ଏନ୍‌ଜିଟି ସତ୍ୟପାଠକୁ ଭୁଲିଗଲା ପ୍ରଶାସନ : ଗଡ଼ଗଡ଼ିଆ ପଠାରେ କଂକ୍ରିଟ ଘର

ଗଢ଼ି ଉଠିଛି ମିନି ବସ୍ତି; ଗଦା ହେଉଛି ବର୍ଜ୍ୟବସ୍ତୁ

କଟକ : ଜାତୀୟ ଗ୍ରୀନ ଟ୍ରିବୁନାଲ୍(ଏନଜିଟି)ଙ୍କ ନିର୍ଦେଶ ରହିଛି ମହାନଦୀ ପଠାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ହୋଇପାରିବ ନାହିଁ। ଅଳିଆ, ଆବର୍ଜନା ତଥା ବର୍ଜ୍ୟବସ୍ତୁ ପକାଇ ପୋତା ଯାଇ ପାରିବେ ନାହିଁ। ଅତୀତରେ ଏହି କାରଣ ପାଇଁ ବାଲିଯାତ୍ରା ଆ‌େୟାଜନ ଉପରେ ଅଙ୍କୁଶ ଲାଗିବା ଯାଏ କଥା ଯାଇଥିଲା। କୌଣସି ପ୍ରକାର ନିର୍ମାଣ ଅଥବା ଅଳିଆ, ଆବର୍ଜନା ପକାଯିବ ନାହିଁ ବୋଲି ତତ୍କାଳୀନ ଜିଲ୍ଲାପାଳ ସତ୍ୟପାଠ ଦେବା ପରେ ବାଲିଯାତ୍ରା ଆୟୋଜନ ହୋଇଥିଲା। ‌ଏବେ ପୁଣି ସମାନ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଗୋଟିଏପଟେ ବେଆଇନ ନିର୍ମାଣ ଏବଂ ଅନ୍ୟପଟେ କଂକ୍ରିଟ୍ ବର୍ଜ୍ୟବସ୍ତୁ ଗଦେଇ ପୋତା ଚାଲିଛି ମହାନଦୀ ଗଡ଼ଗଡ଼ିଆ ପଠା। ଏନ୍‌ଜିଟିଙ୍କ ଆଦେଶ ଅବମାନନା କରାଯାଇ ବେଧଡ଼କ ଭାବେ ଗଡ଼ଗଡ଼ିଆ ପଠାରେ ସିମେଣ୍ଟ ଯୋଡ଼େଇ ଇଟା କାନ୍ଥ ପୂର୍ବକ ଆଜବେଷ୍ଟ୍‌ସ/ଚାଳ ଘର ତିଆରି ଚାଲିଛି। ତା’ ସାଂଗକୁ ପୁଣି ଟ୍ରକ୍‌ରେ ଟ୍ରିପ୍‌ ଟ୍ରିପ୍‌ କଂକ୍ରିଟ୍‌ ବର୍ଜ୍ୟବସ୍ତୁ ଗଦା ଚାଲିଛି। ଅଥଚ ଜିଲ୍ଲା ପ୍ରଶାସନ ଆଖିରେ ଅନ୍ଧପୁଟୁଳି ବାନ୍ଧି ଚୁପ୍୍‌ ବସି ରହିଛି। ଏହା ପ୍ରତ୍ୟକ୍ଷ ଭାବେ ଜିଲ୍ଲାପାଳ ନିଜେ ସତ୍ୟପାଠରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରୁନଥିବା ଦର୍ଶାଉଥିବା ବେଳେ ଅନ୍ୟପଟେ ଏନ୍‌ଜିଟିଙ୍କ ଆଦେଶର ଖୋଲା ଉଲ୍ଳଂଘନ ମହାନଦୀ ଶଯ୍ୟା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଛି।

ଗତ ଦୁଇ ତିନି ମାସ ଭିତରେ ମୁଣ୍ଡାସାହି ବସ୍ତିରୁ ଅଳ୍ପ କିଛି ଦୂରରେ ଆଉ ଏକ ମିନି ବସ୍ତି ଗଢ଼ି ଉଠିଲାଣି। ଚାଳ-ଛପର ଝୁମ୍ପୁଡ଼ି ଘର ନୁହେଁ, ବରଂ ସିମେଣ୍ଟ ଯୋଡ଼େଇ ଇଟା କାନ୍ଥ ନିର୍ମାଣ କରାଯାଇ ଆଜବେଷ୍ଟ୍‌ସ ଛପର କରାଯାଉଛି। ଦିନକୁ ଦିନ ଗଢି ଉଠୁଛି ଗୋଟିଏ ପରେ ଗୋଟିଏ ‌ଘର। ପ୍ରଥମେ ଚାରି ପଟେ ବାଡ଼ ବୁଲାଇ ଜମିକୁ ଜବରଦଖଲ କରାଯାଉଛି। ତା’ ପରେ ନିର୍ମାଣ କାମ ଏତେ ଦ୍ରୁତ ଗତିରେ କରାଯାଉଛି ଯେ ଦୁଇ ତିନି ଦିନ ଭିତରେ ଆଜବେଷ୍ଟସ ଘର ମୁଣ୍ଡ ଟେକୁଛି। ସେହିପରି ସହରରେ ଚାଲିଥିବା ଜାଇକା ପ୍ରକଳ୍ପରେ ସ୍ବେରେଜ ପାଇପ୍‌ ବିଛାଇବା ପାଇଁ ରାସ୍ତା ଖୋଳାଯାଇ ଯେଉଁ ବର୍ଜ୍ୟବସ୍ତୁ ବାହାର କରାଯାଉଛି, ତାକୁ ଗଡ଼ଗଡ଼ିଆ ପଠାରେ ଗଦା କରାଯାଉଛି। ହେଲେ ନଦୀଶଯ୍ୟା ପରିଷ୍କାର ଏବଂ ନିର୍ମାଣ କାମ କରାଇ ଦିଆଯିବନି ବୋଲି ଏନ୍‌ଜିଟିକୁ ସତ୍ୟପାଠ ଦେଇ ପ୍ରଶାସନ ସଂପୂର୍ଣ୍ଣ ଭୁଲି ଯାଇଛି।

ଅତୀ‌ତରେ ମହାନଦୀ ଶଯ୍ୟାରେ ବେଆଇନ ନିର୍ମାଣ ଓ ବର୍ଜ୍ୟବସ୍ତୁ ପକାଯିବାକୁ ନେଇ ମାମଲା ‌ରୁଜୁ ହେବା ପରେ ଏନ୍‌ଜିଟି ଭୀଷଣ ବିରକ୍ତି ପ୍ରକାଶ କରିବା ସହ ୨୦୧୭ମସିହାରେ ବାଲିଯାତ୍ରା ଆୟୋଜନ ଉପରେ ଅଙ୍କୁଶ ଲଗାଇଥିଲେ। ଏପରିକି ଏନ୍‌ଜିଟିରୁ ଏକ ପ୍ରତିନିଧି ମଣ୍ଡଳୀ ଗଡ଼ଗଡ଼ିଆ ପଠା ପରିଦର୍ଶନରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଅପରପକ୍ଷରେ ବାଲିଯାତ୍ରା ଉପରେ ଅଙ୍କୁଶକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତତ୍କାଳୀନ ଜିଲ୍ଲାପାଳ ଏନ୍‌ଜିଟିରେ ହାଜର ହୋଇ ସତ୍ୟପାଠ ଦେଇଥିଲେ। ମାତ୍ର ଏବେ ଦିନ ଦ୍ବିପ୍ରହରରେ ଏନ୍‌ଜିଟିଙ୍କ ଆଦେଶର‌ ଖୋଲା ଉଲ୍ଲଂଘନ ହେଉଥିବା ବେଳେ ପ୍ରଶାସନ ହାତବାନ୍ଧି ବସି ରହିଛି।

ସମ୍ବନ୍ଧିତ ଖବର