ତୁଳସୀ ପାହାଡ଼ରେ କମ୍ବିଂ ଅପରେସନ୍‌ : ବିପୁଳ ମାଓ ସାମଗ୍ରୀ ଜବତ, ଛତିଶଗଡ଼କୁ ଖସିଗଲେ ମାଓବାଦୀ

ମାଲକାନଗିରି : କିଛିଦିନର ବ୍ୟବଧାନ ପରେ ଆଜି ପୁଣି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୁଲିସ କମ୍ବିଂ ଅପରେସନ୍‌ ଆରମ୍ଭ କରିଛି। ଏହି ଅପରେସନ୍‌ରେ ନକ୍ସଲ ମୃତାହତ ହୋଇ ନଥିବା ସୂଚନା ମିଳିଛି। ପୁଲିସ୍‌ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି। ପୁଲିସକୁ ଚକ୍‌ମା ଦେଇ ମାଓବାଦୀମାନେ ଛତିଶଗଡ଼ ସୀମାକୁ ଖସି ଯିବାରେ ସଫଳ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ ମାଥିଲି ବ୍ଲକର ତୁଳସୀ ପାହାଡ ନିକଟସ୍ଥ ସୋଡିଗୁଡା ନିକଟରେ ବହୁ ସଂଖ୍ୟାରେ ନକ୍ସଲ ଏକଜୁଟ ହୋଇଥିବା ସୂଚନା ମିଳିଥିଲା। କ୍ୟାମ୍ପ କରି କିଛି ବଡଧରଣର ହିଂସାକାଣ୍ଡ ଘଟାଇଥିବାକୁ ମାଓବାଦୀ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ପୁଲିସକୁ ଖବର ମିଳିଥିଲା। ଏହାପରେ ଡିଭିଏଫ ଓ ଏସ୍‌ଓଜି ମିଳିତଭାବେ ଜଙ୍ଗଲରେ ପଶିଥିଲେ। ଜଙ୍ଗଲକୁ ଚାରିପଟୁ ଘେରି କମ୍ବିଂ ଅପରେସନ୍‌ ଆରମ୍ଭ କରିଥିଲେ। ପୁଲିସ୍‌ କ୍ୟାମ୍ପ ନିକଟରେ ପହଞ୍ଚିବା ବେଳକୁ ପହରା ଦେଉଥିବା ନକ୍ସଲ ଅତର୍କିତ ଭାବେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୁଲିସ୍‌ ବି ପାଲଟା ଜବାବ ଦେବାରୁ କିଛି ସମୟ ଧରି ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା। ତେବେ ପୁଲିସର ସଂଖ୍ୟା ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ରର ସାମ୍ନା କରିପାରି ନଥିଲେ ପହରା ଦେଉଥିବା ନକ୍ସଲ। ଗୁଳି ଶବ୍ଦ ଶୁଣି କ୍ୟାମ୍ପ କରିଥିବା ନକ୍ସଲ ସେଠାରୁ ନିରାପଦ ରାସ୍ତା ଦେଇ ଖସି ଯାଇଥିଲେ। ଏସ୍‌ପି ଜଗମୋହନ ମୀନାଙ୍କ କହିବା ଅନୁଯାୟୀ ନକ୍ସଲ ଗ୍ରାମବାସୀଙ୍କୁ ଡାକି ବୈଠକ କରିବାକୁ ଯୋଜନା କରିଥିଲେ। ତେବେ ଏହି ବୈଠକରେ ନକ୍ସଲ ଗାଁ ଲୋକଙ୍କୁ କ’ଣ କହିଥା’ନ୍ତେ ସେନେଇ କିଛି ଜଣାପଡିନାହିଁ। ଅପରପକ୍ଷରେ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଗୁଳି ବିନିମୟ ପରେ ହୋଇଥିବା ସର୍ଚ୍ଚ ଅପରେସନ ସମୟରେ ୬ଟି ମୋବାଇଲ, ନକ୍ସଲ ପୁସ୍ତକ, ବିଦ୍ୟୁତ ତାର, ବ୍ୟାଟେରି ସହ ଦୈନନ୍ଦିନ ସାମଗ୍ରୀ ଜବତ କରାଯାଇଛି। ଛତିଶଗଡରେ ଘନଘନ ଚଢାଉ ଯୋଗୁଁ ସେଠାରୁ ଚାଲି ଆସିଥିବା ନକ୍ସଲ ସ୍ଥାନୀୟ କ୍ୟାଡର ଓ ମିଲିସିଆ ନକ୍ସଲଙ୍କ ସହାୟତା ନେଇ ଏଠାରେ କ୍ୟାମ୍ପ କରିଥିଲେ। ତେବେ ଏହି ଘଟଣା ପରେ ନକ୍ସଲ ପୁଣି ମାଥିଲି ଅଞ୍ଚଳରେ ସକ୍ରିୟ ରହିବା ସହ ଗତିବିଧିକୁ ବଢାଇ ଦେଇଥିବା ସ୍ପଷ୍ଟ ହୋଇଯାଇଛି।

ସୂଚନାଯୋଗ୍ୟ, ଗତ ମାସରେ ପୁଲିସ ଏଠାରେ କମ୍ବିଂ ଅପରେସନ ସମୟରେ ଜଣେ ମାଓବାଦୀ ନିହତ ହୋଇଥିଲା।

ସମ୍ବନ୍ଧିତ ଖବର