୨୮ରେ ଜିଲ୍ଲାପାଳ ସମ୍ମିଳନୀ

ଭୁବନେଶ୍ୱର : ମାସର ପ୍ରଥମ ସପ୍ତାହରେ ସଚିବାଳୟରେ ବସି ନରହି ଅନ୍ତତଃ ୪ ଦିନ ଜିଲ୍ଲାଗସ୍ତ କରିବା ଲାଗି ବୁଧବାର ବିଭିନ୍ନ ବିଭାଗର ସଚିବଙ୍କୁ ତାଗିଦ୍‌ କରିଥିଲେ ମୁଖ୍ୟଶାସନ ସଚିବ। ନିଜ ବିଭାଗର ସମୀକ୍ଷା ସହିତ ୧୨ଟି ଯୋଜନା ଉପରେ ଫୋକସ୍‌ କରିବା ଲାଗି ସଚିବମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହାର ୨୪ ଘଣ୍ଟା ବିତିନି, ରାଜ୍ୟ ସରକାର ଆସନ୍ତା ୨୮ ତାରିଖ ଦିନ ଦିନିକିଆ ଜିଲ୍ଲାପାଳ ସମ୍ମିଳନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଟ ୧୨ଟି ପ୍ରସ୍ତାବ ଉପରେ ଏଠାରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ସେଦିନ ସକାଳ ୧୦ଟା ସମୟରେ ସମ୍ମିଳନୀ ଆରମ୍ଭ ହେବ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଉଦ୍‌ଘାଟନ କରିବେ। ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.ବାଲକ୍ରିଷ୍ଣନ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ। ସମ୍ମିଳନୀରେ ମମତା, କୂପ, ଗଭୀର କୂପ ଏବଂ ଉଠାଜଳସେଚନ, ନିରାମୟ, ପାନୀୟଜଳ, ସାଧାରଣ ବଣ୍ଟନ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌, ସର୍ବଶିକ୍ଷା ଅଭିଯାନ ଏବଂ ଛାତ୍ରାବାସ, ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମିଶନ ଶକ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଗ୍ରାମ୍ୟ ବିଦ୍ୟୁତିକରଣ, ବିଭିନ୍ନ ପେନ୍‌ସନ ଯୋଜନା ସମେତ ସମନ୍ଵିତ ଶିଶୁ ବିକାଶ ଯୋଜନା ଉପରେ ବି ଆଲୋଚନା ହେବ ।

ସମ୍ବନ୍ଧିତ ଖବର