ସରକାରୀ ଫୋକସରୁ ପଞ୍ଚାୟତ ଉଭାନ!

ଜିଲ୍ଲାପାଳ ସମ୍ମିଳନୀ ଆଜି

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଦିନିକିଆ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ। ୧୨ଟି ପ୍ରମୁଖ କାର୍ଯ୍ୟକ୍ରମ ଉପରେ ତର୍ଜମା କରିବା ଲାଗି ଏହି ବୈଠକ ଡକାଯାଇଛି। ସରକାର ସ୍ଥିର କରିଛନ୍ତି, ଏସବୁ ଯୋଜନା ସଂପର୍କରେ ଆଲୋଚନା ଛଳରେ ଜିଲ୍ଲାପାଳମାନଙ୍କୁ ତୃଣମୂଳସ୍ତରର ସମସ୍ୟା ପଚାରିବେ ଓ ବିଭିନ୍ନ ଯୋଜନା କାର୍ଯ୍ୟାନ୍ଵୟନ ନେଇ ସେମାନଙ୍କ ପରାମର୍ଶକୁ ବି ଗତଥର ଭଳି ଗୁରୁତ୍ୱ ଦେବେ।

ହେଲେ ଗାଁ ଗଣ୍ଡାରେ ଜିଲ୍ଲାପାଳମାନେ ବୁଲୁଛନ୍ତି ତ? ବ୍ଲକରେ ରାତ୍ରିଯାପନ କରୁଛନ୍ତି? ସାଧାରଣ ଲୋକଙ୍କ ସ୍ୱାର୍ଥ କଥା ଦୂରେ ଥାଉ, ଖୋଦ୍‌ ପଞ୍ଚାୟତର ସମ୍ପତ୍ତି ସୁରକ୍ଷିତ ଅଛି? ଭିତ୍ତିଭୂମି ଆଳରେ ରାଜ୍ୟ ସରକାର ପଞ୍ଚାୟତରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏସବୁର ସ୍ଥିତି କିଭଳି ଅଛି, ଏକଥା ସେମାନଙ୍କୁ ସରକାର କେବେ ପଚାରିବେ? ଏଭଳି ପୁଳା ପୁଳା ପ୍ରଶ୍ନ ଏବେ ସାଧାରଣଲୋକଙ୍କୁ ଆନ୍ଦୋଳିତ କରୁଛି।

ଉଲ୍ଲେଖଯୋଗ୍ୟ, କେଉଁଠି ନୂଆ ପୋଖରୀ ଖୋଳାଯାଇଛି ତ ଆଉ କେଉଁଠି ମାର୍କେଟ କଂପ୍ଲେକ୍ସ ନିର୍ମାଣ କରୁଛନ୍ତି ସରକାର। ମନରେଗା ଆଦି ଯୋଜନାରେ ଗାଁ ଗଣ୍ଡାରେ ଇତିମଧ୍ୟରେ ଶହ ଶହ ପୋଖରୀର ପୁନରୁଦ୍ଧାର ବି କରାଯାଇଛି। ଗତ ୧୭ ବର୍ଷ ମଧ୍ୟରେ ରାଜ୍ୟ ସରକାର ଭିତ୍ତିଭୂମି ନିର୍ମାଣ ଆଳରେ ପଞ୍ଚାୟତରେ କୋଟି କୋଟି ଟଙ୍କା ବିନିଯୋଗ କରିଛନ୍ତି। ହେଲେ ଆଜି ଦିନରେ ତାହାର ସ୍ଥିତି କଣ, ପଞ୍ଚାୟତର ସଂପତ୍ତି ପରିମାଣ କେତେ, ଏହା ବଢୁଛି ନା କମୁଛି, ଏ ସଂପର୍କିତ ତଥ୍ୟ କାହା ପାଖରେ ନାହିଁ।

କେଉଁ ପଞ୍ଚାୟତରେ ପୋଖରୀ ପୋତି ହୋଇଗଲାଣି ଏବଂ କେଉଁଠି ଶହ ଶହ ବର୍ଷର ତୋଟା ଜବରଦଖଲରୁ ମୁକୁଳିପାରୁନି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ମାର୍କେଟ୍‌ କଂପ୍ଲେକ୍ସ ତାଲା ପ଼ଡିଛି। ସେଥିରୁ ରାଜସ୍ୱ ମିଳୁଛି କି ନା ସେ ତଥ୍ୟ ବି ମାଲୁମ୍‌ ନାହିଁ। କାଞ୍ଜିଆ ହୁଦା, ହାଟ, ଘାଟ, କଲ୍ୟାଣ ମଣ୍ଡପ ଆଦି କଥା ନ କହିବା ଭଲ।

ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ଥିବା ବେଳେ ଗଣମାଧ୍ୟମର ରିପୋର୍ଟ ଉପରେ ସରକାର ତନାଘନା କରିଥିଲେ। ହେଲେ ତାହା ଅଧା ବାଟରେ ଅଟକିଯାଇଛି। ସମୁଦାୟ ରାଜ୍ୟର ପଞ୍ଚାୟତ ଭିତ୍ତିଭୂମି ସଂପର୍କରେ ପୂର୍ଣ୍ଣାଙ୍ଗ ଡାଟାବେସ୍‌ ପ୍ରସ୍ତୁତି ଲାଗି ତତ୍କାଳୀନ ମନ୍ତ୍ରୀଙ୍କ ବୟାନ ପବନରେ ମିଳାଇଯାଇଛି।

ରାଜ୍ୟ ଚତୁର୍ଥ ଅର୍ଥ କମିସନ ମଧ୍ୟ ତାଙ୍କ ରିପୋର୍ଟ ପ୍ରସ୍ତୁତ ବେଳେ ଏ ସମ୍ପର୍କରେ ଠାରିଥିଲେ। କମିସନ ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଇଥିଲେ ଯେ ପଞ୍ଚାୟତ ରାଜସ୍ୱ ଇତିମଧ୍ୟରେ କୋଟିଏ ଟଙ୍କାକୁ ଖସିଆସିଲେଣି। ନିଜ ଅର୍ଥରେ ଆଉ ପଞ୍ଚାୟତ ଚଳିପାରିବ ନାହିଁ। ଏହା ସତ୍ତ୍ୱେ ମଧ୍ୟ ସରକାର ଚେତିନାହାନ୍ତି।

ବନୀକରଣ ସମ୍ପର୍କରେ ରାଜ୍ୟ ସରକାର ତମ୍ବିତୋଫାନ କରୁଥିବା ବେଳେ ପଞ୍ଚାୟତର ନିଜସ୍ୱ ତୋଟାରୁ ଗଛ ଉଭାନ୍‌ ହୋଇ ଅଧିକାଂଶ ସ୍ଥାନରେ ଜବରଦଖଲକୁ ଚାଲିଗଲାଣି। ସେହିଭଳି ପୋଖରୀ ଖୋଳା ନେଇ ରାଜ୍ୟ ସରକାର ୨୦୦୩ରୁ ୨୦୧୪ ମଧ୍ୟରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କେତେବେଳେ ଫାର୍ମ ପଣ୍ଡ ଯୋଜନା କଥା କୁହାଯାଇଛି ତ ଆଉ କେତେବେଳେ ମୋ ପୋଖରୀ ଯୋଜନା କରାଯାଇଛି। ହେଲେ ଗାଁ ଗଣ୍ଡାରେ ଏବେ ହଜାର ହଜାର ପୋଖରୀ ପୋତି ହେବାକୁ ବସିଲାଣି। ପୂର୍ବରୁ ରାଜ୍ୟରେ କେତେ ପୋଖରୀ ଥିଲା, କେତେ ପୋତିହୋଇଗଲାଣି ସେ ଖବର ବି ସରକାରଙ୍କ ପାଖରୁ ମିଳୁନି।

ଡାକ୍ତର ଦାମୋଦର ରାଉତ ପଞ୍ଚାୟତିରାଜ ମନ୍ତ୍ରୀ ଥିବାବେଳେ ବଜାର, ସଡକ,ପାଣି ଯୋଜନା ସରକାର ହାତକୁ ନେଇଥିଲେ। ବିଜୁ ବଜାର ଯୋଜନା ନାମରେ ବିଭିନ୍ନ ପଞ୍ଚାୟତରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇଥିଲା। ହେଲେ ଆଜି ଦିନରେ କେତେ ମାର୍କେଟ କଂପ୍ଲେକ୍ସ ରହିଛି, ଏହାର ସ୍ଥିତି କଣ, କେତେ ଭଡା ମିଳୁଛି, ସେ ସଂପର୍କରେ ଆଉ କେହି ମନେ ପକାଉନାହାନ୍ତି। ଗାଁ ମଶାଣି ସ୍ଥିତି ତା ଚାହିଁଁ ଖରାପ।

ପଞ୍ଚାୟତରେ ଏବେ ଅନେକ ସମ୍ପତ୍ତି ରହିଛି, ଯାହା ପଞ୍ଚାୟତ ନାରେ ଏଯାଏ ରେକର୍ଡ ଭୁକ୍ତ ହୋଇପାରିନାହିଁ। ଏ ଦିଗରେ ମଧ୍ୟ ଜିଲ୍ଲାପାଳମାନେ ତନାଘନା କରିବାକୁ ଭୁଲିଯାଇଛନ୍ତି। ଜିଲ୍ଲାପାଳମାନେ ମଧ୍ୟ କେବେ ପଞ୍ଚାୟତସ୍ତରରେ ବସି ଏସବୁ ତନାଘନା କରୁନାହାନ୍ତି। ଏହା ସତ୍ତ୍ୱେ ଚତୁର୍ଦଶ ଅର୍ଥ କମିସନ ଓ ରାଜ୍ୟ ଚତୁର୍ଥ ଅର୍ଥ କମିସନ ସୁପାରିସ ଆଧାରରେ ଏବେ ପଞ୍ଚାୟତ ଅର୍ଥ ରାଶି ବଢିଛି। ପ୍ରତି ପଞ୍ଚାୟତ ପିଛା ବର୍ଷକୁ ୧୫ରୁ ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ ଲାଗି ବାଟ ଖୋଲିଛି। ହେଲେ ରାଜ୍ୟ ସରକାରଙ୍କ ଏଜେଣ୍ଡାରେ କିନ୍ତୁ ପଞ୍ଚାୟତ ସମସ୍ୟା ନାହିଁ।

ଏହି ସମ୍ମିଳନୀରେ ମମତା, କୂପ, ଗଭୀର କୂପ ଏବଂ ଉଠାଜଳସେଚନ, ନିରାମୟ, ପାନୀୟଜଳ, ସାଧାରଣ ବଣ୍ଟନ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌, ସର୍ବଶିକ୍ଷା ଅଭିଯାନ ଏବଂ ଛାତ୍ରାବାସ, ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମିଶନ ଶକ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଗ୍ରାମ୍ୟ ବିଦ୍ୟୁତ୍‌କରଣ, ବିଭିନ୍ନ ପେନ୍‌ସନ ଯୋଜନା ସମେତ ସମନ୍ଵିତ ଶିଶୁ ବିକାଶ ଯୋଜନା ଉପରେ ବି ଆଲୋଚନା ହେବ ।

ସମ୍ବନ୍ଧିତ ଖବର