୧୩ ଗ୍ରାମସେବକ ନିଲମ୍ବିତ

କେନ୍ଦ୍ରାପଡ଼ା : ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ସଚେତନତା ପାଇଁ କୌଣସି ଓ୍ଵାଲ ପେଣ୍ଟିଂ କରାଯାଇନାହିଁ । ୨୦୧୬-୧୭ରେ ଦିଆଯାଇଥିବା ଗୃହ ନିର୍ମାଣ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇନାହିଁ । ଏମିତିକି ଚଳିତ ବର୍ଷ ଗୋଟିଏ ବି ଗୃହ ନିର୍ମାଣ ନିମନ୍ତେ ନାମ ପଂଜୀକରଣ ହୋଇନାହିଁ । ଏଭଳି ସାଂଘାତିକ ବ୍ୟତିକ୍ରମ ଓ କାର୍ଯ୍ୟରେ ଅବହେଳା କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ୍‌ର ୧୩ ଜଣ ଗ୍ରାମସେବକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ରେଘୁ ଜୀ । ନିଲମ୍ବିତ ଗ୍ରାମସେବକ ତଥା ପିଇଓମାନେ ହେଲେ ରାଜକନିକା ବ୍ଲକ୍‌ର ଜୟନଗର, ତୈଲୋକ୍ୟପୁର, କୋଇଲିପୁର, ହାଟସାହି,  ପଧାନପଡ଼ା ଓ ଆଖୁଲିପଡ଼ା ଏବଂ ଆଳି ବ୍ଲକ୍‌ର ମେଣ୍ଢାପୁର, ନରେନ୍ଦ୍ରପୁର, ଡିମିରିପାଳ, ସିଙ୍ଗିରୀ, ଦେସାହି, ଗୋବିନ୍ଦପୁର ଓ ଟୁଙ୍ଗା ବୋଲି ଜଣାପଡ଼ିଛି । 

ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଜିଲ୍ଲାର ବିକାଶ ଧାରାରେ କେତେକ କର୍ମଚାରୀ ରୀତିମତ ଚକ୍ରାନ୍ତ ଚଳାଇଛନ୍ତି । ବାରମ୍ବାର କାର୍ଯ୍ୟେରେ ଅବହେଳା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ କ୍ଷେତ୍ରରେ ୩୦ ନମ୍ବର ଜିଲ୍ଲା ଭାବେ ଗଣାଯିବା ଭଳି ଦୁର୍ନାମ ମୁଣ୍ଡାଇବାକୁ ପଡ଼ିଛି । ଏପରିକି ନିକଟରେ  ଆଳି ବ୍ଲକ୍‌ରେ ୩୫୦ରୁ ଊର୍ଦ୍ଧ୍ୱ କେସ୍‌ ରେକର୍ଡ଼ ଗାଏବ୍‌ ହୋଇଯିବା ଓ ଜିଲ୍ଲାପାଳଙ୍କ ଚଢ଼ାଉ ବେଳେ କର୍ମଚାରୀମାନେ ଅଫିସ୍‌ ଖାଲି କରି ଦେଇଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା ।

ବିଭିନ୍ନ ବ୍ଲକ୍‌ରେ ବିଜୁ ପକ୍କାଘର ଯୋଜନା, ଇନ୍ଦିରାଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ବାରମ୍ବାର ସମୀକ୍ଷା ବୈଠକରେ ତାଗିଦ୍‌ ସତ୍ୱେ ଅଧିକାଂଶ ଗ୍ରାମସେବକ ଏଥିରେ ଅବହେଳା ପ୍ରଦର୍ଶନ କରୁଛନ୍ତି ।  ଏପରିକି ଆଳି ଓ ରାଜକନିକା ବ୍ଲକ୍‌ରେ ଏହିି ବ୍ୟତିକ୍ରମ ଚରମସୀମାରେ ପହଁଚିଥିଲା  । ଜିଲ୍ଲାପାଳ ରେଘୁ ଜୀ ଉଭୟ ବ୍ଲକ୍‌ ଗସ୍ତ ସମୟରେ କେତେକ ପଂଚାୟତରେ ଗ୍ରାମସେବକମାନେ ଏକ୍ଷେତ୍ରରେ ଆଦୌ କାମ କରି ନଥିବାରୁ ବିରିକ୍ତି ପ୍ରକାଶ କରିଥିଲେ ।

ସଂପୃକ୍ତ ଗ୍ରାମସେବକଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ୧୧ ଜଣ ଗ୍ରାମସେବକଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ୍ତ କିଶୋର ଶତପଥୀ ଏହି ଗ୍ରାମସେବକମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ଆଜି ନୋଟିସ୍‌ ଜାରୀ କରିଥିବା ଘଟଣା ଜିଲ୍ଲା ବ୍ୟାପୀ ସରକାରୀ କର୍ମଚାରୀ ମହଲରେ ଆଲୋଡ଼ନ ଖେଳାଇ ଦେଇଛି ।

ସମ୍ବନ୍ଧିତ ଖବର