ନିର୍ବାଚନ ପାଇଁ ଆଡ୍‌ଭାଇଜରି ଜାରି କଲା କମିସନରେଟ୍‌ ପୁଲିସ : ରାତି ୧୦ରୁ ସକାଳ ୬ ବାଜିବନି ମାଇକ୍‌

ଭୁବନେଶ୍ୱର : ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କମିସନରେଟ୍‌ ପୁଲିସ ଶୋଭାଯାତ୍ରା, ସଭା ଓ ପଥପ୍ରାନ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛି। ଏହି ସବୁ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ବିନା ସ୍ବୀକୃତିରେ କାର୍ଯ୍ୟକ୍ରମ ଆୟୋଜନ କଲେ ଏହାକୁ ଆଚରଣ ବିଧି ଉଲ୍ଲଂଘନ ବୋଲି ଧରାଯିବ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଧିକ ସଭା ପାଇଁ ଆବେଦନ ହେଲେ ପ୍ରଥମେ ଆସିଥିବା ଆବେଦନକୁ ପ୍ରାଥମିକତା ଦିଆଯିବ। ବିଭିନ୍ନ ସମୟରେ ଆସୁଥିବା ନିର୍ବାଚନ ଆୟୁକ୍ତଙ୍କର ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଏହାକୁ ରାଜନୈତିକ ଦଳ ମାନିବାକୁ ବାଧ୍ୟ। ଶୋଭାଯାତ୍ରା ସମୟରେ ଯେଭଳି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ନ ହେବ ସେଥିପାଇଁ ଯତ୍ନବାନ ହେବେ। ଯେଉଁ ରାସ୍ତାରେ ସ୍ବୀକୃତି ଥିବ ସେହି ରାସ୍ତା ଦେଇ ନ ଗଲେ ଏହାକୁ ବେଆଇନ ଧରାଯିବ। କୌଣସି ଲୋକଙ୍କ ଘର ଦୁଆର ମୁହଁରେ ପ୍ରତିବାଦ ମନା। ଅନ୍ୟ ଦଳର ସଭାରେ ବ୍ୟାଘାତ ସୃଷ୍ଟି କରିବା ଓ ସେହି ଜାଗାରେ ଶୋଭାଯାତ୍ରା କରିବା ଅପରାଧ। ଅସ୍ତ୍ର ଧରି ଶୋଭାଯାତ୍ରା କରାଯାଇ ପାରିବ ନାହିଁ କିମ୍ବା ବାଣ ବ୍ୟବହାର ହେବ ନାହିଁ। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ୍‌ ବାଜିବା ମନା। ଏଣୁ ରାତି ୧୦ଟା ପରେ କୌଣସି ସଭା ଆୟୋଜନକୁ ସ୍ବୀକୃତି ମିଳିବ ନାହିଁ। ଜନଗହଳୀପୂର୍ଣ୍ଣ ବଜାର, ହସ୍‌ପିଟାଲ, ଟ୍ରମାକେୟାର ପ୍ରଭୃତି ଅଞ୍ଚଳରେ ଶୋଭାଯାତ୍ରା ପାଇଁ ସ୍ବୀକୃତି ମିଳିବ ନାହିଁ। ଶୋଭାଯାତ୍ରା ଓ ସଭାରେ କେତେଜଣ ଲୋକ, କେତେ ଗାଡ଼ି ବ୍ୟବହାର ହେବ ସେ ନେଇ ଦଳ ବା ସଂଗଠନ ଆଗୁଆ ସୂଚନା ଦେବେ। ଗୋଟିଏ ଧାଡ଼ିରେ ୧୦ଟି ଯାନ(ଚାରିଚକିଆ, ଦୁଇଚକିଆ, ଅଟୋ, ରିକ୍ସା) ଯିବା ପାଇଁ ଅନୁମତି ମିଳିବ। ଅଧିକ ଯାନ ହେଲେ ୧୦ଟି ଲେଖାଏଁ ଗାଡ଼ି ପରେ ଶହେ ମିଟରର ଖାଲି ଜାଗା ଛଡ଼ାଯିବ। ରାସ୍ତା ଓସାରର ଅଧାରୁ ଅଧିକ ଶୋଭାଯାତ୍ରାରେ ବ୍ୟବହାର କରାଯାଇ ପାରିବ ନାହିଁ। ଶିଶୁ ଓ ପ୍ରାଣୀଧନ କିମ୍ବା ବନ୍ୟପ୍ରାଣୀ ଶୋଭାଯାତ୍ରାରେ ବ୍ୟବହାର ହୋଇ ପାରିବେ ନାହିଁ। ୬ ଫୁଟ ଲମ୍ବା ୪ ଫୁଟ ଓସାରର ବ୍ୟାନର୍‌ଠାରୁ ଅଧିକ ଲମ୍ବାର ବ୍ୟାନର୍‌ ବ୍ୟବହାର ହୋଇ ପାରିବ ନାହିଁ। ରୋଡ୍‌ ସୋ’ରେ ଗୋଟିଏ ଫୁଟ୍‌ ଲମ୍ବାର ପତାକା ରିଟର୍ଣ୍ଣି ଅଫିସରଙ୍କ ସ୍ବୀକୃତିରେ ବ୍ୟବହାର କରାଯାଇ ପାରେ। ପ୍ରଚାର ଗାଡ଼ିରେ ସ୍ପଟ୍‌ ଲାଇଟ୍‌ ସର୍ଚ୍ଚ ଲାଇଟ୍‌, ଫ୍ଲାସ ଲାଇଟ୍‌ ପ୍ରଭୃତି ବ୍ୟବହାର କରାଯାଇ ପାରିବ ନାହିଁ। ଏଭଳି ବ୍ୟବହାର ହେଲେ ଏହାକୁ ଅପରାଧ ମଣି କମିସନରେଟ୍‌ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର