ରାଜା ହେଲେ ଜିଲ୍ଲାପାଳ : ବସିଲା ରାଜ ଦରବାର, ଗୁହାରି କଲେ ପ୍ରଜା

ଜଗତସିଂହପୁର: ଗଣତନ୍ତ୍ରରେ ରାଜତନ୍ତ୍ରର ଝଲକ | ରାଜା ହେଲେ ଜିଲ୍ଲାପାଳ । ବସିଲା ରାଜଦରବାର । ଜଣେ ପରେ ଜଣେ ପ୍ରଜା ମହାରାଜଙ୍କୁ ଦୁଃଖ ଜଣାଇଲେ । ରାଜା ତୁରନ୍ତ ଅଧିକାରୀଙ୍କୁ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ବି ଦେଲେ । ଜଗତସିଂହପୁର ଜିଲ୍ଲା ସିଦ୍ଧଳ ବଳଦେବ ଜୀଉ ମନ୍ଦିରରେ ଅନୁଷ୍ଠିତ ରାଜାଭିଷେକ ଉତ୍ସବରେ ଏଭଳି ଦୃଶ୍ୟ ଦେଖିବାକୁ ମିିଳିଥିଲା । ରାଜା ଭାବେ ପ୍ରଜାଙ୍କ ଗହଣରେ ଶୋଭାଯାତ୍ରାରେ ଆସିଥିଲେ ଜଗତସିଂହପୁର ଜିଲ୍ଲାପାଳ । ଦୁଇ କଡ଼ରେ ଚାମର ଓ ମୁଣ୍ଡ ଉପରେ ଟାହିଆ ଶୋଭା ପାଉଥିଲା । ଖୋଳ କର୍ତ୍ତାଳ, ଘଣ୍ଟ ଶଙ୍ଖର ପବିତ୍ର ନାଦରେ ପ୍ରକମ୍ପିତ ହେଉଥିଲା ପରିବେଶ । ଜିଲ୍ଲାପାଳଙ୍କ ମୁଣ୍ଡରେ ଥିଲା ରାଜ ମୁକୁଟ । ଜିଲ୍ଲା ପ୍ରଶାସନର ମୁଖ୍ୟ ତଥା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜା ହୋଇଛନ୍ତି ।

ସ୍ୱତନ୍ତ୍ର  ରୀତିନୀତି ଅନୁସାରେ ପଣ୍ଡିତ ଗଣ ଜିଲ୍ଲାପାଳଙ୍କୁ ରାଜାଭିଷେକ କରାଇଛନ୍ତି । ଧର୍ମପତ୍ନୀଙ୍କ ସହ ଚତୁର୍ଦ୍ଧାମୂର୍ତ୍ତଙ୍କୁ ପୂଜାର୍ଚ୍ଚନା ପରେ ବସିଲା ରାଜ ଦରବାର । ନୂତନ ରାଜାଙ୍କୁ ପ୍ରଜା ପ୍ରଜାମାନେ ନିଜର ଦୁଃଖ ଦୁର୍ଦ୍ଦଶା ଜଣାଇଲେ । ମୁଖ୍ୟତଃ ରାସ୍ତା, ଜଳ ନିଷ୍କାସନ, ପିଇବା ପାଣି, ପକ୍କାଘର ପାଇଁ ପ୍ରଜାମାନେ ଗୁହାରି କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ରାଜା ସମାଧାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି | ଏଭଳି ନିଆରା ପରମ୍ପରା ଦୀର୍ଘ ବର୍ଷ ଧରି ଚାଲି ଆସୁଛି ।

ପରମ୍ପରା ମୁତାବକ ରଥଯାତ୍ରା ଦିନ ଯିଏ ଛେରା ପହଁରା କରନ୍ତି ତାଙ୍କର ପୌଷ ପୂର୍ଣ୍ଣିମା ଦିନ ରାଜାଭିଷେକ କରାଯାଇଥାଏ | ଜଗତସିଂହପୁର ଜିଲ୍ଲାପାଳ ସିଦ୍ଧଳ ବଳଦେବ ଜୀଉଙ୍କ ରଥଯାତ୍ରାରେ ସବୁ ବର୍ଷ ଛେରା ପହଁରା କରୁଥିବାରୁ ଏହି ପରମ୍ପରା ମୁତାବକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ରାଜା ଭାବେ ଅଭିଷିକ୍ତ କରାଯାଇଥିଲା | ଏହି ନିଆରା ପରମ୍ପରାକୁ ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।

ସମ୍ବନ୍ଧିତ ଖବର