା ଅଧିକାଂଶ ଦୋକାନ ବଜାର‌‌ରେ ତାଲା ପଡ଼ି ଯାଉଥିବା ଦେଖିବାକୁ ମିଳୁଛି। ସନ୍ଧ୍ୟା ହେଉ ହେଉ ମାଡ଼ି ଆସୁଛି ଜାଡ଼। ରାତି ବଢିବା ଆରମ୍ଭ କଲେ ପାରଦ ତଳକୁ ଖସୁଛି। ସକାଳ ନଅଟା ନବାଜିବା ପର୍ଯ୍ୟନ୍ତ ସୂର୍ଯ୍ୟ କୁହୁଡି ପ୍ରଭାବରେ ଦେଖା ଯାଉନାହାନ୍ତି। ରାତି ସାରା ଥରାଇ ଦେଉଛି ଜାଡ଼। ଡିସେମ୍ବର ମାସ ପ୍ରାରମ୍ଭରେ ଶୀତର ପ୍ରକୋପ ନୟାଗଡ଼ ଜିଲ୍ଲାରେ ନିୟନ୍ତ୍ରଣାଧୀନ ଥିବା ବେ‌ଳେ ‘ପେଥାଇ’ ପ୍ରଭାବରେ ବର୍ଷା ପରେ ନୟାଗଡ଼ରେ ଅଧିକ ଶୀତ ଅନୁଭୂତ ହେଉଥିବା କୁହାଯାଉଛି। ଜୋତା, ମଫଲର୍‌ଠାରୁ ଆରମ୍ଭ କରି ଜ୍ୟାକେଟ୍ ଭଳି ଶୀତବସ୍ତ୍ର ବ୍ୟବହାର କଲେ ମଧ୍ୟ ଏହା ଥଣ୍ଡାକୁ ରୋକିବାରେ ଯଥେଷ୍ଟ ହେଉନାହିଁ। ମଧ୍ୟାହ୍ନ ସମୟରେ ସାଧରଣ ସ୍ଥିତି ଦେଖାଯାଉଥିବା ବେଳେ ପ୍ରାୟ ଅପରାହ୍ଣ ୩ଟାରୁ ଶୀତ ମାଡ଼ି ଆସୁଛି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଶୀତ ପାଇଁ ଅଧିକ ସମସ୍ୟାରେ ପଡ଼ୁଛନ୍ତି।

ଗତ ପ୍ରାୟ ଏକ ସପ୍ତାହ ହେବ ନୟାଗଡ଼ ଜିଲ୍ଲାରେ ଶୀତର ପ୍ରଭାବ ଅଧିକ ‌ଅନୁଭୂତ ହେଉଥିବା ବେଳେ ପାଣିପାଗ ବିଜ୍ଞାନୀମାନେ ଆସନ୍ତା ୭ ଦିନ ଅର୍ଥାତ ନୂଆବର୍ଷ ପର୍ଯ୍ୟନ୍ତ, ଏହାର ପ୍ରଭାବ କମିବାର ସମ୍ଭାବନ ନଥିବା ସୂଚନା ଦେଇଥିବାରୁ ଲୋକେ ଅଧିକ ଭୟଭୀତ ‌ହୋଇଗଲେଣି। ଶୀତର ପ୍ରକୋପ ପାଇଁ ଅନେକ ଜାଗାରେ ଲୋକମାନେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଥିବା ବେଳେ ସକାଳେ ଚା ଦୋକାନରେ ମଧ୍ୟ ଭିଡ଼ ଜମୁଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଶୀତ ଜିଲ୍ଲାରେ ଅନୁଭୂତ ହେଉଥିବା ଜଣାପଡ଼ିଛି।

ଶୀତ ପାଇଁ ନୟାଗଡ଼ ସହରରେ ଅନେକ ଅସ୍ଥାୟୀ ଶୀତବସ୍ତ୍ରର ପସରା ରାସ୍ତା ପାର୍ଶ୍ବରେ ଦେଖିବାକୁ ମିଳିଛି। ସାଧାରଣ ଦୋକାନ ସମେତ ଶୀତବସ୍ତ୍ର କିଣିବା ପାଇଁ ରାସ୍ତାପାର୍ଶ୍ବ ଉଠା ଦୋକାନରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଜମୁଛି। ଶୀତ ବସ୍ତ୍ର ବ୍ୟବସାୟୀମାନେ ଶୀତର ଫାଇଦା ଉଠାଇ ଚଢ଼ାଦରରେ ଏହାକୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିବା ବେଳେ ଗ୍ରାହକମାନେ ମଧ୍ୟ ଜାଡ଼ ଭୟରେ ଦାମ୍‌କୁ ଖାତିର୍‌ ନକରି ଏହାକୁ କିଣି ନେଉଥିବା ଦେଖାଯାଇଛି। ବିଭିନ୍ନ ବସ୍ତିବାସିନ୍ଦା, ଗରିବ ତଥା ରାସ୍ତାଘାଟରେ ବୁଲୁଥିବା ଅସହାୟ ଲୋକ ଶୀତବସ୍ତ୍ର ଅଭାବରୁ ଜାଡ଼ରେ ଅଧିକ ପ୍ରଭାବିତ ହେଉଥିବା ଦେଖାଯାଇଛି। ଅସହାୟ ଲୋକଙ୍କ ପାଇଁ ନୟାଗଡ଼ ସହରରେ ଥିବା ଆଶ୍ରୟସ୍ଥଳୀକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର