ହାଡ଼ଭଙ୍ଗା ଜାଡ଼

୧୦ ବର୍ଷର ରେକର୍ଡ ଭାଙ୍ଗିଲା ପାରଦ

ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ଓଡ଼ିଶା। ଗାଁଠୁ ସହର, ଉପାନ୍ତରୁ ଉପକୂଳ ସବୁଠି ହାଡ଼ଭଙ୍ଗା ଶୀତ। ଲଗାତାର ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବା କ୍ଷେତ୍ରରେ ୧୦ ବର୍ଷର ରେକର୍ଡ ଭଙ୍ଗ ହୋଇଛି। ଗତ ୧୦ ବର୍ଷର ଜାନୁଆରି ମାସର ସର୍ବନିମ୍ନ ତାପମାତ୍ରାକୁ ଦେଖିଲେ କୌଣସି ବର୍ଷ ଏତିକି ଦିନ ଜାଡ଼ ଲାଗି ରହି ନ ଥିଲା। ଶେଷ ଥର ଲାଗି ୨୦୧୪ ଡିସେମ୍ବର ମାସରେ ଲଗାତାର ୮ ଦିନ ପର୍ଯ୍ୟନ୍ତ ୧୦ରୁ ଅଧିକ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ଓ ଫୁଲବାଣୀର ତାପମାତ୍ରା ୩ ଡିଗ୍ରି ତଳକୁ ଖସି ଆସିଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ରaର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ କହୁଛି, ସ୍ଥିତିରେ ବିଶେଷ ପରିବର୍ତନ ସମ୍ଭାବନା ଆପାତତଃ ନାହିଁ। ଅନ୍ୟପକ୍ଷରେ ଓୟୁଏଟି କୁଳପତି ତଥା କୃଷି ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତାକାଲି ଠାରୁ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିପାରେ। କିନ୍ତୁ ବାଲେଶ୍ୱର, ପୂର୍ବ ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଥଣ୍ଡା ପୂର୍ବଭଳି ଜାରି ରହିବ।

ଉଲ୍ଲେଖଥାଉକି, ୨୦୧୮ ଆରମ୍ଭରୁ ଲଗାତାର ଭାବେ ପାରଦ ହ୍ରାସ ପାଇବାରେ ଲାଗିଛି। ଜାନୁଆରି ପହିଲାରେ ରାଜ୍ୟର କାଁ ଭାଁ ବର୍ଷା ହୋଇଥିବାରୁ ମାତ୍ର ୩ଟି ସହର ତାପମାତ୍ରା ୧୦ ଡିଗ୍ରି ତଳେ ଥିଲା। ଏହାପରେ କିନ୍ତୁ ସ୍ଥିତି ଜଟିଳ ହୋଇଯାଇଛି। ୪ ତାରିଖରେ ୭ଟି ସହର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଏହାପରେ ଆଉ ତାପମାତ୍ରା ବୃଦ୍ଧି ପାଇ ନାହିଁ। ଜାନୁଆରି ୫, ୬, ୭ ତାରିଖରେ ଲଗାତାର ଭାବେ ୧୩ଟି ସହରର ପାରଦ ୧୦ ଡିଗ୍ରି ତଳେ ଥିବା ବେଳେ ୮ରେ ୧୦ ଡିଗ୍ର୍ରି ତଳେ ୧୫ ସହର ରହିଥିଲା। ଗତକାଲି ୧୪ ଡିଗ୍ରି ତଳେ ସବୁ ସହର ଥିବା ବେଳେ ଆଜି ୧୪ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏଭଳି ଜାଡ଼ ହେଉଛି ଯେ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଫୁଲବାଣୀ, ଦାରିଙ୍ଗବାଡ଼ି, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼ ପରି ସ୍ଥାନରେ ଲୋକେ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ବି ଜାରି ରହିଛି। ଯେଉଁଥିପାଇଁ ଲୋକେ ଗାଡ଼ିରେ ବାହାରକୁ ଯିବା ସମୟରେ ଦୁର୍ଘଟଣାର ଆଶଙ୍କା ବି ବଢ଼ୁଛି। ଅପରାହ୍ନ ୪ଟା ବାଜିବା କ୍ଷଣି ସ୍ଥିତି ଆହୁରି ଜଟିଳ ହୋଇପଡ଼ୁଛି। ଥରୁଛି ଶରୀର। ବିନା ଶୀତବସ୍ତ୍ରରେ ଲୋକେ ପଦାକୁ ହିଁ ବାହାରି ପାରୁ ନାହାନ୍ତି। ସନ୍ଧ୍ୟା ଟପିବା କ୍ଷଣି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଘରେ ତାଟି କବାଟ ପଡ଼ୁଛି। ରାତି ଯେତିକି ବଢ଼ୁଛି ପାରଦ ସେତିକି ହ୍ରାସ ପାଉଛି।

ଡ. ସାହୁଙ୍କ କହିବା କଥା ହେଉଛି, ଏଭଳି ସ୍ଥିତି ଆହୁରି ୧୦ ଦିନ ପର୍ଯ୍ୟନ୍ତ ଜାରି ରହିବ। ଯେତିକି ପାରଦ ରହୁଛି ଆଉ ଏକରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ। ରାତି ସମୟରେ ଜାଡ଼ ଅଧିକ ଅନୁଭୂତ ହେବ। ଯେଉଁଠି ତାପମାତ୍ର୍ରା ୫ ଡିଗ୍ରି ତଳେ ରହୁଛି ସେଠାରେ ଲୋକେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଡ. ପଶୁପାଳକ କହିଛନ୍ତି, ୧୫ ତାରିଖଠାରୁ ପୁଣି ତାପମାତ୍ରା କମିବ। ୧୮ ତାରିଖ ପରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ବର୍ତମାନ ରାଜ୍ୟକୁ ଜାମ୍ମୁ କଶ୍ମୀର ରଠାରୁ ଉତ୍ତରା ଥଣ୍ଡା ପବନ ବୋହୁଥିବାରୁ ଏଭଳି ସ୍ଥିତି ଉପୁଜିଛି। ୧୫ ତାରିଖ ପର୍ଯ୍ୟନ୍ତ ହିମାଳୟ ପରିବର୍ତେ ପାକିସ୍ତାନ ଆଡ଼ୁ ସିଧା ପବନ ଓଡ଼ିଆ ଆଡ଼କୁ ଆସିବ। ତେଣୁ ତାପମାତ୍ରା ବଢ଼ିପାରେ।

ଥଣ୍ଡା ଦ୍ୱାରା ଶୀତ ଦିନିଆ ପନିପରିବା ସହ ଆମ୍ବ, କାଜୁ ପରି ଫସଲ ଭଲ ଉତ୍ପାଦନ ହେବ। ତେବେ ରବିରେ ବୁଣା ଯାଇଥିବା ମୁଗ, ବିରି ଆଦି ଫସଲର ଉତ୍ପାଦନ ହ୍ରାସ ପାଇବ। ଏଥିସହ ସମୁଦ୍ରତଟବର୍ତୀ ଅଞ୍ଚଳ ବ୍ରହ୍ମଗିରିଠାରୁ ଭଦ୍ରକ କାର୍ତ୍ତିକ ମାସ ପରେ ଲଗାଯାଇଥିବା ଧାନ ପ୍ରଭାବିତ ହେବ। ୧୦ରୁ ୧୨ ବର୍ଷ ତଳେ ଏଭଳି ପ୍ରଭାବ ପଡ଼ିଥିଲା। ସାରା ରାଜ୍ୟରେ ତାପମାତ୍ରା ୧୦ ଡିଗ୍ରି ତଳେ ରହୁଥିବାରୁ ଧାନ ବିଶେଷ ପ୍ରଭାବିତ ହେବ।

ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଦାରିଙ୍ଗବାଡ଼ିରେ ୪, ସୁନ୍ଦରଗଡ଼ରେ ୬.୫, ହୀରାକୁଦରେ ୭.୧, ଅନୁଗୁଳରେ ୭.୬, କେନ୍ଦୁଝରଗଡ଼ରେ ୭.୯, ଝାରସୁଗୁଡ଼ାରେ ୮, ଭବାନୀପାଟଣା ଓ ବଲାଙ୍ଗିରରେ ୮.୨, ସମ୍ବଲପୁରରେ ୮.୩, ସୋନପୁରରେ ୮.୪, ବାରିପଦାରେ ୯, ଢ଼େଙ୍କାନାଳରେ ୯.୧, ବାଲେଶ୍ୱରରେ ୯.୪, କଟକରେ ୧୦, ତାଳଚେରରେ ୧୦.୫, କୋରାପୁଟ ଓ ଟିଟିଲାଗଡ଼ରେ ୧୦.୫, ଚାନ୍ଦବାଲିରେ ୧୦.୬, ଭୁବନେଶ୍ୱରରେ ୧୧, ପାରାଦ୍ୱୀପରେ ୧୨.୯, ମାଲକାନଗିରିରେ ୧୩.୪, ପୁରୀରେ ୧୪ ଏବଂ ଗୋପାଳପୁରରେ ୧୪.୧ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର