ପୁଞ୍ଜି ଆଣିବା ଲାଗି ପ୍ରତିଯୋଗିତା : ନିର୍ବାଚନ ବର୍ଷରେ ଲୋକଙ୍କ ମନ ଜିଣିବାକୁ ଯୋଜନା

ବୟନ ଓ ପ୍ଲାଷ୍ଟିକ୍‌ ନିବେଶକାରୀଙ୍କୁ ଓଡ଼ିଶା ଡାକିଲେ ଧର୍ମେନ୍ଦ୍ର, ୧୭ ହଜାର କୋଟିର ନିବେଶ ଯୋଜନା

(ସୁରଟରୁ ଭବାନୀ ଶଙ୍କର ତ୍ରିପାଠୀ) କେତେ ଶିଳ୍ପପତି ଆସିବେ; କେତେ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ; ସର୍ବୋପରି କେତେ ନିଯୁକ୍ତି ମିଳିବ; ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। କିନ୍ତୁ ନିର୍ବାଚନ ବର୍ଷରେ ଓଡ଼ିଶାକୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗୁଜରାଟର ସୁରଟରେ ଥିବା ଓଡ଼ିଆଙ୍କ ମନ ଜିଣିବା ଲକ୍ଷ୍ୟରେ ବୟନ ଓ ପ୍ଲାଷ୍ଟିକ ଶିଳ୍ପ ସହ ସଂପୃକ୍ତ ପୁଞ୍ଜିପତିମାନଙ୍କୁ ଢାଲ କରିବାକୁ ଉଦ୍ୟମ କରାଯାଉଛି। ଏହି ଶିଳ୍ପରେ ପ୍ରାୟ ୬ ଲକ୍ଷ ଓଡ଼ିଆ କାମ କରୁଥିବା କୁହାଯାଉଛି।

ଓଡ଼ିଶାକୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ଅତୀତରେ ବିଜେଡି ସରକାର ବିଦେଶରେ ରୋଡ୍‌-ସୋ କରିଛନ୍ତି। ନିକଟରେ ନିଜେ ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ରରେ ଶିଳ୍ପପତିଙ୍କୁ ଭେଟିଥିଲେ। ଆଗକୁ ବଡ଼ ସମ୍ମିଳନୀର ଆୟୋଜନ ଚାଲିଛି। ଠିକ୍‌ ଏମିତି ଏକ ସମୟରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବି ଅନୁରୂପ କୌଶଳ ଆପଣେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବିଭାଗକୁ ସାମ୍ନାରେ ରଖି ଓଡ଼ିଶାର ବିକାଶ ପ୍ରକ୍ରିୟାରେ ସେ ବି ପଛରେ ନାହାନ୍ତି; ଏମିତି ଏକ ବାର୍ତ୍ତା ଦେବାକୁ ଚାହିଛନ୍ତି।

ଆଜି ସୁରଟରେ ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ନେତୃତ୍ୱରେ ଭାରତୀୟ ତୈଳ ନିଗମ ପ୍ରଥମ ଥର ପାଇଁ ବୟନ ଓ ପ୍ଲାଷ୍ଟିକ ନିବେଶକ ସମ୍ମିଳନୀ ଆୟୋଜନ କରିଛି। ଓଡ଼ିଶାରେ ବୟନ ଓ ପ୍ଲାଷ୍ଟିକ୍‌ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପରେ ବ୍ୟାପକ ସମ୍ଭାବନା ଥିବା କଥା କହି କେନ୍ଦ୍ରମନ୍ତ୍ରୀ ନିଜେ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶା ଆମନ୍ତ୍ରଣ କରିଛନ୍ତି। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ କଞ୍ଚାମାଲ ଅଛି; ପର୍ଯ୍ୟାପ୍ତ ପରିମାଣର ବିଜୁଳି ଉପଲବ୍ଧ, ଶସ୍ତା ବି। ଉତ୍ତର ପାରାଦୀପ ଓ ଭଦ୍ରକରେ ଏଭଳି ପାର୍କର ବିକାଶ କରାଯାଉଛି। ଅନ୍ତଃରାଜ୍ୟ ହେଉ କି ଅନ୍ତର୍ଦେଶୀୟ କାରବାର ପାଇଁ ବନ୍ଦର ବି ରହିଛି। ସଡ଼କ ଯୋଗାଯୋଗ ଓ ବିମାନସେବା ଭଳି ଅତ୍ୟାବଶ୍ୟକ ଭିତ୍ତିଭୂମି ରହିଛି। କୁଶଳୀ ତଥା ଅଭିଜ୍ଞ ମାନବ ସମ୍ବଳ ଅଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ରସାୟନ ପ୍ରଯୁକ୍ତି ପ୍ରତିଷ୍ଠାନ-ମୁମ୍ବାଇର ଓଡ଼ିଶା ଶାଖା ଖୋଲିଛି। ଆସନ୍ତା ୭ ତାରିଖରୁ ଏଠାରେ ପାଠପଢ଼ା ହେବ। ଏଣୁ ବୟନ ଓ ପ୍ଲାଷ୍ଟିକ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଯେଉଁ ବିକାଶର ଧାରା ପ୍ରବାହିତ ହେଲାଣି; ସେଥିରେ ଶିଳ୍ପପତି, ପୁଞ୍ଜିନିବେଶକାରୀ ସାମିଲ ହେବା ଲାଗି ଓଡ଼ିଶା ଆସିବା ଦରକାର।

ଭିତ୍ତିଭୂମି ସମ୍ପର୍କିତ ତଥ୍ୟ ରଖି ମନ୍ତ୍ରୀ କହିିଲେ, ପାରାଦୀପରେ ୩୫ ହଜାର କୋଟି ଟଙ୍କା ନିବେଶରେ ତୈଳ ବିଶୋଧନାଗାର ସ୍ଥାପନ ପରେ ଓଡ଼ିଶାରେ ବିକାଶର ଏ ନୂଆ ରାସ୍ତା ଫିଟିଛି। ଏବେ ବାର୍ଷିକ ୭୦୦ କିଲୋଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ପଲିପ୍ରପଲିନ୍‌ ୟୁନିଟ୍‌ ପାରାଦୀପ ବିଶୋଧନାଗାର ପରିସରରେ ଆରମ୍ଭ ହୋଇଛି। ୩୧୫୦ କୋଟିର ପ୍ଲାଷ୍ଟିକ ଶିଳ୍ପକୁ ଏହା ସହାୟତା କରିବ। ଇଡ୍‌କୋ-ଭାରତୀୟ ତୈଳ ନିଗମ ଯୁଗ୍ମ ଉଦ୍ୟମରେ ପାରାଦୀପ ପ୍ଲାଷ୍ଟିକ ପାର୍କର ବିକାଶ କରାଯାଉଛି। ଏହା ପାରାଦୀପ ବିଶୋଧନାଗାର ପରିସରରୁ ପଲିପ୍ରପଲିନ୍‌ ବ୍ୟବହାର କରିବ। ୧୨୦ ଏକର ଜମିରେ ଏହାର ବିକାଶ କରାଯାଉଛି। ଏଠାରେ ପଲିଷ୍ଟର, ପଲିଷ୍ଟର ଫେବ୍ରିକ ଉତ୍ପାଦନ ହେବ। ଏଥିରେ ୧୩ ହଜାର ୫୦୦ କୋଟି ଟଙ୍କା ବିନିଯୋଗ ହେବ। ଏ କ୍ଷେତ୍ରରେ ପୁଞ୍ଜିନିବେଶର ବ୍ୟାପକ ସମ୍ଭାବନା ରହିଛି। ବୁଣିବା, ସିଲେଇ କରିବା, ରଙ୍ଗ କରିବା, ପୋଷାକ ଆଦି କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଉପକୃତ ହେବେ। କେବଳ ପଲି ପ୍ରପ୍‌ଲିନ୍‌ ପାଇଁ ୩୦୦୦ କୋଟି ଖର୍ଚ୍ଚ ହେଉଛି ଏବଂ ଏହି ପ୍ରକଳ୍ପ କାର୍ଯ୍ୟ ଆସନ୍ତା ଡିସେମ୍ବରରେ ସରିବ। ଅନ୍ୟ ପ୍ରକଳ୍ପ କିନ୍ତୁ ସରିବାକୁ ୩/୪ ବର୍ଷ ସମୟ ଲାଗିବ। ସେହିଭଳି ଭଦ୍ରକ ଜିଲ୍ଲାରେ ଭାରତୀୟ ତୈଳ ନିଗମ ବୟନ ପାର୍କ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଭଦ୍ରକରେ ଧରଣୀ ସୁଗାର ମିଲ୍‌ ଲାଗି ପ୍ରସ୍ତାବ ରହିଥିଲା। ସେଠାରେ ୨୩୪ ଏକର ଜାଗାରେ ପଲିଷ୍ଟର ଫେବ୍ରିକ ଠାରୁ ପୋଷାକ ତିଆରି ପର୍ଯ୍ୟନ୍ତ ସମନ୍ଵିତ ବୟନ ପାର୍କ କରାଯାଉଛି। ଏହିପରି ମୋଟ ୧୭ ହଜାର କୋଟି ଟଙ୍କା ବିନିଯୋଗ ହେବ। ଭଦ୍ରକର ଜମି ପାଇଁ ଆବେଦନ ହୋଇଛି, କିନ୍ତୁ ହସ୍ତାନ୍ତର ହୋଇନାହିଁ ବୋଲି ମନ୍ତ୍ରୀ କହିଥିଲେ।

ପରିସଂଖ୍ୟାନ ଦେଇ ବିଭାଗ କହିଥିଲା ଯେ, ବିଶ୍ୱରେ ପ୍ଲାଷ୍ଟିକ୍‌ର ମୁଣ୍ଡପିଛା ବ୍ୟବହାର ୩୨ କେଜି ରହିଛି। କିନ୍ତୁ ଏବେ ଭାରତରେ ମୁଣ୍ଡପିଛା ପ୍ଲାଷ୍ଟିକ ବ୍ୟବହାର ୧୦ କେଜିରେ ପହଞ୍ଚି ଥିବାବେଳେ ପୂର୍ବ ଭାରତରେ ଏହା ମାତ୍ର ୫ କେଜିରେ ସୀମିତ ରହିଛି। ୨୦୩୦ ସୁଦ୍ଧା ଏହାକୁ ୩୦ କେଜିକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ୨୨ ଲକ୍ଷ ଲୋକ ନିଯୁକ୍ତି ପାଇବେ।

ସମ୍ମିଳନୀରେ ଗୁଜରାଟର ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା, ଭାରତୀୟ ତୈଳ ନିଗମ ଅଧ୍ୟକ୍ଷ ସଂଜୀବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବୟନ ଓ ପ୍ଲାଷ୍ଟିକ୍‌ କ୍ଷେତ୍ରରେ ୯ମ ସମାବେଶ ସଂକ୍ରାନ୍ତରେ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା। ଏଥିରେ ଶତାଧିକ ପୁଞ୍ଜି ନିବେଶକାରୀ ଯୋଗ ଦେଇଥିଲେ।

ସଂପର୍କ ଯୋଡ଼ିଲେ ନୂଆ ଢଙ୍ଗରେ ବର୍ଷ ବର୍ଷ ଧରି ରାଜ୍ୟର ଲକ୍ଷ ଲକ୍ଷ ଲୋକ ସୁରଟ ଉପରେ ନିର୍ଭରଶୀଳ ରହିଛନ୍ତି। ହେଲେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗୁଜରାଟ ମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା ନୂଆ ଢଙ୍ଗରେ ଓଡ଼ିଶା-ଗୁଜରାଟକୁ ଯୋଡ଼ିଛନ୍ତି। ଶ୍ରୀ ଜାଡ଼େଜା ବକ୍ତବ୍ୟ ଦେବାବେଳେ କହିଥିଲେ, ଦ୍ୱାରକା ଶ୍ରୀକୃଷ୍ଣଙ୍କ କ୍ଷେତ୍ର। ଓଡ଼ିଶା ଜଗନ୍ନାଥଙ୍କ ଧାମ। ଆଜି ଜନ୍ମାଷ୍ଟମୀ ଅବସରରେ ତୈଳ ନିଗମର ସୁରଟ ସମ୍ମିଳନୀରେ ନିବେଶକମାନଙ୍କୁ ଓଡ଼ିଶା ଆମନ୍ତ୍ରଣ କରି କେନ୍ଦ୍ରମନ୍ତ୍ରୀ ଦୁଇ ଲୀଳା କ୍ଷେତ୍ର ମଧ୍ୟରେ ସଂପର୍କକୁ ଯୋଡ଼ିବା ପାଇଁ ଚାହିଁଛନ୍ତି। ଏହା ସଫଳ ହେବ। ଶ୍ରୀ ପ୍ରଧାନ ଏହା ଦୋହରାଇବା ସହିତ କହିଥିଲେ; ଉତ୍ତର କ୍ଷେତ୍ର ଶ୍ରୀ ବିଷ୍ଣୁଙ୍କର। କେବଳ ସେତିକି ନୁହେଁ ଆଉ ଏକ ବିଶେଷତ୍ୱ ହେଉଛି ଓଡ଼ିଶାର କୋଣାର୍କରେ ସୂର୍ଯ୍ୟ ଉଦୟ ହୁଅନ୍ତି, ଗୁଜରାଟର ମୋଖିଲାରେ ଅସ୍ତ ଯାଆନ୍ତି। ଆଜି ଦିନରେ ୧ ନମ୍ବର ବନ୍ଦର ଗୁଜରାଟରେ। ପାରାଦୀପ ଗୁଜରାଟକୁ ଟପିବ ଏବଂ ୧ ନମ୍ବର ହେବ। ସେହିଭଳି ପୁଂଜିନିବେଶରେ ବି ଓଡ଼ିଶା ଏକ ନମ୍ବର ହେବ।

ସମ୍ବନ୍ଧିତ ଖବର