ଜିଲ୍ଲାପାଳଙ୍କ ତାଗିଦ୍‌ରେ ସୁପର୍‌ଭାଇଜର୍‌ ବେହୋସ୍‌

ଚେତା ହରାଇ ହସ୍ପିଟାଲରେ ଭର୍ତ୍ତି, ଜଗି ରହିଲେ ଜିଲ୍ଲାପାଳ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ସମୀକ୍ଷା ବୈଠକ ଚାଲିଥିବାବେଳେ ଜିଲ୍ଲାପାଳ ତାଗିଦ୍‌ କରିବାରୁ ଜଣେ ତହସିଲ୍‌ ସୁପର୍‌ଭାଇଜର୍‌ ବେହୋସ୍‌ ହୋଇପଡ଼ିଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପାଇଁ ସେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ଜିଲ୍ଲାପାଳ ରଘୁ ଜୀ. ପାଖାପାଖି ଦେଢ଼ ଘଣ୍ଟା ଜଗି ରହିଥିଲେ। ଏହି ଘଟଣା ଆଜି ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଜିଲ୍ଲା ରଘୁ ଜୀ. ଅଚାନକ ରାଜନଗର ତହସିଲ୍‌ରେ ପହଞ୍ଚଥିଲେ। ଅଦିନିଆ ବର୍ଷା ଯୋଗୁଁ ଯେଉଁ ଖରିଫ୍‌ ଧାନ କ୍ଷୟକ୍ଷତି ହୋଇଛି, ସେ ବାବଦରେ କ୍ଷୟକ୍ଷତି ରାଶି ପ୍ରଦାନ କରାଯାଇଛି କି ନାହିଁ, ତାହାର ସମୀକ୍ଷା କରିଥିଲେ। ଅଦିନିଆ ବର୍ଷାରେ ରାଜନଗର ତହସିଲରେ ୨୯ଟି ପଞ୍ଚାୟତ ଅନ୍ତର୍ଗତ ୩୦୪ଟି ଗାଁର ୬୧ ହଜାର ୪୧୩ଜଣ ଚାଷୀଙ୍କର ଖରିଫ ଧାନଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ ଡିସେମ୍ବର ମାସରେ ରାଜନଗର ତହସିଲକୁ ୧୬ କୋଟି ୧୧ ଲକ୍ଷ ୬୦ ହଜାର ଟଙ୍କା କ୍ଷତିପୂରଣ ରାଶି ଆସିଛି। ମାତ୍ର ଆଜିସୁଦ୍ଧା ୧୫ ହଜାର ୬୭୩ଜଣ ଚାଷୀଙ୍କୁ ୭ କୋଟି ୧୨ ଲକ୍ଷ ୬୭ ହଜାର ୩୨୨ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଅବଶିଷ୍ଟ ୮ କୋଟି ୯୮ ଲକ୍ଷ ୯୨ ହଜାର ୬୭୮ ଟଙ୍କା କାହିଁକି ପ୍ରଦାନ କରାଯାଇପାରୁନି, କେଉଁଠି ସମସ୍ୟା ରହିଛି, ସେ ନେଇ ଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ଏଥିସହ ଯେଉଁ ଟଙ୍କା ପ୍ରଦାନ କରାଯାଇଛି, କେଉଁ ରାଜସ୍ୱ ସର୍କଲରୁ କେତେ ଟଙ୍କା ପ୍ରଦାନ କରାଯାଇଛି, କେଉଁ ଆର.ଆଇ. ସର୍କଲରେ କମ୍‌ ଟଙ୍କା ପ୍ରଦାନ କରାଯାଇଛି ଏବଂ କେଉଁ କର୍ମଚାରୀ ଏ ନେଇ ସହଯୋଗ କରୁନାହାନ୍ତି, ତା’ର ବିସ୍ତୃତ ରିପୋର୍ଟ ଚାହିଁଥିଲେ। ମାତ୍ର, ସୁପରଭାଇଜର ବୈଷ୍ଣବ ଚରଣ ଦ୍ୱିବେଦୀ କେଉଁ ସର୍କଲରୁ କେତେ ଟଙ୍କା ପ୍ରଦାନ କରାଯାଇଛି, ସର୍କଲଓ୍ଵାରି ରିପୋର୍ଟ ଦେଇପାରିନଥିଲେ। ତଥ୍ୟ ପାଖରେ ନଥିବାରୁ ଜିଲ୍ଲାପାଳ ସୁପରଭାଇଜରଙ୍କ ଉପରେ ବିରକ୍ତ ପ୍ରକାଶ କରିବା ସହିତ ତାଗିଦ୍‌ କରିଥିଲେ। ଜିଲ୍ଲାପାଳ ତାଗିଦ୍‌ କରୁଥିବା ସମୟରେ ଶ୍ରୀ ଦ୍ୱିବେଦୀ ହଠାତ୍‌ ଚେତା ହରାଇଥିଲେ। ଫଳରେ, ଜିଲ୍ଲାପାଳଙ୍କ ସମେତ ସମସ୍ତ କର୍ମଚାରୀ ହଡ଼ବଡ଼େଇ ଯାଇଥିଲେ। ତୁରନ୍ତ ତହସିଲ ଜିପ୍‌ରେ ସୁପରଭାଇଜରଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଜିଲ୍ଲାପାଳ ଓ ତହସିଲଦାର ଏବଂ କର୍ମଚାରୀମାନେ ମେଡିକାଲ୍‌ରେ ପହଁଚିିଥିଲେ। ଜିଲ୍ଲାପାଳ ରଘୁ ଜୀ. ପାଖାପାଖି ଦେଢ଼ ଘଣ୍ଟା ଧରି ରହିଥିଲେ। ତହସିଲଦାର ନିହାର ରଂଜନ ମଲ୍ଲିକ, ବି.ଡି.ଓ ମନ୍ଦର ଧର ମହାଳିକଙ୍କ ସମେତ ତହସିଲର କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ସୁପରଭାଇଜରଙ୍କୁ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ରାଜନଗର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର