୩ ବର୍ଷ ପରେ ଚର୍ଚ୍ଚା ଫେରିଲା: ଆମ୍ବଟାକୁଆ ଖାଇ ୩ ମୃତ

ପରିବାରର ଅନ୍ୟ ଜଣେ ମେଡିକାଲରେ ଭର୍ତ୍ତି

ନବରଙ୍ଗପୁର/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ମଇନାପଦର ଗ୍ରାମରେ ଆମ୍ବ ଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣ ପ୍ରାଣ ହରାଇଛନ୍ତି। ଆଉ ଜଣେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ଘରେ ନଥିବାରୁ ଅଳ୍କକେ ବର୍ତ୍ତି ଯାଇଛନ୍ତି। ୩ ବର୍ଷର ବ୍ୟବଧାନ ପରେ ଘଟିଥିବା ଏହି ଘଟଣା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ମୃତକମାନେ ହେଲେ, ସୁଧମଣି ସାନ୍ତା (୩୫), ଯାଆ ପ୍ରମିଳା ସାନ୍ତା (୨୫) ଓ ନଣନ୍ଦ ନମିତା ସାନ୍ତା (୧୫)। ମୃତ ସୁଧମଣିଙ୍କ ସ୍ୱାମୀ ଅର୍ଜୁନ କହିଛନ୍ତି ଯେ, ଆମ୍ବ ଟାକୁଆକୁ ଶୁଖାଇ ଘରେ ବହୁଦିନ ହେବ ରଖାଯାଇଥିଲା। କିଛିଦିନ ତଳେ ଟାକୁଆରୁ କୋଇଲି ବାହାର କରି ଦୀର୍ଘସମୟ ଧରି ଗରମ ପାଣିରେ ଫୁଟା ଯାଇଥିଲା। ଏହାକୁ ପିଠା କରି ଗତକାଲି ଅର୍ଜୁନଙ୍କ ପତ୍ନୀ ସୁଧମଣି, ଭାଇବୋହୂ ପ୍ରମିଳା, ଭଉଣୀ ନମିତା, ପୁଅ ପ୍ରକାଶ ଖାଇଥିଲେ। ଏହାପରେ ସମସ୍ତେ ମକା ଚାଷ ପାଇଁ ଜମିକୁ ଯାଇଥିଲେ। ସେଠାରେ ସମସ୍ତେ ହଠାତ୍‌ ବାନ୍ତି କରିବା ସହିତ ଅସୁସ୍ଥ ହୋଇପଡ଼ିଥିଲେ। ତେବେ, ଅସୁସ୍ଥମାନଙ୍କୁ ମେଡ଼ିକାଲକୁ ନେବା ପରିବର୍ତ୍ତେ ଘରଲୋକ ଦିଶାରୀକୁ ଡକାଇ ଚିକିତ୍ସା କରାଇଥିଲେ। କିନ୍ତୁ ରାତି ପ୍ରାୟ ୨ଟା ବେଳକୁ ନମିତାଙ୍କ ଜିଭ ଫୁଲିବା ସହିତ ନିଃଶ୍ୱାସ ନେବାରେ କଷ୍ଟ ହୋଇଥିଲା। ତାଙ୍କୁ ମେଡ଼ିକାଲକୁ ନେବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ନମିତାଙ୍କର ମୃତ୍ୟୁ ହୋଇଥିଲା। ଆଉ ବିଳମ୍ବ ନକରି ଅନ୍ୟ ୩ ଜଣଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍‌ସ ପାଇଁ ଫୋନ୍‌ କରିଥିଲେ। ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଆସିପାରି ନଥିଲା। ବାଧ୍ୟ ହୋଇ ନିଜେ ଅର୍ଜୁନ ଟ୍ରାକ୍ଟର ଡାଲାରେ ସମସ୍ତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ପୁଣି ନବରଙ୍ଗପୁର ମେଡିକାଲ ନିଆଯାଉଥିଲା। ରାସ୍ତାରେ ସୁଧମଣିଙ୍କ ମୃତ୍ୟୁ ହୋଇଥିଲା। ନବରଙ୍ଗପୁର ମେଡିକାଲରେ ପ୍ରମିଳା ସାନ୍ତା ଓ ପ୍ରକାଶଙ୍କ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟ ଅବସ୍ଥାରେ ବିଶେଷ ପରିବର୍ତନ ଆସିନଥିଲା। ଶେଷରେ ଦୁହିଁଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସଂଧ୍ୟାରେ ପ୍ରମିଳାଙ୍କ ମୃତ୍ୟୁ ହୋଇଯାଇଛି। ସୁଧାମଣିଙ୍କ ୬ବର୍ଷର ପୁଅ ପ୍ରକାଶ ସାନ୍ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖାଦ୍ୟ ବିଷକି୍ରୟାଜନିତ କାରଣରୁ ଏହି ଘଟଣା ଘଟିଥିବା ଭାରପ୍ରାପ୍ତ ସିଡିଏମଓ ଶୋଭାରାଣୀ ମିଶ୍ର କହିବା ସହିତ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ, ଘରେ ପରିବାରର ଅନ୍ୟ କେତେକ ସଦସ୍ୟ ନଥିବାରୁ ଅଳ୍କକେ ବର୍ତ୍ତି ଯାଇଛନ୍ତି। ଅର୍ଜୁନଙ୍କ କହିବା କଥା ସେତେବେଳେ ସେ ନିଜେ ଘରେ ନଥିଲେ। ବାଲି ଆଣିବାକୁ ଟ୍ରାକ୍ଟର ନେଇ ବାହାରକୁ ଯାଇଥିଲେ। ୨ପୁଅ ପ୍ରଭାକର (୧୨) ଓ ପ୍ରଦୀପ (୮) ଏବଂ ସାନ ଭାଇର ଝିଅ ରେବିକା ସାନ୍ତା (୮) ସେବାଶ୍ରମରେ ରହି ପାଠ ପଢ଼ୁଛନ୍ତି। ସେମାନେ ଥିଲେ ହୁଏତ ସମାନ ଘଟଣାର ଶିକାର ହୋଇଥା’ନ୍ତେ ବୋଲି ଦୁଃଖର ସହିତ କହିଛନ୍ତି ଅର୍ଜୁନ। ଗ୍ରାମବାସୀ କହିଛନ୍ତି ଯେ, ଅର୍ଜୁନଙ୍କର ପରିବାର ସ୍ୱଚ୍ଛଳ। ୧୫ ଏକର ଜମିରେ ମକାଚାଷ କରିଛନ୍ତି। ଘରେ ଟ୍ରାକ୍ଟର ବି ରହିଛି। ଖାଇବାକୁ ନଥିବାରୁ ନୁହେଁ ତାଙ୍କ ପରିବାର ସମେତ ଗ୍ରାମର ଅନ୍ୟମାନେ ଆମ୍ବଟାକୁଆ ଖାଇ ଆସୁଛନ୍ତି। ଅର୍ଜୁନଙ୍କ ପରିବାର ୮ ଦିନ ତଳେ ଆମ୍ବଟାକୁଆକୁ ପାଣିରେ ବୁଡାଇ ରଖିଥିବାରୁ ଖାଦ୍ୟ ବିଷାକ୍ତ ହୋଇଯାଇଥିବା ସେମାନେ କହିଛନ୍ତି।

ଅନ୍ୟପକ୍ଷରେ, ଆମ୍ବଟାକୁଆ ଖାଇ ମୃତ୍ୟୁ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପ୍ରକାଶଥାଉକି, ୨୦୧୨ ମସିହା ଓ ୨୦୧୩ ମସିହାରେ କୋରାପୁଟର ଲକ୍ଷ୍ମୀପୁର ବ୍ଲକ୍‌ରେ ଆମ୍ବଟାକୁଆ ଖାଇ କିଛି ଲୋକ ପ୍ରାଣ ହରାଇଥିଲେ। ଏହାପରେ ୨୦୧୬ ମସିହା ଅଗଷ୍ଟ ମାସରେ ରାୟଗଡ଼ା କାଶୀପୁର ବ୍ଲକ୍‌ର ୨ଜଣ ପ୍ରାଣ ହରାଇଥିଲା ବେଳେ ୬ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।

ସମ୍ବନ୍ଧିତ ଖବର