ପୁଣି ବିଧାନ ପରିଷଦ ଚର୍ଚ୍ଚା : ଅନୁଧ୍ୟାନ ପାଇଁ ଆନ୍ଧ୍ର, ବିହାର ଯିବ କମିଟି

୩ ବର୍ଷ ତଳେ ଯାଇଥିଲେ ମହାରାଷ୍ଟ୍ର, କର୍ଣ୍ଣାଟକ

ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ପୁଣି ପ୍ରକ୍ରିୟା ଆରମ୍ଭ ହୋଇଛି। ପରିଷଦ ସମ୍ପର୍କରେ ଅନୁଧ୍ୟାନ କରିବା ନିମନ୍ତେ ଗଠିତ କମିଟି ଖୁବ୍‌ଶୀଘ୍ର ଆନ୍ଧ୍ରପ୍ରଦେଶ ଓ ବିହାର ଗସ୍ତରେ ଯିବେ। ସେଠାରେ ସେମାନେ ବିଧାନ ପରିଷଦର ଗଠନ ପ୍ରଣାଳୀ ଓ କାର୍ଯ୍ୟଧାରା ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଦୀର୍ଘ ସାଢ଼େ ୩ ବର୍ଷର ନୀରବତା ପରେ ବିଧାନ ପରିଷଦ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୧୫ ମସିହାରେ ବିଧାନ ପରିଷଦ ଗଠନ ନେଇ ସରକାର ପକ୍ରିୟା ଆରମ୍ଭ କରିଥିଲେ। ଏହାକୁ ନେଇ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କିଛି ମହଲରେ ଏହାକୁ ସ୍ୱାଗତ କରାଯାଇଥିଲା ବେଳେ ଆଉ କିଛି ମହଲରେ ଏହା ଦ୍ୱାରା ରାଜ୍ୟ ଅଯଥା ଖର୍ଚ୍ଚଭାର ବହନ କରିବ ବୋଲି କୁହାଯାଇଥିଲା। ଏହାରି ଭିତରେ ୨୦୧୫ ମସିହା ଜାନୁଆରି ମାସରେ ସରକାର ଏଥି ପାଇଁ ଏକ କମିଟି ଗଠନ କଲେ।

ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଜେଡିରୁ ପ୍ରମିଳା ମଲ୍ଲିକ ଓ ମନୋହର ରାନ୍ଧାରୀ, କଂଗ୍ରେସରୁ ଭୁଜବଳ ମାଝୀ ଓ ବିଜେପିରୁ ନୀତିଶ ଗଙ୍ଗଦେବ ସଦସ୍ୟ ରହିଥିଲେ। ତେବେ କମିଟି ଗଠନ ପୂର୍ବରୁ ସବୁ ଦଳ ସହ ପରାମର୍ଶ କରାଯାଇ ନ ଥିବାରୁ କଂଗ୍ରେସ ଓ ବିଜେପି ବିଧାୟକ ଏଥିରୁ ଓହରିଯାଇଥିଲେ। ବିଜେଡିର ତିନି ସଦସ୍ୟଙ୍କୁ ନେଇ କମିଟି ୨୦୧୫ ମସିହା ଫେବ୍ରୁଆରି ମାସ ପ୍ରଥମ ସପ୍ତାହରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯାଇଥିଲେ। ବିଧାୟକଙ୍କ ସାଙ୍ଗରେ ଅଫିସର୍‌ମାନେ ବି ଦୁଇ ରାଜ୍ୟ ଗସ୍ତରେ ଯାଇଥିଲେ। ସେଠାକାର ବିଧାନ ପରିଷଦର ଅଧିକାରୀ ଓ ବିଶେଷଜ୍ଞମାନଙ୍କ ସହ ପ୍ରତିନିଧିମାନେ ସହ ଆଲୋଚନା କରିଥିଲେ।

କିନ୍ତୁ କମିଟି ଗସ୍ତରୁ ଫେରିଲା ପରେ ପ୍ରକ୍ରିୟା ଠପ୍‌ ହୋଇଗଲା। ସେଥିରୁ କି ଫଳାଫଳ ମିଳିଲା, କେହି ଜାଣିପାରିଲେନି। ପରେ ଜଣାପଡ଼ିଲା ଯେ ଦୁଇ ରାଜ୍ୟ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରଥମେ ଗଠନ ହୋଇଥିଲା ବିଧାନ ପରିଷଦ ଓ ପରେ ଗଠନ ହେଲା ବିଧାନସଭା। ତେଣୁ ଏହି ଦୁଇ ରାଜ୍ୟର ଢ଼ାଞ୍ଚା ଓଡ଼ିଶାରେ କି କାମରେ ଲାଗିବ, ତାହା କମିଟି ସଦସ୍ୟମାନେ ବୁଝିପାରିଲେ ନାହିଁ। ସେଠାରୁ ଫେରି ସେମାନେ ସଂସଦୀୟ ବ୍ୟାପାର ବିଭାଗକୁ ଏହା ଜଣାଇଦେଲେ। କମିଟି ପକ୍ଷରୁ କୁହାଗଲା, ମହାରାଷ୍ଟ୍ର ଓ କର୍ଣ୍ଣାଟକର ବିଧାନ ପରିଷଦ ଗଠନ ଶୈଳୀ ଆମ କାମରେ ଲାଗିବନି। ଯେଉଁ ରାଜ୍ୟରେ ବିଧାନସଭାର କିଛି ବର୍ଷ ପରେ ବିଧାନ ପରିଷଦ ଗଠନ କରାଯାଇଛି, ସେମିତି ଦୁଇଟି ରାଜ୍ୟକୁ କମିଟିକୁ ପଠାଯାଉ। ସେଠାରେ ପରିଷଦ ଗଠନ ଶୈଳୀ ଦେଖି କମିଟି ରିପୋର୍ଟ ଦେବ।

ସୂଚନାଯୋଗ୍ୟ ଯେ ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା ରଖାଯାଇଛି। କିନ୍ତୁ ଓଡ଼ିଶା ପରି ଅଳ୍ପ କେତେକ ରାଜ୍ୟକୁ ବାଦ୍‌ ଦେଲେ ବିହାର, ଜାମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ପରି ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି। ପରିଷଦର ସଦସ୍ୟମାନେ ସାଧାରଣତଃ ପରୋକ୍ଷ ନିର୍ବାଚନରେ ନିର୍ବାଚିତ ହୁଅନ୍ତି। ଏହା ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଆଇନ୍‌ ପ୍ରଣୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ମଧ୍ୟ ଉପସ୍ଥାପିତ ହୋଇଛି। ନିୟମ ଅନୁଯାୟୀ ବିଧାନସଭା ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶ ଆସନ ବିଧାନ ପରିଷଦରେ ରହିବ। ଏହି ହିସାବରେ ପ୍ରସ୍ତାବିତ ଓଡ଼ିଶା ବିଧାନ ପରିଷଦରେ ସଦସ୍ୟ ସଂଖ୍ୟା ୪୯ରେ ସୀମିତ ରହିବ।

ସମ୍ବନ୍ଧିତ ଖବର