୩ ଆରଡିସି କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ପାଇଁ ପ୍ରସ୍ତାବ

କାର୍ଯ୍ୟକାଳ ବୃଦ୍ଧି ପାଇଁ ଶ୍ରୀମନ୍ଦିର କମିଶନ ଜଷ୍ଟିସ ବି.ପି.ଦାସଙ୍କ ପରାମର୍ଶ

କଟକ : ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ରାଜ୍ୟର ତିନୋଟି ରାଜସ୍ୱ ଜୋନରେ ମନ୍ଦିର କାର୍ଯ୍ୟାଳୟ ଖୋଲିବା ନିତାନ୍ତ ଆବଶ୍ୟକ । ଜଣେ ଡେପୁଟି ପ୍ରଶାସନିକ ଅଧିକାରୀଙ୍କ ସହ ଶ୍ରୀମନ୍ଦିରର କିଛି ଅଭିଜ୍ଞ କର୍ମଚାରୀଙ୍କୁ ଏଠାରେ ନିଯୁକ୍ତି ଦିଆଯାଉ । ସ୍ଥାନୀୟ ଅଞ୍ଚଳରେ ଶାଖା କାର୍ଯ୍ୟାଳୟ ଖୋଲାଗଲେ ସେଠାରେ ଥିବା ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତି ଉଦ୍ଧାର ହୋଇପାରିବ । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟସରକାରଙ୍କୁ ଏପରି ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର କମିଶନ ଜଷ୍ଟିସ ବି.ପି.ଦାସ । ଏଥିସହିତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଜଷ୍ଟିସ ଦାସ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସରକାରଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରି ଜଷ୍ଟିସ ଦାସ କହିଛନ୍ତି ଯେ,ଜଗନ୍ନାଥ ସଂସ୍କୃତି ୪ହଜାର ବର୍ଷର ତଳର। କିନ୍ତୁ ଆବଶ୍ୟକ ଅନୁଯାୟୀ ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରାର ବହୁଳ ପ୍ରଚାରପ୍ରସାର ହୋଇପାରିନାହିଁ। ମନ୍ଦିର ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ସେପରି ଆଖିଦୃଶିଆ ପ୍ରଚାରପ୍ରସାର ହୋଇପାରି ନଥିବାବେଳେ ଅନ୍ୟାନ୍ୟ ସଂସ୍ଥାଙ୍କ ଦ୍ୱାରା ଦେଶବିଦେଶରେ ଏହାର ସଂସ୍କୃତିକୁ ପ୍ରଚାର କରାଯାଇଥିବା ଜଷ୍ଟିସ କମିଶନ ରିପୋର୍ଟରେ ଦର୍ଶାଇଥିବା ସୂଚନା ଦେଇଛନ୍ତି । ତେବେ ସରକାରଙ୍କ ପ୍ରଚାରପ୍ରସାର ଯଥେଷ୍ଟ ନଥିବା କମିଶନ କହିଛନ୍ତି । ସେହିପରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଉପରେ ଗବେଷଣା କରୁଥିବା ଗବେଷକମାନଙ୍କୁ ପ୍ରୋତ୍ସାହନ ଏବଂ ମେଧାବୃତ୍ତି ଯୋଗାଇ ଦେବା ପାଇଁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପୁରୀ ସହର ସହ ରାଜ୍ୟର ଅନ୍ୟ ସହରର ସଂପର୍କ ରହିଛି। କୁଜଙ୍ଗ, କଣ୍ଟିିଲୋ, ସୋନପୁର ଆଦି ଐତିହ୍ୟସମ୍ପନ୍ନ ସହରରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ରହିଛି। ତେଣୁ ଏ ସବୁ ସ୍ଥାନକୁ ବସ ଯୋଗାଯୋଗର ବ୍ୟବସ୍ଥା କରିବାକୁ କମିଶନ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଉଲ୍ଲେଖ କରିଛନ୍ତି ।

ଏଥିସହିତ ପୁରୀରେ ସଂଗ୍ରହାଳୟ ନିର୍ମାଣ କରି ସେଥିରେ ଶ୍ରୀମନ୍ଦିରରେ ବ୍ୟବହୃତ ସାମଗ୍ରୀକୁ ସ୍ଥାନ ଦିଆଯିବା ପାଇଁ ପରାର୍ମଶ ଦିଆଯିବା ସହ ସେଠାରେ ଏକ ପାଠାଗାର ବ୍ୟବସ୍ଥା ପାଇଁ ପ୍ରସ୍ତାବ ରଖିଛନ୍ତି କମିଶନ। ପୁରୀରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ସେଥିରେ ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ମନ୍ଦିର ଏବଂ ନରେନ୍ଦ୍ର ପୁଷ୍କରଣୀ ସମ୍ପର୍କରେ ସୂଚନା ପାଇଁ ସୁପାରିଶ କରାଯାଇଛି। ଶ୍ରୀ ମନ୍ଦିରକୁ ପ୍ରବେଶ କରିପାରୁନଥିବା ଅନ୍ୟାନ୍ୟ ଧର୍ମର ଲୋକ ଓ ପର୍ଯ୍ୟଟକମାନେ କମ୍ପ୍ଲେକ୍ସରେ ଜଗନ୍ନାଥ ସଂସ୍କୃତି ବାବଦରେ ସବୁ କିଛି ଜାଣିପାରିବେ ବୋଲି ଜଷ୍ଟିସ ଦାସ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିବା ନେଇ ସୂଚନା ଦେଇଛନ୍ତି । ରଥଯାତ୍ରା ପରେ ରଥ ଚକଗୁଡିକ ଓଡିଶା ଅତିଥି ଭବନରେ ସଂରକ୍ଷିତ ରଖିବା ସହ ଓଡିଶୀ ନୃତ୍ୟ ଏବଂ ପଟ୍ଟଚିତ୍ରକୁ ହାଇସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବା ପାଇଁ କମିଶନ ସରକାରଙ୍କୁ ପରାର୍ମଶ ଦେଇଛନ୍ତି। ତେବେ ତୃତୀୟ ରିପୋର୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେଥିରେ ନୀତିକାନ୍ତି, ସେବାକୁ କିପରି ଅଧିକ ବ୍ୟବସ୍ଥିତ ଢଙ୍ଗରେ କରାଯାଇପାରିବ ସେ ନେଇ ପ୍ରସ୍ତାବ ଦିଆଯିବାକୁ ଶ୍ରୀମନ୍ଦିର କମିଶନ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର