ଭିନ୍ନ ରୂପ‌ରେ ଜିଲ୍ଲାପାଳ : ଜମିରେ ପଶି ତଳି ରୋଇଲେ

ସ୍କୁଲ୍‌ରେ ପିଲାଙ୍କୁ ପଢ଼ାଇଲେ, ଉପହାର ଦେଲେ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକ୍‌ ଭରସା ଗ୍ରାମର ଏକ ଜମିରେ ଧାନ ରୁଆ କାର୍ଯ୍ୟରେ ବ୍ୟସ୍ତ ଥିଲେ କିଛି ଚାଷୀ। ଚାଷଜମି ନିକଟରେ ହଠାତ୍‌ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜିଲ୍ଲାପାଳ ମଧ୍ୟ ଚାଷୀଙ୍କ ସହିତ କିଛି ମୁହୂର୍ତ୍ତ ବିତାଇଥିଲେ। ନିଜେ ଜମିରେ ଧାନ ରୋଇ ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଥାଉକି ଯେ, ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରହିଥିଲା। ଜିଲ୍ଲାପାଳ ବେଗୁନିଆ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ସାରି ଅପରାହ୍ନରେ ଛତ୍ରପୁର ଫେରୁଥିଲେ। ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତର ଭରସା ଗ୍ରାମ ରାସ୍ତା ପାର୍ଶ୍ବରେ ଥିବା ଚାଷ ଜମିରେ ଚାଷୀମାନେ ଧାନ ରୁଆ ଚାଲିଥିଲା। ଉକ୍ତ ଜମିରେ ଧାଡି ରୁଆ ହେଉଥିଲା।ଏହା ଜିଲ୍ଲାପାଳଙ୍କ ନଜରରେ ଆସିଥିଲା। ସେଠାରେ ଜିଲ୍ଲାପାଳ ଓହ୍ଲାଇ ରୁଆ ଚାଲିଥିବା ଚାଷଜମି ଆଡକୁ ଗସ୍ତ କରିଥିଲେ। କାଦୁଅ ପଚ ପଚ ଚାଷୀ ଜମିରେ ପଶି ଚାଷୀଙ୍କ ପାଖକୁ ଯାଇଥିଲେ। ସେଠାରେ ଛିଡାହୋଇ କିଛି ସମୟ ଧରି ଧାନ ରୁଆ ଜିଲ୍ଲାପାଳ ଦେଖିଥିଲେ। ଏହାପରେ ଚାଷୀମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଚାଷୀମାନେ କୃଷି ଋଣ ଓ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନ ଥିବା ଜିଲ୍ଲାପାଳ ଜାଣି ପାରିଥିଲେ। କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା ଓ ଖଲ୍ଲିକୋଟ ବ୍ଲକ କୃଷି ଅଧିକାରୀଙ୍କୁ ଫସଲ ବୀମା ଯୋଜନାରେ ଏହି ଚାଷୀମାନଙ୍କୁ ସାମିଲ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଚାଷୀଙ୍କୁ ମାଗଣାରେ ଧାନ ବିହନ ଓ ସାର ଯୋଗାଇଦେବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀମାନେ ଧାନ ରୋଉ ଥିବା ଜିଲ୍ଲାପାଳ ମଧ୍ୟ କାହୁଅ ଜମି ଓହ୍ଲାଇ ଯାଇଥିଲେ। ଜିଲ୍ଲାପାଳ ଚାଷୀଙ୍କ ଠାରୁ କିଛି ଧାନତଳି ଆଣି ନିଜେ ଚାଷଜମିରେ ରୋଇଥିଲେ।

ସ୍କୁଲ୍‌ରେ ପିଲାଙ୍କୁ ପଢ଼ାଇଲେ, ଉପହାର ଦେଲେ

ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଆଜି ପାଟକୁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଚାନକ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଛନ୍ତି। ବିଭିନ୍ନ ପ୍ରଶ୍ନର ଠିକ୍‌ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ କଲମ ଉପହାର ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ବର୍ମା ଆଜି ଗରଦପୁରଠାରେ ଆୟୋଜିତ ଜନଶୁଣାଣି ଶିବିରକୁ ଯିବା ବାଟରେ ପାଟକୁରା ହାଇସ୍କୁଲରେ ଅଟକିଥିଲେ। ୧୦ମ ଶ୍ରେଣୀ ପିଲା ପଢୁଥିବା ଶ୍ରେଣୀଗୃହକୁ ଯାଇ ସେମାନଙ୍କୁ ଗଣିତ ପଢ଼ାଇଥିଲେ। ଏଥିସହି ଇଂରାଜୀ ଓ ସାଧାରଣଜ୍ଞାନ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଠିକ୍‌ ଉତ୍ତର ଦେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ଶ୍ରୀ ବର୍ମା କଲମ ଉପହାର ଦେଇଥିଲେ। ସେହିପରି ବିଦ୍ୟାଳୟର ପ୍ରଧାନଶିକ୍ଷକ ମଳୟ କୁମାର ପାଣିଙ୍କୁ ବିଦ୍ୟାଳୟର ଶିକ୍ଷକ ଉପସ୍ଥାନ ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କ ‘ଉଜ୍ଜ୍ୱଳ ଓ ଉତ୍‌ଥାନ’ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ହଠାତ୍ ଜିଲ୍ଲାପାଳଙ୍କୁ ଶ୍ରେଣୀଗୃହରେ ପାଇ ପିଲାମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର