ଶୀତରେ ଥରୁଛି ସାରା ରାଜ୍ୟ

ଦିନକରେ ପାରଦ ଖସିଲା ୩ରୁ ୫ ଡିଗ୍ରି

୧୦ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରିରୁ କମ୍‌

ଭୁବନେଶ୍ୱର : ଶୀତ ପ୍ରକୋପରେ ସାରା ରାଜ୍ୟ ଥରୁଛି। ଗୋଟିଏ ଦିନରେ ସାରା ରାଜ୍ୟରେ ତାପମାତ୍ରା ହାରାହାରି ୩ ଡିଗ୍ରି ପର୍ଯ୍ୟନ୍ତ ଖସିଛି। ସେହି ଅନୁପାତରେ ଥଣ୍ଡା ମଧ୍ୟ ବଢ଼ିଛି। ତେବେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରେ। ଗତକାଲି ଏଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ସେଲ୍‌ସିୟସ ଥିବା ବେଳେ ଆଜି ଏହା ୩ ଡିଗ୍ରିକୁ ଖସି ଆସିଛି। ଅର୍ଥାତ ଦିନକରେ କମିଛି ୫ ଡିଗ୍ରି। ସେହିଭଳି ଫୁଲବାଣୀରେ ଗତକାଲି ୬.୫ ଡିଗ୍ରି ଥିବା ବେଳେ ଆଜି ଏହା ୩.୫କୁ ଖସି ଆସିଛି। ଉପକୂଳ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଗତକାଲି କଟକରେ ୧୨.୫ ଡିଗ୍ରି ଥିଲା ବେଳେ ଆଜି ୧୧ ଡିଗ୍ରି ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ୧୪.୭ରୁ ହ୍ରାସ ପାଇ ୧୧.୮ ଡିଗ୍ରି ସେଲସିୟସରେ ପହଞ୍ଚିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ସ୍ଥିତି ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜିର ଥଣ୍ଡା ଏହି ବର୍ଷର ରେକର୍ଡ ବୋଲି କୁହାଯାଇପାରେ।

ପାଣିପାଗ କେନ୍ଦ୍ରର ସୂଚନା ବୟାନ କରୁଛି ଯେ ବର୍ତମାନ ଆକାଶ ମେଘମୁକ୍ତ, ଶୁଖିଲା ପାଗ ରହିଛି। ଥଣ୍ଡା ବଢ଼ିବା ପାଇଁ ଏଭଳି ପାଗ ବେଶ୍‌ ଅନୁକୂଳ। ତା’ ସାଙ୍ଗକୁ ଉତ୍ତର ପୂର୍ବ ଦିଗରୁ ବହୁଛି କାଲୁଆ ପବନ। ପବନର ବେଗ ଘଣ୍ଟା ପ୍ରତି ୨୫ରୁ ୩୦ କି.ମି. ଥିବାରୁ ଏହା ଅକ୍ଲେଶରେ ପଶ୍ଚିମ ଭାଗ ଦେଇ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ମାଡ଼ି ଆସୁଛି। ଫଳରେ ହଠାତ୍‌ ବଢ଼ିଯାଇଛି ଜାଡ଼। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ପାରଦ ସ୍ୱାଭାବିକ ମାତ୍ରାଠାରୁ ୨-୩ ଡିଗ୍ରି ହ୍ରାସ ପାଇଛି। ଫୁଲବାଣୀରେ ବର୍ଷର ଶେଷ ଆଡ଼କୁ ସର୍ବନିମ୍ନ ତାପମାତ୍ରା ପ୍ରାୟ ୭ ଡିଗ୍ରି ରହିବା କଥା। କିନ୍ତୁ ଏବେ ୩.୫ କମ୍‌ ରହିଛି। ସେହିପରି ଝାରସୁଗୁଡ଼ାରେ ୧, କଟକରେ ୪, ବାଲେଶ୍ୱରରେ ୩, ଭୁବନେଶ୍ୱରରେ ୩.୫ ଡିଗ୍ରି କମ୍‌ ରହିଛି। ଏହା ଶୀତ ଋତୁର ସବୁଠାରୁ କମ୍‌ ତାପମାତ୍ରା କହିହେବ। ଆସନ୍ତାକାଲିଠାରୁ ପାଗ ବଦଳି ତାପମାତ୍ରା ବଢ଼ିପାରେ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି।

ଓଡ଼ିଶାରେ ବର୍ଷା ସମ୍ଭାବନା ସଂପର୍କରେ ଡ. ସାହୁଙ୍କ ପୂର୍ବାନମାନ ହେଉଛି ଯେ ଆସନ୍ତା ୨୯ ତାରିଖ ବେଳକୁ ବଙ୍ଗୋପ ସାଗରରେ ଗୁରୁଚାପ ସୃଷ୍ଟି ହୋଇପାରେ। ତା’ ପ୍ରଭାବରେ ୩୦/୩୧ ତାରିଖରୁ ବର୍ଷା ହେବ। ଜାନୁଆରି ୨ ପର୍ଯ୍ୟନ୍ତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି।

ଆଜି ୧୦ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦°ରୁ କମ୍‌ ରହିଛି। ଦାରିଙ୍ଗିବାଡ଼ି, ଫୁଲବାଣୀକୁ ଛାଡ଼ିଦେଲେ, ହୀରାକୁଦରେ ୮.୧°, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ଼ରେ ୮.୫°, ବଲାଙ୍ଗୀର, ଝାରସୁଗୁଡ଼ାରେ ୮.୮°, ଅନୁଗୁଳରେ ୯°, କୋରାପୁଟରେ ୯.୬° ରହିଛି। ସେହିପରି ୧୨° ବା ତା’ ତଳେ ରହିଥିବା ସ୍ଥାନଗୁଡ଼ିକ ହେଉଛି ସୋନପୁର ୧୦.୨°, କେନ୍ଦୁଝର ୧୦.୩°, କଟକ, ବାଲେଶ୍ୱର ୧୧°, ଭୁବନେଶ୍ୱର ୧୧.୮°, ଟିଟିଲାଗଡ଼, ଚାନ୍ଦବାଲି ୧୨°।

ସମ୍ବନ୍ଧିତ ଖବର