ଥରୁଛି ଓଡ଼ିଶା : ବଡ଼ଦିନ ଯାଏଁ ଥଣ୍ଡା ଲହରୀ

୧୦° ତଳେ ୧୦ଟି ସ୍ଥାନ

ଫୁଲବାଣୀରେ ୫°, ଲମତାପୁଟରେ ବରଫପାତ

ଭୁବନେଶ୍ୱର : ଗତକାଲି ଭଳି ଆଜି ଜାଡ଼ରେ କମ୍ପୁଛି ସାରା ରାଜ୍ୟ। ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଲହରୀ ପରିସ୍ଥିତି ଜାରି ରହିଛି। ବିଶେଷ କରି ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ରା ୫°, ଦାରିଙ୍ଗିବାଡ଼ିରେ ୫.୫° ରେକର୍ଡ ହୋଇଛି। କୋରାପୁଟ ଜିଲ୍ଲାର ଜଳଭଣ୍ଡାର ଘେରା ଲମତାପୁଟ ଅଞ୍ଚଳରେ ବରଫପାତ ହୋଇଛି। ପଶ୍ଚିମ, ଉତ୍ତର ଏପରି କି ଉପକୂଳବର୍ତୀ ଅଞ୍ଚଳ ଥଣ୍ଡାର ପ୍ରକୋପରୁ ବାଦ୍‌ ପଡ଼ିନାହିଁ। ୧୦ଟି ସ୍ଥାନରେ ପାରଦ ଖସିଛି ୧୦° ତଳକୁ। ଉତ୍ତର ଓଡ଼ିଶାର ବାଲେଶ୍ୱରଠାରୁ ଆରମ୍ଭ କରି ଝାରସୁଗୁଡ଼ା ଯାଏଁ ଆସନ୍ତାକାଲି ସକାଳେ ଦେଖିବାକୁ ମିଳିବ କୁହୁଡ଼ି। ବଡ଼ଦିନ ଅର୍ଥାତ୍‌ ୨୫ ତାରିଖ ଯାଏଁ ଏଭଳି ଥଣ୍ଡାର ପ୍ରକୋପ ଜାରି ରହିବ।

ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହାର ସୂଚନା ମୁତାବକ ଉତ୍ତର ଦିଗରୁ କାଲୁଆ ପବନ ବହୁଛି। ପବନର ବେଗ ବି ଅଧିକ ରହୁଛି। ବାୟୁମଣ୍ଡଳର ତଳଭାଗରେ ଜଳୀୟବାଷ୍ପ ପରିମାଣ ୪୦ ପ୍ରତିଶତରୁ କମ୍‌ ଥିବା ବେଳେ ଉପରିଭାଗରେ ରହୁଛି ମାତ୍ର ୧୦ ପ୍ରତିଶତ। ଫଳରେ ପାଗ ପୂରା ଶୁଖିଲା। ମେଘମୁକ୍ତ ଆକାଶ ସାଙ୍ଗକୁ ସାମୁଦ୍ରିକ ପବନର ବେଗ କ୍ଷୀଣ ଥିବାରୁ ଥଣ୍ଡାର ପ୍ରକୋପ ବଢ଼ିଛି। ଫୁଲବାଣୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ହାଡ଼ଭଙ୍ଗା ଶୀତ ଲୋକଙ୍କୁ ଥରାଇ ଦେଉଛି। ରାତି ହେଲେ ଖସୁଛି ପାରଦ। ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ଜାଡ଼ରୁ ରକ୍ଷା ପାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ଏଥିସହ ଉପକୂଳରେ ବହୁଛି କାଲୁଆ ପବନ। ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ଲହରୀ ସିଧାସଳଖ ଉପକୂଳ ଅଞ୍ଚଳକୁ ପଶିଆସୁଛି। ଗତକାଲି ତୁଳନାରେ ଆଜି ଉପକୂଳବର୍ତୀ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିଛି। କିନ୍ତୁ ଥଣ୍ଡାର ପ୍ରକୋପ କମିନାହିଁ।

ଆଜି ୧୦° ତଳେ ରହିଥିବା ଅନ୍ୟ ସ୍ଥାନଗୁଡ଼ିକ ହେଉଛି ହୀରାକୁଦ(୭.୯°), କୋରାପୁଟ(୮.୦°), କେନ୍ଦୁଝର(୮.୪°), ଭବାନୀପାଟଣା(୮.୫°), ସୁନ୍ଦରଗଡ଼(୯°), ସୋନପୁର (୯.୪°), ଅନୁଗୁଳ(୯.୬°), ଝାରସୁଗୁଡ଼ା(୯.୮°)। ଏହି ସ୍ଥାନଗୁଡ଼ିକ ଛାଡ଼ିଦେଲେ ବଲାଙ୍ଗୀରରେ ୧୦° ଥିବା ବେଳେ ସମ୍ବଲପୁରରେ ୧୦.୨°, ଟିଟିଲାଗଡ଼ରେ ୧୧°, କଟକରେ ୧୧.୫°, ଭୁବନେଶ୍ୱରରେ ୧୨.୪°, ବାଲେଶ୍ୱର, ମାଲକାନଗିରିରେ ୧୨.୬°, ବାରିପଦାରେ ୧୨.୮° ରେକର୍ଡ ହୋଇଛି। ଆଜି ସବୁଠି ସର୍ବନିମ୍ନ ତାପମାତ୍ରା ୧୫° ତଳକୁ ଖସିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ୨୩ରୁ ୨୯° ମଧ୍ୟରେ ରହିଛି।

ସମ୍ବନ୍ଧିତ ଖବର