ଗାଁରେ ସୁଧ ବେପାର, ଇଓଡବ୍ଲୁ‌ରେ ଅଭିଯୋଗ

ଭୁବନେଶ୍ୱର : ଗାଁରେ ଚାଲିଛି ବେଆଇନ୍‌ ସୁଧ କାରବାର। ସୁଧ ପଇସା ଦେଇ ଦେଇ ମୂଳ ପଇସାର ୪ ଗୁଣା ଶୁଝି ଯାଉଛି। ହେଲେ ମୂଳଧନ ଛାଡ଼ୁନି ମହାଜନ। ଧାର୍ଯ୍ୟ ବେଳ ଗଡ଼ିଗଲେ ମହାଜନ ଘରେ ପଶି ଝିଅ ବୋହୂଙ୍କୁ ଅସଦାଚରଣ କରୁଛି। ରାସ୍ତାରୁ ବାଇକ୍‌ ଛଡ଼ାଇ ନେଉଛି। ବିନା ସ୍ବୀକୃତିରେ ଏଭଳି ବେପାର ବର୍ଷ ବର୍ଷ ଧରି ଚାଲିଛି। ଏଭଳି ଏକ ସାଂଘାତିକ ଅଭିଯୋଗ ଆଜି କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ହୋଇଛି।

କଟକ ଜିଲ୍ଲା ବାଙ୍କି ଥାନା ପାଥପୁର ଗ୍ରାମରେ ଏଭଳି ବେପାର ଚାଲିଥିବା ନେଇ ଶତାଧିକ ଋଣଗ୍ରହୀତା ଅଭିଯୋଗ କରିଛନ୍ତି। ଗାଁରେ କମିଟି ତିଆରି କରି କେତେକ ମୁଷ୍ଟିମେୟ ବ୍ୟକ୍ତି ଏହି ବେପାର ପରିଚାଳନା କରୁଛନ୍ତି। ଏ ନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପର କଥା, ପୁଲିସ ଏତଲା ଗ୍ରହଣ କଲାନାହିଁ କି ମାମଲା ମଧ୍ୟ ରୁଜୁ କଲା ନାହିଁ। ଏଣୁ ଏହାକୁ ଗୁରୁତ୍ବର ସହ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଇଓଡବ୍ଲୁରେ ଅଭିଯୋଗ ହୋଇଛି। ତେବେ ଏହି ଘଟଣା ପଦାକୁ ଆସିବା ପରେ ପାଖଆଖ ଗ୍ରାମରେ ମଧ୍ୟ ଏଭଳି ମହାଜନ ରହିଥିବା ଜଣାପଡ଼ିଛି। ମାସିକ ଶତକଡ଼ା ୩ ପ୍ରତିଶତ ସୁଧରେ ଏଠାରେ ମୋଟା ଅଙ୍କରେ ଅର୍ଥ ଋଣ ଦେଇ ମହାଜନ ମାଲାମାଲ ହେଉଛି। ଏଠାରେ କେତେକ ଋଣଗ୍ରହୀତା ଅନୁରୂପ ଢଙ୍ଗରେ ନିର୍ଯାତିତ ହୋଇଛନ୍ତି। ଖୁବ୍‌ଶୀଘ୍ର ସେମାନେ ମଧ୍ୟ ମହାଜନମାନଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର