ଜିଲ୍ଲାପାଳଙ୍କ ଅ‌ାକାଉଣ୍ଟରୁ ଟଙ୍କା ହଡ଼ପ ମାମଲା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚେର!

ମ୍ୟାନେଜରକୁ ରିମାଣ୍ଡରେ ଆଣିଲା ପୁଲିସ୍‌

ଅନୁଗୁଳ : ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲା କ୍ରମଶଃ ଜଟିଳ ହେବାରେ ଲାଗିଛି। ଏହି ଚାଞ୍ଚଲ୍ୟକର ହେରଫେର୍‌ ଘଟଣା‌େର କେବଳ ବ୍ୟାଙ୍କ କର୍ମଚାରୀ ନୁହନ୍ତି; କେତେକ ସରକାରୀ ବାବୁ ଓ ତାଙ୍କ ସଂପର୍କୀୟଙ୍କ ସଂପୃକ୍ତି ମଧ୍ୟ ସନ୍ଦେହଘେରକୁ ଆସିଛି। ଏପରିକି ଏହାର ଚେର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡ଼କୁ ଲମ୍ବିଥିବା କୁହାଯାଉଛି। ଟଙ୍କା ହଡ଼ପ ଘଟଣାରେ ଗିରଫ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଶକ୍ତିବେଦାନ୍ତ ଦାସଙ୍କୁ ଅନୁଗୁଳ ପୁଲିସ ଆଜି ଦିନିକିଆ ରିମାଣ୍ଡରେ ଆଣି ଜେରା କରିବା ପରେ ଏଭଳି କିଛି ଚାଞ୍ଚଲ୍ୟକର ସୁରାକ୍‌ ପାଇଥିବା କୁହାଯାଉଛି। ତେବେ ପୁଲିସ ଏବେ ଏହି ତଥ୍ୟ ଓ ସୂଚନା ସବୁ ପରଖିବାରେ ଲାଗିଛି। ଯଦି ସତ ହୁଏ ତେବେ କିଛି ସରକାରୀ ବାବୁ ଓ ସେମାନଙ୍କ ସଂପର୍କୀୟ ଟଣା ହେବା ଥୟ ବୋଲି ଜଣେ ପୁଲିସ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ‘ସମ୍ବାଦ’କୁ କହିଛନ୍ତି।

ଶକ୍ତିବେଦାନ୍ତଙ୍କୁ ପୁଲିସ ଆଜି ଏକ ଗୋପନୀୟ ସ୍ଥାନରେ ପାଖାପାଖି ୫ଘଣ୍ଟା ଧରି ଜେରା କରିଥିଲା। ଟଙ୍କା ହଡ଼ପ ମାମଲାରେ ଆଉ କେଉଁ କେଉଁ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି, ସେ ସଂପର୍କରେ ବିସ୍ତୃତ ପଚରାଉଚରା କରିଥିଲା। ଟଙ୍କା ହଡ଼ପ ଘଟଣାର ଯୋଜନା କେମିତି ମୁଣ୍ଡକୁ ଆସିଲା? କାହା କାହା ନାମରେ ଚେକ୍‌ ଇସ୍ୟୁ ହୋଇଥିଲା? ଏଥିରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଂପୃକ୍ତି ଅଛି କି ନାହିଁ ? ଶକ୍ତିବେଦାନ୍ତଙ୍କୁ ଏଭଳି ଅନେକ ପ୍ରଶ୍ନ ଗୁଡ଼େଇତୁଡ଼େଇ ପଚରା ଯାଇଥିଲା। ‌କେତେକ ପ୍ରଶ୍ନର ସିଧାସଳଖ ଉତ୍ତର ରଖିଥିବା ବେଳେ ଆଉ କେତୋଟି ପ୍ରଶ୍ନକୁ ସେ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ ବୋଲି ଜଣାପଡ଼ିଛି। ଥାନାରେ ଅଟକ ରଖାଯାଇଥିବା ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି କ’ଣ ରହିଥିଲା, ସେନେଇ ପୁଲିସ ଜାଣିବାକୁ ଚାହିଁଥିଲା। ଗୋଟିଏ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ ପୁଲିସକୁ ଅନୁମତି ଦେଇଥିଲେ। ତେଣୁ ଆଜି ସନ୍ଧ୍ୟା ପୂର୍ବରୁ ଶକ୍ତିବେଦାନ୍ତଙ୍କୁ ପୁଣି ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଶକ୍ତିବେଦାନ୍ତଙ୍କୁ ଜେରା ପରେ ଆଜି ପୁଣି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଦୁଇ ଜଣ କର୍ମଚାରୀଙ୍କୁ ଡାକି ପୁଲିସ ଢେର୍‌ ସମୟ ପଚରାଉଚରା କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୪ ତାରିଖ ଦିନ ଟଙ୍କା ହଡ଼ପ ମାମଲାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ତତ୍କାଳୀନ ଶାଖା ପରିଚାଳକ ଶକ୍ତିବେଦାନ୍ତ ଦାସଙ୍କୁ ଗିରଫ କରାଯାଇଥିଲା। ରାଜ୍ୟ ରାଜପଥ-୬୩ ସଂପ୍ରସାରଣ ଓ ବିକାଶ କାର୍ଯ୍ୟ ପାଇଁ ଟାଟା ସ୍ପଞ୍ଜ ଆଇରନ ଲିମିଟେଡ୍‌ ଅନୁଗୁଳ ଜିଲ୍ଲାପାଳଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲା। ଗତ ୮ ଜୁଲାଇ ୨୦୧୩ରେ ଅନୁଗୁଳ ଜିଲ୍ଲାପାଳଙ୍କ ନାମରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଅନୁଗୁଳ ଶାଖାରେ ଏକ ଆକାଉଣ୍ଟ ଖୋଲାଯାଇ ଉକ୍ତ ଟଙ୍କା ଜମା କରାଯାଇଥିଲା। ଟଙ୍କା ଉଠାଯାଇନଥିବା ବେଳେ ଏହାର ସୁଧ ଯୋଗୁଁ ଜମା ପରିମାଣ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କାକୁ ବୃଦ୍ଧି ପାଇଥିଲା। ଗତ ୭ ଡିସେମ୍ବର ୨୦୧୭ରୁ ୩ ମେ ୨୦୧୮ ମଧ୍ୟରେ ୮ଟି ଚେକ୍‌ ଜରିଆରେ ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ଉଠାଇ ନିଆଯାଇଥିଲା। ଟଙ୍କା ଉଠାଇ ନେବାର କିଛିଦିନ ପରେ ତତ୍କାଳୀନ ଶାଖା ପରିଚାଳକ ଶକ୍ତିବେଦାନ୍ତ ଦାସ ଚାକିରି ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର