ଆଜିଠାରୁ ପ୍ରତି ଘଣ୍ଟାରେ ଟ୍ରାଫିକ୍ ଅପଡେଟ୍ ଦେବ କମିସନରେଟ୍ ପୁଲିସ: ଦୂର ହେବ ବାଲିଯାତ୍ରାରେ ପାର୍କିଂ ସମସ୍ୟା

ଭୁବନେଶ୍ବର:  କଟକ ବାଲିଯାତ୍ରା ଦିନକ ପରେ ଦିନ ବଢିବା ସହିତ ମହାନଦୀ ପଠାରେ ଜମୁଛି ଲୋକଙ୍କ ଗହଳି । ଏହାକୁ ନଜରରେ ରଖି ଆଜିଠାରୁ ପ୍ରତି ଘଣ୍ଟାରେ ଲୋକଙ୍କୁ ମିଳିବ ଭିଡକୁ ନେଇ ଅପଡେଟ୍ । ଟୁଇଟର ଓ କଂଟ୍ରୋଲରୁମରୁ ଲୋକଙ୍କୁ ଏହି ତଥ୍ୟ ମିଳିପାରିବ । ଫଳରେ ୧୦ଟି ପାର୍କିଂ ସ୍ଥାନ ମଧ୍ୟରୁ କେଉଁ ସ୍ଥାନରେ କେତେ ଭିଡ ରହିଛି ସେ ନେଇ ସୂଚନା ପାଇ ପାରିବେ ଜନସାଧାରଣ । ଚଳିତ ବର୍ଷ ବାଲିଯାତ୍ରା ପାଇଁ ୧୦ଟି ସ୍ଥାନରେ ୮୦ ହଜାର ଗାଡି ରଖିବାର ବ୍ୟବସ୍ଥା କରିଛି କମିସନରେଟ୍  ପୁଲିସ । ରବିବାର ଏହି ଭିଡ କାରଣରୁ ପୂରା ଅଣନିଶ୍ୱାସୀ ହୋଇଯାଇଥିଲା ବାଲିଯାତ୍ରାର ଟ୍ରାଫିକ୍ ବ୍ୟବସ୍ଥା । ସେଥିପାଇଁ ଭିଡ ନେଇ ଲୋକଙ୍କୁ ଅବଗତ କରାଇବାକୁ ଆଜି ଏପରି ନିଷ୍ପତ୍ତି ନେଇଛି କମିସନରେଟ୍ ପୁଲିସ ।

ଗତକାଲି ରବିବାର ଥିବାରୁ  ସ୍ଥିତି ଅଧିକ ଜଟିଳ ହୋଇଥିବା ଦେଖିବାକୁ ମିଳିଥିଲା । ପାର୍କିଂ ପାଇଁ ୧୦ଟି ସ୍ଥାନରେ ୮୦ ହଜାର ଗାଡି ରଖିବାର ବ୍ୟବସ୍ଥା ଥିଲେ ବି ରବିବାର ପୂରା ଅଣନିଶ୍ୱାସୀ ହୋଇଯାଇଥିଲା ବାଲିଯାତ୍ରାର ଟ୍ରାଫିକ୍ ବ୍ୟବସ୍ଥା । ଏତିକି ବେଳେ ଆଖପାଖ ଅଞ୍ଚଳର ଅନେକ ଅନୁଷ୍ଠାନ ଓ ସ୍କୁଲ ବଢାଇଥିଲେ ସହଯୋଗର ହାତ । ଗାଡି ପାର୍କିଂ ପାଇଁ କିଛି ଅନୁଷ୍ଠାନ ସେମାନଙ୍କର ଗେଟ୍ ଖୋଲି ଦେଇଥିଲେ । ବାରଙ୍ଗ, ତ୍ରିଶୁଳିଆ, ଆଠଗଡ଼ ରାସ୍ତାରେ ଖାସ୍ କରି ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ତେଣୁ ଏନଏଚ୍-୧୬ ରାସ୍ତାରେ ଯିବାକୁ ଆଡଭାଇଜରି ଜାରି କରିଥିଲା କମିସନରେଟ୍ ପୁଲିସ । ତେବେ ଆଜି ସୋମବାର ଗତକାଲି ଭଳି ଭିଡ ଦେଖିବାକୁ ମିଳିବନି ବୋଲି ଆଶା ରଖିଛି କମିସନରେଟ୍ ପୁଲିସ । ତେବେ ଆଗରୁ ବ୍ୟବସ୍ଥା ଥିବା ୧୦ଟି ପାର୍କିଂ ସ୍ଥାନ ଯଥେଷ୍ଟ ବୋଲି ପୁଲିସ କହିଛି । ଏହା ସହିତ ଗତକାଲି ପାର୍କିଂ ସମସ୍ୟା ବେଳେ ହାତ ବଢାଇଥିବା ଅନୁଷ୍ଠାନକୁ ଧନ୍ୟବାଦ୍ ଦେଇଛନ୍ତି ପୁଲିସ କମିସନର ।

ସମ୍ବନ୍ଧିତ ଖବର