ଓଡ଼ିଶାରେ ବଢ଼ୁଛି ର‍୍ୟାଗିଂ : ସକ୍ରିୟ ହେଲା ଆଣ୍ଟି-ର‍୍ୟାଗିଂ ସେଲ୍‌

ବାଣୀବିହାର କ୍ୟାମ୍ପସ ସାରା ପୋଷ୍ଟର, ୟୁଜିସିର ହେଲପ୍‌ଲାଇନ୍‌ ୧୮୦୦-୧୮୦-୫୫୨୨

ଭୁବନେଶ୍ୱର : ଗତ ୫ବର୍ଷ ହେଲା ଓଡ଼ିଶାରେ ର‍୍ୟାଗିଂ ଉଦ୍‌ବେଗଜନ ଭାବେ ବଢ଼ୁଥିବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ରିପୋର୍ଟ ଦେବା ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଣ୍ଟି ର‍୍ୟାଗିଂ ସେଲ୍‌କୁ କାର୍ଯ୍ୟକ୍ଷମ କରିବା ସହ କ୍ୟାମ୍ପସରେ ପୋଷ୍ଟର ମାରିଛନ୍ତି। ଯଦି କୌଣସି ଛାତ୍ରଛାତ୍ରୀ ର‍୍ୟାଗିଂ ଘଟଣାରେ ସମ୍ପୃକ୍ତ ରୁହନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।

ଆଣ୍ଟି-ର‍୍ୟାଗିଂ ସେଲ୍‌ କାର୍ଯ୍ୟକାରୀ କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଟିକିଏ ଆଗରେ ରହିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଣ୍ଟି ର‍୍ୟାଗିଂ ସେଲ୍‌ ଗଠନ ହୋଇଛି। ଏଥିରେ ୭ଜଣ ସଦସ୍ୟ ରହିଛନ୍ତି। ବିଶ୍ୱବିଦ୍ୟାଳୟ ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସେଲ୍‌ର ନୋଡାଲ ଅଫିସର ରହିଥିବା ବେଳେ ହଷ୍ଟେଲ ଓ୍ଵାଡେନ୍‌, ଛାତ୍ର ସଂସଦ ଉପଦେଷ୍ଟା, ଡିଏସ୍‌ଡବ୍ଲୁ ପ୍ରମୁଖ ସଦସ୍ୟ ରହିଛନ୍ତିି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଆଧାରରେ ଏମାନେ ତଦନ୍ତ କରି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବେ। କ୍ୟାମ୍ପସର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଉତ୍କଳ ବ୍ୟତୀତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆଇଆଇଟି, ନାଇଜର, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରି ପ୍ରମୁଖ ଶିକ୍ଷାନୁଷ୍ଠାନରେ ଆଣ୍ଟି ର‍୍ୟାଗିଂ ସେଲ୍‌ ଗଠନ ଓ ପୋଷ୍ଟର ଲଗାଯାଇଛି।

କିଭଳି ର‍୍ୟାଗିଂ ପାଇଁ କେଉଁ ଦଣ୍ଡ ବ୍ୟବସ୍ଥା ରହିଛି, କେତେକ କ୍ୟାମ୍ପସରେ ତାହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଏଥିସହ କୌଣସି ଛାତ୍ରଛାତ୍ରୀ ଯଦି ଏଭଳି କାର୍ଯ୍ୟରେ ସମ୍ପୃକ୍ତ ରୁହନ୍ତି, ତାଙ୍କ ନାମଲେଖା ବାତିଲ୍‌, କ୍ଲାସ କରିବାକୁ ସୁଯୋଗ ଦିଆଯିବ ନାହିଁ, ସ୍କଲାରସିପ୍‌ ବାତିଲ୍‌ ହେବ, ପରୀକ୍ଷା ଫଳ ସ୍ଥଗିତ ରଖିବା ପରି ଦଣ୍ଡବିଧାନ ହୋଇପାରେ। ଏଥିସହ ଯଦି କୌଣସି ଛାତ୍ରଛାତ୍ରୀ ର‍୍ୟାଗିଂର ଶିକାର ହୁଅନ୍ତି, ୟୁଜିସିର ଆଣ୍ଟି-ର‍୍ୟାଗିଂ ହେଲପ୍‌ଲାଇନ୍‌ (୧୮୦୦-୧୮୦-୫୫୨୨) ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦୧୩ରୁ ୨୦୧୭ ମଧ୍ୟରେ ଓଡ଼ିଶାରେ ୨୦୭ଟି ର‍୍ୟାଗିଂ ଅଭିଯୋଗ ହୋଇଛି। ଫଳରେ ଦେଶରେ ଓଡ଼ିଶା ର‍୍ୟାଗିଂରେ ୪ ନମ୍ବର ସ୍ଥାନରେ ରହିଥିଲା। ୨୦୧୭ରେ ର‍୍ୟାଗିଂ ଅଭିଯୋଗ ବଢ଼ିଥିଲେ ମଧ୍ୟ ରାଜ୍ୟ ଦେଶରେ ଷଷ୍ଠ ସ୍ଥାନରେ ରହିଛି। ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ୧୪୩ଟି ର‍୍ୟାଗିଂ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୧୦୦, ପଶ୍ଚିମବଙ୍ଗରେ ୯୯, ବିହାରରେ ୫୩, କର୍ଣ୍ଣାଟକରେ ୪୯ ଓ ଓଡ଼ିଶାରେ ୪୬ଟି ଅଭିଯୋଗ ହୋଇଛି। ତାହାକୁ ଦୃଷ୍ଟିରେ ରଖି ଆମେ ପଦକ୍ଷେପ ନେଇଛୁ। ପ୍ରତି ଶିକ୍ଷାବର୍ଷ ଆରମ୍ଭରୁ ଏନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଥାଏ। ସମସ୍ତ ପ୍ରମୁଖ ବିଶ୍ୱବିଦ୍ୟାଳୟ ଆଣ୍ଟି-ର‍୍ୟାଗିଂ ସେଲ୍‌ ଗଠନ କରିଛନ୍ତି। ଯେଉଁମାନେ କରିନାହାନ୍ତି, ସେମାନଙ୍କୁ ପୁଣିଥରେ ଚିଠି ଲେଖାଯିବ। କ୍ୟାମ୍ପସର ବିଭିନ୍ନ ସ୍ଥାନରେ ର‍୍ୟାଗିଂ ସମ୍ପର୍କରେ ସୂଚନା ଲଗାଇବାକୁ କୁହାଯିବ ବୋଲି ଅଧିକାରୀଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର